ଭାବ ରଙ୍ଗମଞ୍ଚେ ନାୟକ ତୁମେ
********************
ହୃଦ ଇଲାକାରେ ଶୁଭେ ତୁମ ନାମ
ହରିଛ ସକଳ ଦୁଃଖ,
ଭାବ ରଙ୍ଗମଞ୍ଚେ ନାୟକ ଯେ ତୁମେ
ଭାବରେ ଭାବିଲେ ସୁଖ।
ପ୍ରତ୍ୟୁଷ ପ୍ରଦୋଷ ଅବା ଦିବା ରାତ୍ର
ଅନୁଭବେ ତୁମ ସତ୍ତା,
ମନରେ ଗୁଞ୍ଜରେ ହରିହରି ନାମ
ଭାଙ୍ଗିସବୁ ନିରବତା।
ତୁମ ଇଙ୍ଗିତରେ ଚାଲେ ଏ ଶରୀର
ମନ ମୋର ପାଦେ ତୁମ,
ଅବିରତ ନାଚେ କଳା କଳେବର
ତୁଣ୍ଡ ଜପେ ଶ୍ୟାମ ଶ୍ୟାମ।
ବିପଦରେ ପଡି ଡାକିଛି ମୁଁ ଯେବେ
ତୁମେହିଁ କରିଛ ପାରି,
ଆତୁରେ ପାଞ୍ଚାଳୀ ପରି ଯେ ଡାକିଛି
ଶୁଣିଛ ତା’ର ଗୁହାରି।
ଯାଜପୁରିଆ ସେ ବନ୍ଧୁ ପରି ଭାବ
ମୋ ହୃଦେ ଜନ୍ମିନି କେବେ,
ତଥାପି ମୋ ପରେ ଦୟା ଅଛି ତୁମ
ଆଶ୍ଚମ୍ବିତ ହୋଇ ଭାବେ।
ଭକତିର ଭାବେ ଦାସିଆ ନଡ଼ିଆ
ନେଇଛ ହାତ ବଢ଼ାଇ,
ଅନ୍ତରର ପ୍ରେମ ଢାଳି ଭକ୍ତି ଭରେ
ସତେକି ନବୁ କୋଳେଇ।
ହାତରେ ଧରିଛି ନିୟନ୍ତ୍ରଣ ରଜ୍ଜୁ
ବନ୍ଧା ମୁଁ ଅଟେ ତହିଁରେ,
ତୁମବିନା ଗତି ମୁକତି କଳ୍ପନା
ବୃଥା ଅଟଇ ମହୀରେ।
********************
ତପସ୍ୱିନୀ ଜେନା
କୁଜଙ୍ଗ, ଜଗତସିଂହପୁର
ଖୁବ ସୁନ୍ଦର ଜୟ ଜଗନ୍ନାଥ