ବୋତାମ
=====
ଝର୍କା ଖୋଲା ଥାଉ
ଯେମିତି ଖୋଲା ଅଛି
ମୋ ବୋତାମ ଛିଣ୍ଡା ସାର୍ଟ
ଆଉ ତତେ ଡାକୁଛି
ମୋ ଛାତିରେ ମୁଣ୍ଡ ଗେଞ୍ଜି
ଲମ୍ବା ନିଶ୍ୱାସ ଟିଏ ମାରିବାକୁ…
ସବୁ ଅନ୍ଧାର ଆଲୁଅ ହୁଏ
ମନ ମାଟିଦୀପ ହେଇ ଜଳେ
ତୁ ଛୋଟ ଛୁଞ୍ଚି ଧରି
ମୋ ଛିଡା ଶାର୍ଟରେ
ବୋତାମ ଗୁନ୍ଥିବା ଆରମ୍ଭକରୁ
ଅତି ଯତନରେ
ତୁ ତୋ କାନଫୁଲ ଖୋଲିଦେଉ
ହାତ ଚୁଡ଼ି ଖୋଲିଦେଉ
ପାଉଁଜି ଖୋଲିଦେଉ
ମୋ ଶାର୍ଟରେ
ବୋତାମ ଗୁନ୍ଥିବା ବାହାନାରେ
ତୁ ମୋ ଛାତିରେ
ଆଖି ବୁଜି ଲମ୍ବା ନିଶ୍ୱାସ ନେଉ
ମତେ ଜାବୁଡି ଧରି ହସୁ କାନ୍ଦୁ
ଆଉ ତୋ ହସ ଲୁହ ଦେଖୁଥାଏ
ତୁ ଗୁନ୍ଥିଥିବା ସେଇ ବୋତାମ ଟିଏ….
ବିଚିତ୍ରାନନ୍ଦ ଜେନା
ସେଣ୍ଢତୀରା, ବନ୍ତ, ଭଦ୍ରକ
9438466017
256 total views, 1 views today
Nice