ଅଶୋକାଷ୍ଟମୀ ଓ ରୁକୁଣା ରଥ
#ବିଶ୍ୱେଶ୍ୱର ମାଝୀ
ବୌଦ୍ଧ ଧର୍ମର ଦନ୍ତ ଯାତ୍ରା ଛାୟାରେ ଓଡିଶାର ତିନି ପ୍ରମୁଖ ପୀଠ ଯଥା ଶଙ୍ଖ କ୍ଷେତ୍ର ଶ୍ରୀପୁରୁଷୋତ୍ତମ, ଚକ୍ର କ୍ଷେତ୍ର ମନ୍ଦିରମାଳିନୀ ଭୁବନେଶ୍ବର ଓ ଗଦା କ୍ଷେତ୍ର ବିରଜା ପୀଠରେ ପ୍ରତିବର୍ଷ ମହା ଆଡମ୍ବରରେ ରଥ ଯାତ୍ରା ଆୟୋଜନ ହୁଏ। ପୁରୀରେ ଆଷାଢ ଶୁକ୍ଳ ଦ୍ବିତୀୟା ତିଥି, ଯାଜପୁରରେ ଦଶହରା ପର୍ବ ସମୟରେ (ଏକ ଭିନ୍ନ ପରମ୍ପରାରେ ପ୍ରତିଦିନ ମନ୍ଦିର ପରିକ୍ରମଣ) ତଥା
ଚୈତ୍ର ଶୁକ୍ଳପକ୍ଷ ପୁନର୍ବସୁ ନକ୍ଷତ୍ରଯୁକ୍ତ ଅଷ୍ଟମୀ ବା ଅଶୋକାଷ୍ଟମୀ ତିଥିରେ ରୁକୁଣା ରଥ ଯାତ୍ରା ଅନୁଷ୍ଠିତ ହୁଏ। ଏହି ସମୟରେ ଦେବୀ ଦୁର୍ଗାଙ୍କ ବାସନ୍ତୀ ପୂଜା ଚାଲିଥାଏ। ଏହିଦିନ ସୀତା ଅଶୋକ ଜଳପାନ କରି ଦୁଃଖ ଭୁଲିଯାଇଥିବାରୁ ସେହିଦିନଠାରୁ ଏହି ଦିନଟି ପ୍ରସିଦ୍ଧ ହୋଇଛି ବୋଲି ଲୋକକଥା ରହିଛି । ଭେଷଜ ଶାସ୍ତ୍ରରୁ ଜଣାଯାଏ ଅଶୋକ ବୃକ୍ଷର ଜଳପାନ ପୁନର୍ବସୁ ନକ୍ଷତ୍ରରେ କଲେ ସ୍ତ୍ରୀରୋଗ ବା ବନ୍ଧ୍ୟାଦୋଷ ପାଇଁ ଅଧିକ ଫଳପ୍ରଦ ହୁଏ। ମହା ପଣ୍ଡିତ ରାବଣ ଏହି ବନରେ ସୀତାଙ୍କୁ ରଖିଲେ ତାଙ୍କର ଶାରୀରିକ ବିଶେଷତଃ ସ୍ତ୍ରୀରୋଗ ତଥା ବନ୍ଧ୍ୟାଦୋଷ ଦୂର କରିବାକୁ ସେଠାରେ ରଖାଇଥିଲେ ।
ଏକ୍ରାମ କ୍ଷେତ୍ରର ଅଧୀଶ୍ୱର ପ୍ରଭୁ ଲିଙ୍ଗରାଜଙ୍କର ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ଅଶୋକାଷ୍ଟମୀ ଅନ୍ୟତମ । ପ୍ରଭୁ ଲିଙ୍ଗରାଜଙ୍କର ରଥଯାତ୍ରା ଉତ୍ସବରେ ପ୍ରଭୁଙ୍କୁ ଅଶୋକ ଫୁଲର କଢ଼ି ସମର୍ପଣ କରାଯାଉଥିବା ହେତୁ ଏହାକୁ ଅଶୋକାଷ୍ଟମୀ କୁହାଯାଏ। ଏହି ରଥର ନାମ ଶ୍ରୀକୃଷ୍ଣଙ୍କ ପାଟରାଣୀ ରୁକ୍ମିଣୀଙ୍କ ନାମାନୁଯାୟୀ ନାମିତ ହୋଇଛି। ଐତିହାସିକ ପ୍ରମାଣ ଅନୁସାରେ ମଗଧ ସମ୍ରାଟ ଅଶୋକଙ୍କ ସମୟରୁ ଏହା ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଉତ୍କଳୀୟଙ୍କୁ ବଧକରି ଅଶୋକ ଯେଉଁ ବିଜୟଲାଭ କଲେ, ସେ ବିଜୟ ତାଙ୍କୁ ଆନନ୍ଦ ଦେଇ ପାରିଲା ନାହିଁ। ଉତ୍କଳୀୟଙ୍କ ଉଷ୍ମରକ୍ତରେ ତାଙ୍କ ହୃଦୟ ତରଳି ଗଲା, ଚଣ୍ଡାଶୋକରୁ ସେ ହେଲେ ଧର୍ମାଶୋକ। ତାଙ୍କରି ଚିହ୍ନସ୍ୱରୂପ ଯେଉଁ ବିଜୟୋତ୍ସବ ପାଳନ କରାଗଲା, ତାହା ହିଁ ଆଜିର ଏ ରୁକୁଣା ରଥ।
ଲିଙ୍ଗରାଜ ମନ୍ଦିରଠାରୁ ରଥ ଯେଉଁ ପର୍ଯ୍ୟନ୍ତ ଆସେ, ସେହି ସ୍ଥାନଟିର ନାମ ବିଜୟ ପଡ଼ିଆ। ଅଶୋକଙ୍କ ପରେ ବୌଦ୍ଧ ସଂସ୍କୃତିକୁ ଆତ୍ମସାତ କଲା ଶୈବ ସଂସ୍କୃତି । ସେହି ଅନୁସାରେ ଅଶୋକଙ୍କ ବିଜୟ ରଥରେ ବୁଦ୍ଧ ପରିବର୍ତ୍ତେ ଶିବ ବା ମହାଦେବଙ୍କ ବିଜେ ପ୍ରତିମା ସ୍ଥାନ ପାଇଲେ। ଏହାପରେ ଯେତେବେଳେ ଉତ୍କଳୀୟ ରାଜା ବୈଷ୍ଣବ ଧର୍ମରେ ଅନୁପ୍ରାଣିତ ହେଲେ ସେତେବେଳେ ଶିବମୂର୍ତ୍ତି ସହିତ ଦୋଳଗୋବିନ୍ଦଙ୍କୁ ବିଜେ କରାଇ ତାଙ୍କ ପାର୍ଶ୍ୱଦେଶରେ ରୁକ୍ମିଣୀଙ୍କୁ ବସାଇଦେଲେ ଓ ରଥଟିର ନାମ ରୁକୁଣା ରଥ ଦେଲେ। ରୁକୁଣାରଥର ଦିଅଁମାନେ ରଥରୁ ଅବତରଣ କରି ରାମେଶ୍ୱର ମନ୍ଦିରରେ ଅବସ୍ଥାନ କରନ୍ତି। କଥିତ ଅଛି ଯେ ଯେଉଁ ସ୍ତ୍ରୀଲୋକମାନଙ୍କର କୌଣସି ପିଲାପିଲି ହେଉନାହାନ୍ତି ବା ପିଲାପିଲି ହୋଇ ମରିଯାଉଛନ୍ତି , ସେମାନେ ଅଶୋକାଷ୍ଟମୀ ପୂର୍ବଦିନ ଅଧିବାସ କରି ଅଶୋକାଷ୍ଟମୀ ପାହାନ୍ତାରେ ମରିଚିକୁଣ୍ଡର ଜଳପାନ କଲେ। ସେମାନଙ୍କର ପିଲାପିଲି ହୋଇଥାଏ ବା ପିଲା ମରନ୍ତି ନାହିଁ ।
ତଥ୍ୟାନୁଯାୟୀ ବସନ୍ତ ପଞ୍ଚମୀ ଦିନ ମନ୍ଦିରର ବାଉରୀ ସେବାକୁ ନୂତନ ବସ୍ତ୍ର ଦେଇ ରଥକାଠ ସଂଗ୍ରହ କରିବାକୁ ବରଣ କରାଯାଏ । ସେମାନେ ଶିବରାତ୍ରିର ଆଠ ଦିନ ପୂର୍ବରୁ ଜଙ୍ଗଲକୁ ଯାଇ ସେଠାରେ ରଥକାଠ ଚୟନ ପୂର୍ବକ ପୂଜାର୍ଚ୍ଚନା କରି ମନ୍ଦିରକୁ ଆଣନ୍ତି ଏବଂ ମହା ଶିବରାତ୍ରି ପରେ ରଥ କାମ ଆରମ୍ଭ ହୁଏ। ଏହି ରଥ ଚାରିଚକ ବିଶିଷ୍ଟ ହୋଇଥିବାବେଳେ ଏହାର ଉଚ୍ଚତା ୩୫ ଫୁଟ ହୋଇଥାଏ।। ରଥ ଉପରିସ୍ଥ ପତାକାରେ ଅର୍ଦ୍ଧଚନ୍ଦ୍ର ଚିହ୍ନ ଅଙ୍କିତ ହୋଇଥାଏ। ରଥର ଚାରିପାର୍ଶ୍ୱରେ ସୂର୍ଯ୍ୟ, ବରୁଣ, ଅଗ୍ନି, ଇନ୍ଦ୍ର, ଦୁର୍ଗା, ଶିବ, ଯମ ଓ କାର୍ତ୍ତିକେୟଙ୍କ ମୂର୍ତ୍ତି କାଠରେ ଖୋଦିତ ହୋଇଥାଏ। ରଥଯାତ୍ରା ପୂର୍ବ ଦିନ ପୁରୀରୁ ନିମନ୍ତ୍ରିତ ହୋଇ ଆସିଥିବା କ୍ଷେତ୍ରବାସୀ ବ୍ରାହ୍ମଣଙ୍କ ଦ୍ୱାରା ରଥ ମାର୍ଜନା ଓ ପବିତ୍ରିକରଣ କରାଯିବା ପରେ ରଥ ଶୀର୍ଷରେ ପତାକା ଖଞ୍ଜାଯାଇଥାଏ। ଏହାକୁ ନେତ ଉତ୍ସବ କୁହାଯାଏ।
ଅଶୋକାଷ୍ଟମୀ ଦିନ ପ୍ରାତଃ କାଳରେ ପ୍ରଥମେ ମନ୍ଦିରର ମଙ୍ଗଳ ଆଳତୀ, ସାହାଣ ମେଲା, ମହାସ୍ନାନ ଓ ଅନ୍ୟପୂଜା ଆଦି ସମାପନ ପରେ ପ୍ରଥମେ ରୁକୁଣାରଥକୁ ପୂଜା କରାଯାଏ। ରଥର ମଝିରେ ରୁକ୍ମିଣୀ, ଡାହାଣ ପାର୍ଶ୍ୱରେ ଚନ୍ଦ୍ରଶେଖର ଏବଂ ବାମ ପାର୍ଶ୍ୱରେ ବାସୁଦେବ ବିରାଜମାନ ହୁଅନ୍ତି। ଏହାପରେ ରଥଟଣା ଆରମ୍ଭ ହୋଇଥାଏ। ରଥଟଣା ସରିବା ପରେ ରଥ ଯାଇ ମାଉସୀମା’ ଛକ ନିକଟରେ ଥିବା ରାମେଶ୍ୱର ମନ୍ଦିରରେ ରହେ। ପ୍ରଭୁ ଲିଙ୍ଗରାଜ ସେଠାରେ ପାଞ୍ଚ ଦିନ ରହି ପୁନର୍ବାର ନିଜ ମନ୍ଦିରକୁ ବାହୁଡି ଆସନ୍ତି। ଅଶୋକାଷ୍ଟମୀ ଉତ୍ସବ ଭୁବନେଶ୍ୱର ସମେତ ନିରାକାରପୁର ନିକଟସ୍ଥ ଡିଆ ଗ୍ରାମର ଅଧୀଶ୍ୱର କପିଳେଶ୍ୱର ଓ ପୁରୀ ଜିଲ୍ଲାର ଷୋଳଶାସନ ଅର୍ନ୍ତଗତ ରାୟ ଚକ୍ରଧରପୁରର ନୀଳକଣ୍ଠେଶ୍ୱର ଦେବଙ୍କ ଉଦ୍ଦେଶ୍ୟରେ ମଧ୍ୟ ପାଳିତ ହୁଏ।।
ହିନ୍ଦୁ ଧର୍ମର ଦୁଇ ପ୍ରଧାନ ଗୋଷ୍ଠୀ ମଧ୍ଯରେ ବିଭେଦ ଏଡାଇ ଏକତ୍ୱ ଆଣିବା ପାଇଁ ତଥା ହରିହର ଭିନ୍ନ ନୁହଁନ୍ତି-ଏକ, ଏହା ପ୍ରମାଣିତ କରିବା ପାଇଁ ଅଶୋକାଷ୍ଟମୀର ରୁକୁଣା ରଥ ଆୟୋଜିତ। ରଥ ଯାତ୍ରା ବିଜୟ ଯାତ୍ରାର ପ୍ରତୀକ ତଥା ଜୀବନ ରଥର ପଥ ପ୍ରଦର୍ଶକ। ରଥ ଯାତ୍ରା ଓ ବାହୁଡା ଯାତ୍ରା ଜନ୍ମ ଓ ସ୍ବର୍ଗାରୋହଣର ସ୍ମୃତିଚାରଣ କରାଇ ମାନବକୁ ସତମାର୍ଗରେ ଗତି କରିବାକୁ ପ୍ରେରିତ କରେ। ଏହି ତିଥିରେ ଭାରତର ଅନ୍ୟ କୌଣସି ଶୈବପୀଠରେ ଯାତ୍ରା ପାଳନ ହେଉ ନଥିବାରୁ ଅଶୋକାଷ୍ଟମୀର ରଥଯାତ୍ରା ବିଶେଷ ମହତ୍ବପୂର୍ଣ୍ଣ ।
@ଚନ୍ଦ୍ରଶେଖରପୁର, ଭୁବନେଶ୍ବର।