ସ୍ଵପ୍ନ ଆସେ ଲୋ ଝରି
ସ୍ଵପ୍ନ ଆସେ ଲୋ ଝରି
ଡେଣା ଲାଗେ ଲୋ ପରୀ
ଉଡିବାକୁ ଦେଖିବାକୁ ଅନନ୍ତପୁରୀ ।
ଗଜୁରିବା ସ୍ଵପ୍ନ କେବେ ଅଧୁରା ହୁଏ
ସୁନା ଡେଣା ଚୁନା ହୁଏ କୂଳ ନ ପାଏ
ମନପକ୍ଷୀ ଘୁରି ଦେଖେ ଖାଲି ଭଉଁରୀ ।
ସ୍ଵପ୍ନ …..
ନାରୀ ତୁ ଲୋ ଆଖିଲୁହ ପିଇବା ମନା
ଝରେଇବା ମନା ପୁଣି ଢାଳିବା ମନା
ମନର ବେଦନା ମନେ ଦେଉ ଲୋ ମାରି ।
ସ୍ଵପ୍ନ……
କଣ୍ଟାର ବାଟରେ ଯିବା ହୁଏ ବାରଣ
ଫୁଲଶେଯେ ବତାଇବୁ ସବୁ କାରଣ
କୁରୂପେ ମରିବୁ ପୁଣି ରୂପେ ବଇରୀ ।
ସ୍ଵପ୍ନ……..
ରକତେ ଭିଜାଇ ଦେବୁ ତନୁକୁ ତୋର
ମାଗିବୁନି ରକ୍ତ ମୂଲ୍ୟ ତୋ ଅଧିକାର
ଝୁଲିଝୁଲି ଚାଲେ ତୋର ଜୀବନ ତରୀ ।
ସ୍ଵପ୍ନ……..
ତ୍ୟାଗ ପାଇଁ ତୋ ଜନମ ଏହା କି ସତ
ଭୋଗ ପାଇଁ କାହିଁ ନୁହଁ କହିବୁ ମିତ
ଉଡିଯିବୁ ଛାଡି ଦିନେ ସପନପୁରି ।
ସ୍ଵପ୍ନ…….
ଜ୍ୟୋତ୍ସ୍ନା ରାଣୀ ଦେବୀ
ବ୍ରହ୍ମପୁର, ଗଂଜାମ