🙏ଜୟ ଜଗନ୍ନାଥ 🙏
କାହିଁକି ତୋତେରେ ଡାକିବି କାଳିଆ
ତୁ ତ ସବୁଠାରୁ ବଡ଼ କପଟୀ
କାହାକୁ ଖୋଉଚୁ କ୍ଷିରି ସର ପୁରି
ମୋ କପାଳେ ଖାଲି ଶୁଖିଲା ରୁଟି
ପିନ୍ଧୁଅଛୁ ତୁହି ପାଟ ପିତାମ୍ବରୀ
ମୁଁ ପିନ୍ଧେ ଖାଲି ଛିଣ୍ଡା କନା ଟି
ଭୁଞ୍ଜୁଅଛୁ ତୁହି ଷାଠିଏ ପଉଟି
ବାସି ପଖାଳେ ମୋ ଯାଏ ଦିନଟି
ଚନ୍ଦନ କର୍ପୁର ତୋ ଦେହରେ ବୋଳା
ବାସନାରେ ତୁହି ଯାଉ ଚହଟି
ନୁଖୁରା ଦେହରେ ଦିନ କଟିଯାଏ
ସେଥିପାଇଁ ମୋ’ର ଚିନ୍ତା ନାହିଁ ଟି
ଶୋଉଅଛୁ ତୁହି ରତ୍ନ ପଲଙ୍କରେ
ଛିଣ୍ଡା ମସିଣାରେ ମୁଁ ଶୁଏ ଟି
ତୋ କାନରେ ବାଜେ ଶ୍ରୀ ଗୀତଗୋବିନ୍ଦ
ମୋତେ ଶୁଭୁଥାଏ ହରି ନାମ ଟି
ରତନ ବେଦିରେ ବସି ଚାହିଁ ଅଛୁ
ବଡ ବଡ ତୋର ଚକା ଆଖି ଟି
ମୁହିଁ ବସିଅଛି ଭଙ୍ଗା କୁଡ଼ିଆରେ
ତୁ କିବା ଜାଣିବୁ ମୋ’ର ଦୁଃଖ ଟି
ବୁଝି ପାରୁନୁ ମୋ ଅନ୍ତର ବେଦନା
ଚିହ୍ନି ପାରୁ ନାହୁଁ ମୋ’ର ମନ ଟି
ଅଚିହ୍ନା ହୋଇ ମୁଁ ରହିଯିବି ପଛେ
ସଦା ଭଜୁଥିବି ତୋର ନାମ ଟି..🙏
(ପ୍ରଦ୍ୟୁମ୍ନ କୁମାର ଚିହ୍ନରା, ପୁରୀ)