ଜାହାଜୀ ବାବୁଲା…
ଏ ବାବୁଲାଲ ପ୍ରତିହାରୀ ସାଧବ ଘରଟା ଏଇ ପାଖରେ ହେଇଥିବ।ଏଇ ତ ଗାଁ ପାଟପୁର ଦିଶିଲାଣି, ପଚାରିଲେ କାହାକୁ କହିଦେବେ।ନାମଜାଦା ପରିବାର। ଖୋଜିବାକୁ କଷ୍ଟ ହେବନି।
ସରକାରୀ ସନନ୍ଦ ଆଉ ଭେଟି ତା’ର ହାତରେ ଧରେଇ ଦେଲେ କାମ ଶେଷ।ଭଲ… ଅଫିସ୍ କାମ ବାହାନାରେ ଗାଁ ବୁଲା ହେବ,ଏ ଅଞ୍ଚଳର ସାଧବ ବଂଶ ର ଶେଷ ମଣିଷଟିର ସାନିଧ୍ୟ ମିଳିବା ସଙ୍ଗେସଙ୍ଗେ ଟିଏ ଡିଏ ବି ମିଳିବ।
ନିଶ୍ଚୟ ଗାଁ ମୁଣ୍ଡରେ ହେଇଥିବ ସୂରମ୍ୟ ପୁରୁଣା ପ୍ରାସାଦ ଟିଏ। ସୌଭାଗ୍ୟ ମୋ’ର ଭେଟିବି ସେଇ ପୁରୁଣା ଆଭିଜାତ୍ୟ ସମ୍ପନ୍ନ ମଣିଷକୁ ସ୍ବଚକ୍ଷୁରେ। କିଏ ଚିହ୍ନିଥିବ ଏ ଗାଁ ରେ।
ନା ପଚାରିବିନି,ନିଜେ ଠଉରେଇ ନେବି ଯେ…। କାହିଁ ସେମିତି ପୁରୁଣା କୋଠାଟିଏ ତ ଦିଶୁନି। ଗାଁ ଭିତର ଯାଏଁ ଆସିଲା ପରେ ବି,ଆଉ ଟିକେ ଆଗକୁ ଯିବା ଦେଖିବା। ନିଶ୍ଚୟ ଗାଁ ମଝିରେ ଥିବ ତାଙ୍କ ଘର।ନା…ଆଉରି ଯିବାକୁ ପଡ଼ିବ।ଆରେ ଆଉ ଘର କାହିଁ ଯେ…ନଈ ଦିଶିଲାଣି।ନୂଆଣିଆ ଚାଳ ଘର ଦି’ଚାରିଟା।ଏଥର ପଚାରିବାକୁ ପଡ଼ିବ କାହାକୁ।ଚମ ଧୁକଡା ବୁଢ଼ାଟିଏ ଚାଳିରୁ ବାହାରି ଜଳଜଳ ଚାହିଁବାରୁ ବାବୁଲାଲ ପ୍ରତିହାରୀ ଘର କୋଉଟା ପଚାରିବାରୁ ବଲଵଲ କରି ଆଙ୍ଗୁଳି ଦେଖେଇ ଦେଲା ପାଖ ପୋଡ଼ା କାଠ ପଡ଼ିଥିବା ମଶାଣି ଆଡ଼େ।
ବୁଝିନପାରି ପୁଣି ପଚାରିଲି। ଜାଣିଲି ସେଇ ବୁଢାଠୁ ଗାଁ ମୁଣ୍ଡରେ ଜାହାଜୀ ବାବୁଲା ର ଅଟ୍ଟାଳିକା ଟା ଦବି ଯାଇଛି ଏ ଅଞ୍ଚଳର ଏମ ଏଲ ଏ ଙ୍କ ଫାର୍ମ ହାଉସ୍ ତଳେ। ବାବୁଲାଲ ପ୍ରତିହାରୀ ଏଠି ଜାହାଜୀ ବାବୁଲା ଭାବେ ଜଣା।ଥଙ୍ଗେଇ ଥଙ୍ଗେଇ ବୁଢ଼ା ଗପି ଚାଲିଥିଲା ଜାହାଜୀ ବାବୁଲା ର କରୁଣ କାହାଣୀ…। ବଂଶରେ ସେ ଏକା। ସମସ୍ତେ ଛାଡ଼ି ଚାଲିଯାଇଛନ୍ତି ତା’ଠୁ କେଉଁ କାଳୁ। କେହି ଖୋଜଖବର କରିନାହାନ୍ତି ତା’ର।ଚଞ୍ଚକତାର ଶିକାର ହୋଇ ହେଇ ସେଇ ଉଡିଯାଇଥିବା ଛପର ଘର ଟା ହିଁ ଶେଷ ଆଶ୍ରୟ।ଯିଏ ଯାହା ଦିଏ ଖାଏ।
ଗଲା ସନ ପିଣ୍ଡାରେ ମଡ଼ା ଦେଖି ପାଞ୍ଚ ଜଣ ସେଇ ମଶାଣିରେ ପୋଡ଼ି ଦେଲେ।କ୍ରୀୟାକର୍ମ ସବୁ ଗୋଲ୍।
ଫେରିଲି ଓଜନିଆ କରୁଣ କାହିଣୀକୁ ନେଇ ହାତରେ ସରକାରୀ ସନନ୍ଦ ଭେଟି ସହ ଯାହା ଦେଇପାରିନଥିଲି
ଜାହାଜୀ ବାବୁଲାଲ କୁ…।।।
ଜୁମର ନାଥ ପାତ୍ର
ବାଲେଶ୍ଵର