ଆସୁଛି ମକର
ଜଗନ୍ନାଥ ଦେଶ ଓଡିଶା
ପାଳେ ବିଭିନ୍ନ ପର୍ବ,
ତନ୍ମଧ୍ୟରେ ସାର ମକର
ସଂକରାନ୍ତିଟି ଆଗ ।
ଏହି ଦିନ ହୁଏ ସୂର୍ଯ୍ୟଙ୍କ
ଉତ୍ତରାୟଣ ଗତି ,
ଚୌରାଶି ବେଶରେ ସଜ୍ଜିତ
ହୋଇଥାନ୍ତି ଶ୍ରୀପତି ।
ମକର ଚୂଡାଟି ଲାଗଇ
ଜଗନ୍ନାଥ ମସ୍ତକେ,
ମକର ଚାଉଳ ପ୍ରସ୍ତୁତ
ଭୋଗ ଲାଗେ ସମୀପେ ।
ଘରେ ଘରେ ହୁଏ ମକର
ଭୋଗ ଅତି ସୁସ୍ୱାଦି ,
ବତୁରା ଅରୁଆ ଚାଉଳ
ସାଥେ ଫଳ ନାନାଦି ।
ଛେନା ଗୁଡ କ୍ଷୀର ଓ ଆଖୁ
ତହିଁ ହୁଏ ମିଶ୍ରଣ ,
ଅଦା ଗୁଜୁରାତି ଇତ୍ୟାଦି
ସ୍ୱାଦ ବଢାଏ ପୁଣ ।
ସ୍ନେହ ପ୍ରେମ ମୈତ୍ରୀ ଭାବନା
ଯେଣୁଁ ସଭିଙ୍କ ମର୍ମେ ,
ସଂପୂର୍ଣ୍ଣ ଭାରତ ଏ ପର୍ବ
ପାଳେ ବିଭିନ୍ନ ନାମେ ।
ବନ୍ଧୁ ବର୍ଗ ସହ ପଡୋଶୀ
ମଧ୍ୟେ ବିତରି ଭୋଗ ,
ପରସ୍ପର କରୁ ସୁଦୃଢ
ପ୍ରେମ ଓ ଅନୁରାଗ ।
କୁଞ୍ଜ ବିହାରୀ ଦଳାଇ
ସିଂଲା
ବାଲେଶ୍ଵର ।