ମାତୃଶକ୍ତି
ବାପା ମାଆଙ୍କର ଅତି ଆଦରର ଗେହ୍ଲୀ ଝିଅଟିଏ ମୁଁ। ବିଶେଷ କରି ମୋ ମାଆଙ୍କ ସହିତ ମୋର ସମ୍ବନ୍ଧ ଅତି ଘନିଷ୍ଠ। ପ୍ରିୟ ବାନ୍ଧବୀଟେ ପରି ସେ ମୋ ମନର ଅବ୍ୟକ୍ତ ଭାବକୁ ଖୁବ ସହଜରେ ବୁଝିପାରନ୍ତି। ଶୈଶବ କାଳରୁ ମୋର ସମସ୍ତ ଅଳିଅର୍ଦ୍ଦଳିକୁ ମୋ ମାଆ ନିର୍ବିକାର ଭାବେ ପୂରଣ କରିଛନ୍ତି। ମୋ ମାଆ ତାଙ୍କ ପିଲାବେଳୁ ହିଁ ଖୁବ ଈଶ୍ବର ବିଶ୍ବାସୀ ଅଟନ୍ତି। ସାଧୁସନ୍ଥ, ମହାତ୍ମା ମାନଙ୍କୁ ସେ ଖୁବ ସମ୍ମାନବୋଧ ପ୍ରଦର୍ଶନ କରନ୍ତି। ଏପରିକି ବାପାଙ୍କ ସହିତ ତାଙ୍କର ବିବାହକୁ ମଧ୍ଯ ସେ ଈଶ୍ବରଙ୍କର ସହମତି ବୋଲି ଏକ ବଦ୍ଧମୂଳ ଧାରଣା ଧରି ନେଇଥିଲେ। ତାଙ୍କ ବିଶ୍ଵାସ ଅନୁଯାୟୀ ଈଶ୍ବର ତାଙ୍କ ପାଇଁ ଦିନେ ନାଁ ଦିନେ ସୁନିଶ୍ଚିତ ଭାବେ ଜଣେ ସୁଯୋଗ୍ୟ ଜୀବନ ସାଥୀକୁ ପ୍ରେରଣ କରିବେ ଏହାହିଁ ଥିଲା ମୋ ମାଆଙ୍କର ଦୃଢ଼ ବିଶ୍ବାସ। ବିବାହ ପରେ ମୋ ମାଆ ଓ ବାପାଙ୍କର ଦାମ୍ପତ୍ୟ ଜୀବନ ଖୁବ ସୁଖକର ଓ ମଧୁମୟ ଭାବେ ଅତିବାହିତ ହୋଇଯାଉଥିଲା। ମୋ ବାପା ଦୁନିଆଁର ସବୁ ସୁଖ ଏବଂ ଖୁସିକୁ ଆଣି ମାଆଙ୍କ ପାଦପଦ୍ମରେ ଅଜାଡି ଦେଉଥିଲେ।
କିନ୍ତୁ ବିଧିର ବିଧାନ ଥିଲା କିଛି ଭିନ୍ନ। ଜୀବନରେ ସୁଖ ଅଛି ମାନେ ଦୁଃଖ ବି ଥିଵ, ଆଲୋକର ଉପସ୍ଥିତି ଅଛି ମାନେ ଅମା ଅନ୍ଧକାର ବି ତା’ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇ ଚିରକାଳ ଲାଗି ରହିଥିବ, ଏହା ଅବଶ୍ୟମ୍ଭାବୀ। ମୋ ମାଆ ଓ ବାପାଙ୍କର ବୈବାହିକ ଜୀବନ ବହୁ ଖୁସିରେ ଅତିବାହିତ ହୋଇଯାଉଥିଲେ ମଧ୍ଯ ବହୁବର୍ଷ ଯାଏଁ ମୋ ମାଆ ନିଃସନ୍ତାନ ଥିଲେ। ସନ୍ତାନହୀନା ବୋଲି ଏ ସମାଜ ବିଶେଷ କରି ମୋ ଜେଜେମାଆ ତାଙ୍କୁ ‘ବାଞ୍ଝ’ ବୋଲି ସମ୍ବୋଧନ କରି ଖୁବ ଲାଞ୍ଛନା ଦେଉଥିଲେ। ଏକମାତ୍ର ଶାରୀରିକ ନିର୍ଯାତନା ଯେ ବହୁ କଷ୍ଟପ୍ରଦ ତାହା ନୁହେଁ ମାନସିକ ଯାତନା ବି ଅନୁରୂପ ଭାବେ ଅସହ୍ଯ ବେଦନା ପ୍ରଦାନ କରିଥାଏ। ଏହା ମୋ ମାଆ ମର୍ମେମର୍ମେ ହୃଦୟଙ୍ଗମ କରିପାରୁଥିଲେ। କିନ୍ତୁ ତା’ ସହ ଆଶ୍ବାସନାର କଥା ଏହିକି ଯେ ସନ୍ତାନ ପ୍ରସବ କରିବା ନିମନ୍ତେ ସେ ଅକ୍ଷମ ଥିଲେ ସୁଦ୍ଧା ମୋ ବାପା କେଵେ ତିଳେହେଲେ ମଧ୍ଯ ତାଙ୍କୁ ଦୋଷାରୋପ କରିନଥିଲେ ବରଂ ଵହୁ ଆଶ୍ବାସନା ଓ ଗଭୀର ପ୍ରେମ ପ୍ରଦାନ କରି ସେ ମୋ ମାଆଙ୍କର ମାନସିକ ଯନ୍ତ୍ରଣାକୁ ଉପଶମ କରିବା ନିମନ୍ତେ ଚିର ପ୍ରଚେଷ୍ଟାରତ ଥିଲେ।
ଈଶ୍ବରଙ୍କ ଲୀଳା ଅପାର। ତାଙ୍କ ମାୟା କେବଳ ତାଙ୍କୁ ହିଁ ଜ୍ଞାତ। ତାଙ୍କ ଇଛାବିନା ତରୁରୁ ପତ୍ରଟିଏ ସୁଦ୍ଧା ବୃନ୍ତଚ୍ୟୁତ ହୁଏନାହିଁ। ସମସ୍ଯା ଅଛି ମାନେ ସମାଧାନର ମାର୍ଗ ମଧ୍ଯ ଅନିବାର୍ଯ୍ୟ ଥିବ। ସେମିତି ଏକ ଶୁଭ ଦିନ ମୋ ମାଆଙ୍କ ଜୀବନରେ ଆସି ଅଚାନକ ପହଞ୍ଚିଲା।
*ମୋ ମାଆ ମଧ୍ଯ ବହୁବର୍ଷ ନିଃସନ୍ତାନ ଥିଲେ। ଥରେ ଜଣେ ମହାପୁରୁଷଙ୍କୁୁ ଯାଇ ସେ ସନ୍ତାନ ପାଇଁ ବର ପ୍ରାର୍ଥନା କରନ୍ତେ, ମହାପୁରୁଷ ମୋ ମା’ଙ୍କୁ ସେ ସାଇତି ରଖିଥିବା ତାଙ୍କର କୌଣସି ପ୍ରିୟ ବସ୍ତୁ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ। ମା’ ଦୂରବର୍ତ୍ତୀ ନିଜ ଗ୍ରାମକୁ ଲେଉଟି ଆସି, ବାପଘରୁ ଆଣିଥିବା ପୁରୁଣା ରୂପାମୁଦ୍ରାଟିଏ ବାହାର କରି ମହାପୁରୁଷଙ୍କୁ ଭେଟିବାକୁ ଯାଇ ଦେଖିଲାବେଳକୁ ସେ କୋଡ଼ିଏ କୋଶ ଉତ୍ତରକୁ ଯାଇ ଡେରା ପକାଇଲେଣି। ମା’ ମୋର ପୁଣି ବାଟ ଚାଲିଲେ। ବାଟରେ ନଈ। ନଈରେ ବନ୍ଯା। ନାଆର ଦେଖାନାହିଁ। ମା’ ସ୍ରୋତ ସହ ଯୁଝି ନଈ ପାର ହେଲେ। କିନ୍ତୁ ଗନ୍ତବ୍ଯ ସ୍ଥାନରେ ପହଞ୍ଚି ଶୁଣିଲେ, ମହାପୁରୁଷ ସେଠାରୁ ଆହୁରି ତିରିଶି କ୍ରୋଶ ଦୂରବର୍ତ୍ତୀ ଏକ ଗ୍ରାମକୁ ପ୍ରସ୍ଥାନ କଲେଣି। ମା’ ମୋର ପୁଣି ବାଟ ଚାଲିଲେ। ଅବଶେଷରେ ମହାପୁରୁଷଙ୍କୁ ଭେଟି, ଆଣିଥିବା ମୁଦ୍ରାଟି ସମର୍ପଣ କଲେ। ମହାପୁରୁଷ ତାହା ଗ୍ରହଣ କରି ଧ୍ୟାନସ୍ଥ ହେଲେ ଏବଂ ମା’ଙ୍କୁ ସନ୍ତାନ ପ୍ରାପ୍ତିର ବର ପ୍ରଦାନ କଲେ। ଫଳରେ ମୁଁ ଜନ୍ମନେଲି।*
ମୁକ୍ତିରାଣୀ ଦେବତା
ମନ୍ଦାରଖଣ୍ଡ, ଯାଜପୁର