ଅତୀତର ପଥେ
କାହିଁ ଚାଲିଗଲା କୋଉଠି ରହିଲା
ଦେଖିଚ କି କେହି କହିବ ତ୍ୱରିତ |
ମୋର ପରମ୍ପରା ମୋର ସେ ଅତୀତ
ଛାଡି ଚାଲିଗଲା ଅଭାଗାର ହାତ ||
ସାଧବ ବୋହୂର ମୁଣ୍ଡରେ ଓଢଣୀ
ପାଦରେ ଅଳତା କାହିଁ ଦେଖୁନାହିଁ |
ଆତ୍ମୀୟ ଜନଙ୍କ ମଙ୍ଗଳ ମନାସି
ବୃନ୍ଦାବତି ମୂଳେ ସଞ୍ଜ ଜାଳୁନାହିଁ ||
ବୋହୁ ମୋର ପିନ୍ଧେ କଟିଙ୍ଗ ପୋଷାକ
ବଦଳିଛି ତା’ର ବେଶଭୁଷା ବାକ୍ୟ |
ନୀତି ପରମ୍ପରା ସଂସ୍କାରକୁ ଭୁଲି
ଅନୀତି ବିଚାର କରଇ ଅଧିକ ||
ବିଉଟିପାର୍ଲରେ ହୁଅଇ ସଜେଇ
ଅଳତା ସିନ୍ଦୂର ଶଙ୍ଖା ଭୁଲିଯାଇ |
ଶାଶୁ ଶ୍ୱଶୁରଙ୍କ ସେବାରେ ସଂକୋଚ
ମୋର ସେ ଅତୀତ ଚାଲିଗଲା କାହିଁ ||
ଦୀପାବଳି ରଜ ହୋଲି କି ଚଇତି
ମାଣବସା ଦଶହରା ଓ ସାବିତ୍ରୀ |
ଖୁଦୁରୁକୁଣୀ କୁ ଦୁର୍ଗାପୂଜା ମେଢ଼
ଦୋଳପୂଜା ନୂଆଖାଇ ଶିବରାତ୍ରି ||
ଆରିଶା କାକରା ପୋଡପିଠା ପଣା
ଗଇଁଠା ଚକୁଳି ପୁଣି ଭାଙ୍ଗପଣା |
ମା ହାତ ପରଷା ପଡ଼ିଅଛି ଉଣା
ଅତୀତ କି ଆଜି ହେଲା ବାଟବଣା ||
କାହିଁଗଲା ମୋର ପିଲାବେଳ ଖେଳ
ଧୂଳିଖେଳ ବୋହୁଚୋରି ସାଙ୍ଗମେଳ |
ପୁଚିଖେଳ ବଣବୁଲା କୋଳିତୋଳା
ମନେପଡେ ଆଜି ବାଲିଘର ଖେଳ ||
କି ଆନନ୍ଦ ଲାଗେ ଡାହୁପୁଆ ନଟୁ
ଗୁଡ଼ିଉଡ଼ା ଆଉ ଚକଡା ଖେଳକୁ |
ମା ଝାଡିଦିଏ ମୋ ଧୂଳି ଦେହକୁ
ବାପାଙ୍କ ଆକଟ ମୋର ଦୁଷ୍ଟାମୀକୁ ||
ଭାଗବତ ଟୁଙ୍ଗୀ ଚାଟଶାଳୀ ପାଠ
ଆଖଡ଼ା ଘର ଯେ ହୋଇଲାଣି ନଷ୍ଟ |
ଜେଜେ ମା ଆଈ ଗପ ପେଢ଼ି କାହିଁ
ଖୋଜୁଛି ବିକଳେ ମନେ ପାଇ କଷ୍ଟ ||
ମୋ ମୁଣ୍ଡ ଆଉଁସି ମାଆ ଦିଏ ଶୋଇ
ଜେଜେ ଅଜା କାନ୍ଧେ ମେଳାରେ ବୁଲଇ |
ସେ ସ୍ମୃତି ସାଉଁଟି ପଡ଼ିଲାଣି ଥକି
ଆଧୁନି କରଣେ ଗଲା କିବା ଧୋଇ ||
ଭୁସୁଡ଼ି ଗଲାଣି ପ୍ରକୃତି ପ୍ରତିମା
ଆଧୁନି କରଣ ବଢାଏ ତା ସୀମା |
ନାନା ରଙ୍ଗେ ସାଜସଜା କୁ ସଜେଇ
ମୋ ଅତୀତ ପଥ କରାଏ କି ଧିମା ||
ମୋ ଅତୀତ କାନ୍ତି କେତେ ଯେ ନିର୍ମଳ
ପ୍ରେମ ଭକ୍ତି ଶ୍ରଦ୍ଧା ମନେ କରେ ଠୁଳ |
ସଂସ୍କାର ସଭ୍ୟତା ସ୍ୱଚ୍ଛ ପରିବେଶ
ସତପଥେ ଚାଲିବା ପାଇଁ ଦିଏ ବଳ ||
ଆଜିବି ଖୋଜୁଛି ମୋ ଅତୀତ ଶୋଭା
ଭାତୃଭଗ୍ନି ଭାବ ବନ୍ଧନ ପ୍ରତିଭା |
କେ ଜାଣିଛ କହ କେଣେ ଗଲା ଚାଲି
ଦେଖିଲେ କହିବ ଖୋଜୁଛି ଅଭାଗା ||
🙏 ପ୍ରତାପ କେଶରୀ ବେହେରା 🙏
ଠିକଣା :- ମୋଟ ,ବ୍ରହ୍ମଗିରୀ , ପୁରୀ