ବୋତାମ୍
__________
ତୁମ ଅଲକ୍ଷ୍ୟରେ କିଛି ବୁନ୍ଦା ଭାବପ୍ରବଣତା
ଚୋରେଇ ଆଣିଛି ମୁଁ
ତୁମ ଛାତି ତଳ ହୃଦୟ ଭିତରୁ
ସାଇତି ରଖିଛି ମୋ କୁନି ହୃଦୟରେ,
ଭାରି ଭଲ ଲାଗେ
ଯେତେବେଳେ ତୁମ କ୍ୟାପ୍ ଆଉ ଟି-ସାର୍ଟ ପିନ୍ଧି
ଆଇନା ଆଗରେ ଛିଡ଼ା ହୁଏ
ଆଉ ନିଜକୁ ଡାକେ ତୁମ ନାଁ ରେ ।
ଭାରି ଇଚ୍ଛା ହୁଏ
ତୁମ ସାର୍ଟର ବୋତାମ୍ ଲଗେଇଦେବାକୁ
ବୋତାମ୍ ଛିଣ୍ଡିଗଲେ ସିଲେଇ କରି ଦେବାକୁ,
କିନ୍ତୁ ତୁମେ……..
ତୁମେ କୁହ, “ମୋର ଗୋଟେ ବି ବୋତାମ୍ ଥିବା ସାର୍ଟ ନାହିଁ,
ମୋତେ ଟି-ସାର୍ଟ ହିଁ ଭଲ ଲାଗେ ପିନ୍ଧିବାକୁ ।”
ବୋତାମ୍ ଯେମିତି ସାର୍ଟର ଦୁଇ ଭାଗକୁ ଯୋଡ଼ିଦିଏ
ଠିକ୍ ସେମିତି ତୁମେ ବି ମୋତେ ଯୋଡ଼ିଦେଲ
ମୋ ସ୍ଵପ୍ନ ସହ, ମୋ ଜୀବନ ସହ ଆଉ ନିଜ ଜୀବନ ସହ,
ମୋ ଜୀବନର ବିଛିନ୍ନ ଦୁଇ ପ୍ରାନ୍ତକୁ
ତୁମେ ହିଁ କରିପାରିଲ ସଂଯୁକ୍ତ
ମୋ ଆଖି ପୁଣି କାନ୍ଦିବା ଶିଖିଲା, ପୁଣି ଝରେଇଲା ଲୁହ ।
ସବୁବେଳେ ତୁମେ ମୋତେ କୁହ
“ତୁମ ରାଗ ଅଭିମାନକୁ ମୋର ଭାରି ଭୟ”,
କାହିଁକି କେଜାଣି
ଅଧିକାର ନ ଥାଇ ବି ଅଭିମାନ କରିଦିଏ ମୁଁ
ଜାଣିନି କେଉଁ ଦୃଢ଼ ବିଶ୍ଵାସ କରିଛି ତୁମକୁ ମୋ ହୃଦୟ ।
ଏମିତି ମୋ ଜୀବନର ଦୁଇ ଭଗ୍ନ ଅଂଶକୁ
ବୋତାମ୍ ଟିଏ ହୋଇ ଯୋଡ଼ି ରଖିଥାଅ,
ମୁଁ ବି ତୁମକୁ ଛିଣ୍ଡିବାକୁ ଦେବିନି
ବାନ୍ଧି ରଖିଥିବି ମୋ ଶ୍ରଦ୍ଧାର ସୂତାରେ
ଆଉ ହଁ,
ଭୁଲ୍ ରେ ବି କେବେ ଅଲଗା ହେବାକୁ ଚେଷ୍ଟା କରିବନି,
ମୁଁ ଜାଣେ ତୁମେ କରିବନି, କାରଣ…….
“ମୋ ଅଭିମାନକୁ ତୁମର ଭାରି ଭୟ ।”
ପ୍ରିୟଦର୍ଶିନୀ ମହାପାତ୍ର, ଗଞ୍ଜାମ
Priyadarshani Mahapatra
ସୁନ୍ଦର ଠାରୁ ବି ବହୁତ ସୁନ୍ଦର
ଅଶେଷ ଧନ୍ୟବାଦ ଭାଇ