ଜୀବନ ଗୁଡ଼ି
ମୋ ଜୀବନ ଗୁଡ଼ି ଦଇବ ଦଉଡି
ବାନ୍ଧି ଧରିଛି ନଟେଇ,
ତା ଇଚ୍ଛା ରେ ଉଡେ ବାତେ ଦୋଳି ଖେଳେ
ଇଥରେ ଡେଣା ମେଲାଇ.
ତୁନି ଆକାଶ ରେ ଉଡ଼ି ଉଡ଼ି ଖୋଜେ
ଜହ୍ନ ର ଶୀତଳତା,
ମନ ଜାଣି ତାର ବଉଦ କୁଢାଏ
ବର୍ଷା ଟୋପା କେଇ ମୁଠା.
ଶୁଷ୍କ ଅନ୍ତ ସ୍ୱର ଭିଜା ଭିଜା ଡେଣା
ଖୋଜେ ଶରଣ ର ଶଯ୍ୟା,
ଗୁହା ରେ ଗଛରେ ଲଟା ପତ୍ର ପରେ
ବିବର୍ଣ୍ଣ ସପନ ହଜା.
ବିବଶ ମୁହୂର୍ତ୍ତ ଅବଶ ଶରୀର
ଗୁମର କଥା ଟି କହେ,
ହୁଅ ବିତ୍ତଶାଳୀ ଅବା ବଳ ଶାଳୀ
ମାଟି ମୁଠି ଲୋଡ଼ୁ ଥାଏ.
ଅନ୍ଧାରୁ ମୁକୁଳି ଆଲୁଅ ଖୋଜିଲେ
ଦିଶେ ଘଞ୍ଚ ସବୁଜିମା,
ରଙ୍ଗ ହଜା ଦେହ ଅଡୁଆ ସୁତୁଲି
ଉଡିବାକୁ କରେ ମନା.
ସ୍ଥିତ ଦୃଶ୍ୟପଟ ଅଦୃଶ୍ୟ କୁହାଟେ
କ୍ଷଣିକେ ବଦଳି ଯାଏ,
ଝରିଗଲା ଲହୁ ବହି ଗଲା ଲୁହ
ମାର୍ଜିତ ଆକାଶ ଚାହେଁ.
ମିନତି
ବାରିପଦା