ଅତୁଠ ପଥର
କେଡ଼େ ହୀନିମାନ ହଉଛୁ କହିଲୁ
ପଡ଼ିଛୁ ସେଇ ଅତୁଠରେ ହେବଣି ପାଞ୍ଚ ପୁରୁଷ
ତୋ’ର କୋଉ ମନେ ଥିବ
କିଏ ଥୋଇଥିଲା ଏଠି ତୋତେ ଆଣି
ଗାଁ ପାଖ ପାହାଡ଼ ଛାତିରୁ
ତୋ ଜନ୍ମ ପାହାଡ଼ଟା ତ ଦିଶେନି ଏବେ
ମିଶିଯାଇଥିବେ ତୋ ଭାଇ ସହୋଦର
ଗାଁ ମାଟିରେ କି ଇଟାଭାଟିରେ
ନହେଲେ କା’ ପକ୍କା ଘରେ
ସତ୍ତା ଯା’ ତୁ ରହିଯାଇଛୁ ଏକା
ବଖାଣିବାକୁ ତୋ ଇତିହାସ କା’ରେ
କିଏ ଶୁଣିବ ତୋ ଐତିହ୍ୟର
ଦୁଃଖସୁଖ, ଭଲମନ୍ଦ, ହସକାନ୍ଦର କାହାଣୀ ଏବେ
ହଁ ଏବେ ତୁ ଦଳିହେଉ
ସେମାନଙ୍କ ଗୋଡ଼ରେ
ସେଇ ଶୁଦ୍ଧିକ୍ରିୟା କର୍ମକାଣ୍ଡ ବେଳେ ଯା’
ଚେଷ୍ଟା କରୁ ଉତାରିବାକୁ ହୃଦ ତଳର କଥା
ଦେଖେଇଦେଉ ଦୋ ସନ୍ଧିରେ ଲାଗିଥିବା
ଭୁଆସୁଣୀ ପାଦର ଅବଶିଷ୍ଟ ଅଳତା ଦାଗ
କେବେ ଯେ ଥିଲୁ ତୁଠ ପଥରଟେ
ପୁରୁଷେ କି ଦି’ପୁରଷ
ନହେଲେ ତିନି ପୁରୁଷ ଆଗରୁ
ଝୁମୁଥିଲୁ ପୁରୁଖା ଦାଦି,ଗୋଷାପ
ଗାଁ ଝିଅ ବୋହୂଙ୍କ କଳରବରେ
ହା…ପୁରୁଷ ବଦଳିଛି
ଶତାବ୍ଦୀ ବଦଳିଛି
ଯୁଗ ବି ବଦଳିଛି
ତୋ ବାହୁନିବା ପବନରେ ମିଳାଏ ସିନା
ଅପହଞ୍ଚ ଆଜିର ନୂଆ ମଣିଷଙ୍କ ଠି
ତୁ ଟା ତୁଚ୍ଛା ଅତୁଠ ପଥର ଟେ ପା…
ଜୁମର ନାଥ ପାତ୍ର
ବାଲେଶ୍ଵର