ବନ୍ଧୁତ୍ୱ
ଆଜକୁ ୨୫ବର୍ଷ ତଳେ କେତେ ଖେଳକୁଦ,କେତେ ହସ ମଜା…ସବୁକୁ ଗଣ୍ଠି କରି ରଖିଛି ଗାଁ ମୁଣ୍ଡ ଆମ୍ବତୋଟା, ବିଲବାଡ଼ି,ପାହାଡ଼-ପର୍ବତ-ଝରଣା । କିନ୍ତୁ ଚଗଲା ସମୟ ବଦଳି ଯାଇଛି ବିନା ନିର୍ଦ୍ଦେଶରେ, ସତେ ଯେମିତି କେହି ଲୁଚି ଛପି ସମୟକୁ ଈଶାରା ଦେଇ ଛଡେଇ ନେଇଛି ପିଲାଦିନର ଦୁଷ୍ଟାମୀ ସବୁକୁ । ଏମିତି ଅନେକ କିଛି ଭାବୁଥିଲା *ରାଧା* ଆଉ ଗୁଣୁ ଗୁଣେଇ ହୋଇ ଏକ ନଜରରେ ଚାହିଁ ବସିଥିଲା ନିଜ କୋଠରୀର ଝରକା ସେପାଖକୁ ।
ଆଜିବି ତା’ର ମନେ ଅଛି ପ୍ରିୟବନ୍ଧୁ *ମାଧବ* ର କଥା । ରାଧା ଓ ମାଧବ ଦୁହେଁ ପିଲା ଦିନରୁ ବନ୍ଧୁ ଥିଲେ, ଦୁହିଁଙ୍କ ମନରେ ନଥିଲା ଛନ୍ଦ କି କପଟର ଟିକେ ଦାଗ । ବୟସ ବଢିବା ସହ ଗାଁ ସ୍କୁଲର ପାଠପଢା ମଧ୍ୟ ସରିଯାଇଥିଲା ତତ୍ ସହ ମିଛି ମିଛିକା କନିଆ ବାହାଘର,ବାଲିରେ ଭାତ,କାଦୁଅରେ ତୁଣ ଓ ପତ୍ରରେ ଭୋଜି ବାଢ଼ିବାର ଦିନ ଗୁଡା ମଧ୍ୟ ସମୟର ଦ୍ୱାହି ଦେଇ ସ୍ମୃତି ହେବାକୁ ତତ୍ପର ଥିଲେ ।
ରାଧା ଓ ମାଧବ ଦୁହେଁ ଉଚ୍ଚ ଶିକ୍ଷା ପାଇଁ ଗାଁ ଛାଡି ସହର ଯିବାକୁ ମନସ୍ଥ କରିଥିଲେ । ହେଲେ ଭାଗ୍ୟର କି ବିଡମ୍ବନା ଥିଲା କେଜାଣି ଗାଁ ଛାଡିବାର ଠିକ୍ ୨ଦିନ ପୂର୍ବରୁ ରାଧାର ମାଆ ଏକ ସଡ଼କ ଦୁର୍ଘଟଣାରେ ଦେହ ତ୍ୟାଗ କରିଥିଲେ । ବୋଧେ ଭାଗ୍ୟ ଓ ମନର ଲଢେଇରେ ସେଦିନ ହାରି ଯାଇଥିଲା ରାଧା । ଘରର ଜଞ୍ଜାଳ ଭିତରେ ପାଠପଢ଼ାର ଇଚ୍ଛାକୁ ଚାପିଦେଇ ନିତି ତେଲ ଲୁଣର ସଉଦା କରେ ପରିବାର ପାଇଁ ।
ସେପଟେ କିନ୍ତୁ ମାଧବ ଗାଁ ଛାଡି ଆଜକୁ ୧୦ବର୍ଷ ହେବ ବିଦେଶରେ, ଏବେ ସେ କୁଆଡେ ଦେଶର ରକ୍ଷା କରୁଛି ଆଉ ତାକୁ ସମସ୍ତେ “ବୀର ଯବାନ ବାବୁ” ବୋଲି ସମ୍ମାନ ଦେଉଛନ୍ତି । ଟିଭି , ଖବର କାଗଜରେ ବେଳେବେଳେ ମାଧବ କଥା ବାହାରେ ନଚେତ୍ ରାଧା ମଝିରେ ମଝିରେ ମାଧବ ଘରକୁ ଯାଇ ଭଲମନ୍ଦ ଖବର ବୁଝି ଆସୁଛି । ସମୟ ଆଉ ଭାଗ୍ୟ ସିନା ଦୁହିଁକୁ ଏକାଠି କରେଇ ଦେଲାନି କିନ୍ତୁ ଆଜିବି ଦୁହେଁ ଦୁହିଁଙ୍କ ଭିତରେ ବନ୍ଧୁତାକୁ ଅତୁଟ ରଖିଛନ୍ତି ।
