ସାଧୁଙ୍କ ଲକ୍ଷଣ
ଶୁଣ ଵିଜ୍ଞ ଜନ,ଏ ସାଧୁ ଲକ୍ଷଣ
ସୂର୍ଯ୍ୟୋଦୟ ପୂର୍ବୁ ଉଠ,
ସ୍ନାନ ଶୈ।ଚ ଆଦି, ସମାପ୍ତ କରହେ
ଦୂର ହେବ ରୋଗ କଷ୍ଟ।
ଛାଡ ଆଳସ୍ୟ ପଣ,
ଋଷି ମହାଋଷିଙ୍କ ଵଚନ।1
ଦେବଭୂମି ଏହି,ଭାରତ ବର୍ଷରେ
ଜନମ ନେଇଛୁ ତୁହି,
କେତେ ପୁଣ୍ୟ ଫଳେ,ଏ ମହୀ ମଣ୍ଡଳେ
ଜନ୍ମ ଦେଲେ ଭାବଗ୍ରାହୀ,
ଵାଵୁ ତାହାଙ୍କୁ ଚିହ୍ନ,
ହୃଦେ ବସିଛନ୍ତି ନାରାୟଣ।2
ଯାହା କରୁଥିଵୁ,ତାହାଙ୍କୁ ଭଜିଵୁ
ଚିତ୍ତେ ରଖି ଦୟା ଧର୍ମ,
ସତ୍ୟ ପଥେ ଚଳ, ତା ନାମ ସୁମର
ସେ ପରା ଚକାନୟନ,
ଏଠି ଅଢେ଼ଇ ଦିନ,
କିଛି ନ ନେଵୁରେ ବାପ ଧନ।3
ଦୁର୍ଲଭ ଶରୀର, ଦୁର୍ଲଭ ଜୀବନ
ଦୁର୍ଲଭ ଏ ମର୍ତ୍ତ୍ୟ ପୁର,
କିଏବା କହିଵ, ମିଳିବ କି ନାହିଁ
କର୍ମ ଘେନି ହେବ ସ୍ଥିର,
ସତ କର୍ମରେ ଧ୍ୟାନ,
ଦିଅ ଦିଅ ଆହେ ସାଧୁ ଜନ।4
କେତେ ଆସିଲେଣି, କେତେଯେ ଗଲେଣି
ହିସାବ କେ ରଖି ନାହିଁ,
ମାୟା ମରୀଚିକା,ଏଠି ପ୍ରହେଳିକା
ସହଜେ ଟାଣି ନିଅଇ,
ଦୃଢ଼ କର ତୁ ମନ,
ତୋର ହୃଦେ ଅଛି ଦିବ୍ୟ ଜ୍ଞାନ।5
ଦେଇ ଥିଲେ ପାଇ,ମନେ ରଖ ଭାଇ
ପଥକୁ ସଙ୍ଖାଳୀ ହେବ,
ଆସିଥିଲୁ ଏକା,ଯିବୁ ଏକା ଏକା
ସାଥିରେ କେହି ନ ଥିବ,
ସବୁ ମାୟା ଭିଆଣ,
ଦିନେ ଛାଡି ଯିବ ପିଣ୍ଡୁ ପ୍ରାଣ।6
ସଭିଙ୍କ ଦେହରେ, ଇଶ୍ୱର ଅଛନ୍ତି
କାହାକୁ ନ ମଣ ହୀନ,
କେହି ବଡ ନୁହେଁ,କେହି ଛୋଟ ନୁହେଁ
ସଭିଏଁ ବିଭୁ ସନ୍ତାନ,
ତାଙ୍କ ଦୟାରେ ଜନ୍ମ,
ତାଙ୍କ ଦୟାରେ ପୁଣି ପ୍ରସ୍ଥାନ।7
ସାଧୁଙ୍କ ଲକ୍ଷଣ, ଇଶ୍ୱରଙ୍କୁ ଭକ୍ତି
ସୁଖ ଅଵା ଦୁଃଖ ବେଳେ,
ଅସାଧୁ ଲକ୍ଷଣ,ନିନ୍ଦା ଅପକର୍ମ
କରିଥାନ୍ତି ଏ ଶୟଳେ,
ହୃଦେ ବିଭୁ ଚିନ୍ତନ,
ତୁଣ୍ଡେ କର ନାମ ଉଚ୍ଚାରଣ।8
ଚିତା ଚଇତନ,ଗେରୁଆ ବସନ
ପିନ୍ଧିଲେ ହୁଏନା ସାଧୁ,
ଆଚାର ମଧୁର, ବିଚାର ମଧୁର
ତୁଣ୍ଡରେ ବଚନ ମଧୁ,
ହିଂସା କ୍ରୋଧ ବର୍ଜନ,
ଏହା ପ୍ରକୃତ ସାଧୁ ଲକ୍ଷଣ।9
ଅଶୋକ କୁମାର ପତି
ଦହିଗାଁ