ଜୀବନ
ଖରା,ଛାଇଖେଳ ଖେଳେ ଏ ଜୀବନ
କେତେ ସ୍ମୃତି ଅନୁଭୂତି ,
ଆଲୋକ ଅନ୍ଧାର ଉଭୟ ଥାଆନ୍ତି
ଦିନପୁଣି ଆଉରାତି l
ଜୀବନ ଆରମ୍ଭେ ପବିତ୍ର ପ୍ରଭାତ
ସୁନେଲି ଭାବନା ଭରେ,
କ୍ରମେ କ୍ରମେ ବଢ଼େ କର୍ମ ଜଞ୍ଜାଳ
ପାପପୁଣ୍ୟ ନଈଧାରେ l
ବୟସ ବଢୁଛି ଦିନ ବି ସରୁଛି
ଜଳୁଛି ଜୀବନ ଦୀପ,
ସମୟ ସୁଅରେ ଭାସିଭାସି ଯିବ
ଅତୀତର କର୍ମସ୍ତୁପ l
ସ୍ନେହ ରାଗ ରୁଷା ଜୀବାନୁଭୂତିରେ
ଜୀବନର ବେଳାଭୂଇଁ ,
ଗହଳ ଚହଳ ଶୁଭି ଯାଉଥାଏ
ସତ୍ୟପରି ଲାଗୁଥାଇ l
ଅଳିକ ମମତା ମୋହ,ମାୟା ଘେରା
କୁହୁଡି ପରି ଏ ଘର ,
ମହାକାଳ ସତ୍ୟ ସେହି ପରଶରେ
କେହି ନୁହଁ ଆପଣାର l
ତେଣୁ ବନ୍ଧୁଆସ ହସି,ଖେଳି, ଗାଇ
ଜୀବନ ବିତେଇ ଦେବା
ବିବେକକୁ ନେଇ କର୍ମ କରିବାରେ
କାହିଁକି କୁଣ୍ଠିତ ହେବା ?
ଅବଶୋଷ କିବା ଅନୁତାପ ପରି
ନଥିବ ଯନ୍ତ୍ରଣା ଆଉ
ମରଣ ଶେଜରେ ଆନନ୍ଦେ ଶୋଇବା
ଚେତନା ଟି ଥାଉ ଥାଉ l
ଦିନେ ତ ଜନମ ଦିନେ ତ ମରଣ
ମଝିରେ ଯେତେକ ଦିନ
ବିଭୁପାଦେ ଲୟ ରଖିଥିଲେ ସଦା
ପବିତ୍ର ହୋଇବ ପ୍ରାଣ l
ମଶାଣୀ ଯୁଇରେ ମୁଠାଏ ପାଉଁଶ
ଏହି ଦେହ ହୋଇଯିବ,
ହରିଠାରେ ଭାବ ସାହା ସିନା ଏକା
ଜନ୍ମଜନ୍ମ ଧରିଥବ ।
ସୁଜାତା ରାଉତ,
ଓରାସାହି , ଚାନ୍ଦବାଲି ,
ଭଦ୍ରକ