ଦିନେ ରାଧା ଗାଁ ଆଡୁ ବୁଲି ଆସିବାବେଳେ ମଧବର ମାଆ କହିଲେ ମାଧବ କୁଆଡେ ଦେଶର ଯୁଦ୍ଧରେ ସାମିଲ ହେବାକୁ ମନରେ କିଞ୍ଚିତ ଆତଙ୍କର ଭୟ ପ୍ରକାଶ କରୁଛି ଯଦ୍ୱାରା ନିଜକୁ ଦୃଢ଼ ଭାବେ ପ୍ରତିପାଦନ କରିବାରେ ଅସଫଳତା ମନେ କରୁଛି । ଏହି ପରିସ୍ଥିତିରେ ରାଧା ନିଜର ବନ୍ଧୁ ମନରେ ଆତ୍ମବିଶ୍ବାସ ଜାଗ୍ରତ ନିମିତ୍ତ ଏକ ଚିଠି ଲେଖିବାକୁ କାଗଜ କଲମ ପ୍ରସ୍ତୁତ କଲା । ଏବଂ ଚିଠି ଲେଖିବା ଆରମ୍ଭ କରି ଲେଖିଲା :-
*ପ୍ରିୟ ମାଧବ,*
*ସ୍ନେହ ନେବ । ଆଶା ,ପତ୍ରଟି ପାଇ ଆଶ୍ଚର୍ଯ୍ୟ ହେବ ।* *ବର୍ଷ ପ୍ରତିପଦା ନବ ବର୍ଷର ଅଭିନନ୍ଦନ ନେବ ।* *ତୁମ ପାଖକୁ ହଠାତ୍ ଚିଠି ଲେଖିବାର ଆଗ୍ରହ ହେଲା, ଲେଖିଲି । ଦେଶ ପ୍ରେମର ଯେଉଁ ଦୀପଟିଏ ଭୋଦଳ ଗାଁରେ ଜାଳୁଛ,ତାର ଆଲୋକରେ ସେ ଅଂଚଳ ଆଲୋକିତ ହେଉ;ଏହା ହିଁ କାମନା କରୁଛି ।* *ତୁମ ଭଳି ଶାନ୍ତ ସୁନ୍ଦର ସରଳ ହୃଦୟର ଯୁବକ ମନରେ “ଦେଶ ପ୍ରେମ”ର ପବିତ୍ର ମନ୍ଦାକିନୀ ପ୍ରବାହିତ ହେଉ । ବଜ୍ର ପରି କଠୋର ହୋଇ “କେଶବ ଆଦର୍ଶ”ର ଅନୁଗାମୀ ହୋଇ ରାଷ୍ଟ୍ରର ଏ ଯେଉଁ ବିରାଟ ଯଜ୍ଞ ଚାଲିଛି, ଗୁଣ୍ଡୁଚି ମୂଷାର ଦାୟିତ୍ୱ ସମ୍ପାଦନ କରି ପାରିଲେ ଜୀବନ ଧନ୍ୟ ହେବ ।ସଙ୍ଘ ଆଣିଦେବ ତମ ପାଇଁ ଅଶେଷ ଜ୍ଞାନ,ସମ୍ମାନ, ଯାହାକି ଅନ୍ୟମାନଙ୍କ ପାଇଁ ସ୍ବପ୍ନ ହୋଇଯିବ । ଜୀବନରେ ବିଶ୍ଳେଷଣ କରିପାରିଲେ କିଛି ମିଣିଷର ହୃଦୟରେ ରହି ପାରିଲେ ଜନ୍ମ ସାର୍ଥକ ହେବ ସିନା । ରହିଲି ।ଶେଷରେ ସ୍ନେହ ନେବ ।*
*ଇତି*!!
*ତୁମ ବାନ୍ଧବୀ ରାଧା*
ସତରେ ରାଧାର ଚିଠି ପାଇ ମାଧବ ମନରେ ଉତ୍କଣ୍ଠା କହିଲେ ବସରେ,ଯୋଉ ମଣିଷ ସହ ପିଲାଦିନ ବିତିଥିଲା ଆଜି ସେ ଦୂରରୁ ଥାଇ ପ୍ରେରଣା ଦେବା ଏକ ଅନନ୍ୟ ଆନନ୍ଦ ଯାହା ମାଧବର ପ୍ରତିଟି ସଙ୍କଟରେ ଆତ୍ମବିଶ୍ବାସ ଦ୍ଵିଗୁଣିତ ହୋଇ ଉଠିଥିଲା । ସେ ଚିଠିର କେଇ ଧାଡ଼ିରେ କି ଶକ୍ତି ଥିଲା କେଜାଣି କ୍ଷଣିକରେ ସବୁକିଛି ପରିବର୍ତ୍ତନ ହୋଇଯାଇଥିଲା । ପରେ ଦେଶର ବିଷମ ସଙ୍କଟ ଟଳି ଯିବାପରେ ମାଧବ ମଧ୍ୟ ପ୍ରତି-ଉତ୍ତର ଦେବାକୁ ଯାଇ ଏକ ଚିଠି ପ୍ରେରଣ କରିଥିଲା ଏବଂ ନିଜ ବନ୍ଧୁତ୍ୱ ପାଇଁ କୃତଜ୍ଞତା ଭାବ ମଧ୍ୟ ପ୍ରକାଶ କରିଥିଲା ।
ସୋନାଲି ସ୍ବପ୍ନା ପାତ୍ର
ବଡ଼ମ୍ବା, କଟକ