“ଖଣ୍ଡେ ବଦଳୁଥିବା ମେଘ”
●●●
ମୋପରି ଭେଟିଲି ଜଣକୁ
ପଶ୍ଚିମ ଆକାଶର ଗୋଟେ ଅରୁଣାକ୍ତ ମୂହୁର୍ତ୍ତରେ,
ସେ ବି ବଦଳାଉଥିଲା
ଖୁବ୍ ନିଖୁଣ ଭାବରେ ନିଜକୁ
ପ୍ରତିକ୍ଷଣରେ,
ଚରିତ୍ର ପରେ ଚରିତ୍ର,
ମୁହଁରେ ମାଖି ମେଞ୍ଚା ମେଞ୍ଚା ଆଶ୍ୱାସନା,
ଆଲୁଅ ଜଳିବା ଆଗରୁ
ଲିଭେଇ ଦେଉଥିଲା
ଟୋପା ଟୋପା ଭଙ୍ଗା ସ୍ୱପ୍ନ ସବୁକୁ,
ମୁଁ ଏବେ ଏକା ନୁହେଁ
ଯିଏ ସମୁଦ୍ର ଡେଇଁବ ଡେଇଁବ ଭାବି
ଅଟକି ଯାଇଛି ଏକ ନିଃସଙ୍ଗ ପଠାରେ,
ଯିଏ ଜଗୁଆଳିର ସାବଧାନ ଡାକରେ
ହଜେଇଦେଇଛି ରାଜାପୁଅକୁ
ମୁକୁଳେଇବାର ମନ୍ତ୍ରକାଠି,
ଯିଏ ନିଜକୁ ବନ୍ଦୀକରି
ଫାଶୀ ଖୁଣ୍ଟକୁ ପଚାରି ବୁଝିଛି ଶେଷଇଚ୍ଛା ।
ସିଏ ବି ତ ନିସର୍ତ୍ତ ଆଙ୍କିଚାଲିଛି
ନିଜକୁ ନିଜ ରଙ୍ଗରେ
ଆଉ କାହା ଛାତି ଉପରେ ।
ଭାସିଯିବା ଆଗରୁ ସଜେଇ ହୋଇଛି
ଠେକୁଆଟେ ଅବା ତିନିଗୋଡିଆ ହାତୀ ରୂପରେ,
ଅଜଣା ପାନିପଥର କ୍ଷତାକ୍ତ ଯୋଦ୍ଧା
କେବେ ବାବିଲୋନର
ଦୋଳାୟମାନ ବଗିଚା ହୋଇ ।
ତେବେ ଏଇନିଅ ହଳେ ନୂଆ ଆଖି,
ଅପେକ୍ଷା କର ଗୋଟେ ଆକାଶବାଣୀକୁ,
” ତୁମକୁ ପ୍ରଥମେ କାହାକୁ ଦେଖିବାର ଇଚ୍ଛା !”
ହଁ, ଏବେ ଆସ୍ତେ କରି ଚାହିଁ ଦେଖ
ମୁଁ ବଦଳି ସାରିଛି ତୁମ ଇପ୍ସିତ ଚେହେରାରେ,
ଚରିତ୍ର ରେ ||
©ସଞ୍ଜୟ ପଣ୍ଡା
297 total views, 1 views today