#ପ୍ରୀତିମେଧ_ଯଜ୍ଞ
ସୂର୍ଯ୍ୟ ଯେତେବେଳେ ସମୁଦ୍ର ମଧ୍ୟରେ
କରୁଥାଆନ୍ତି ସିନାନ
ଝର୍କାରୁ ପଶିଆସେ ନିଷିଦ୍ଧ ଇଲାକାର
ହେମାଳ ପବନ
ଦେହର ଚମଡା ଟାଣ ହୋଇଯାଏ
ଆଖିବି ଛଳ ଛଳେଇ ଯାଆନ୍ତି
ତୁମପରି ନିର୍ମୂଳି ପରଭୋଜି ମଲାଙ୍ଗ କଥା ଭାବି
ଯିଏ ଆଶା ଗଛର ରସପିଏ
ନିଶାରେ ଫୁଲେଇ ହେବାର ଅଭିନୟ କରେ।।
ହଁ ତୁମେ କରିପାର ଅଭିମାନ ମୋ ଉପରେ
ମୋର କିଛି ଯାଏ ଆସେ ନାହିଁ
ତୁମ ବିହୁନେ ଅବଚେତନ ମନର କ୍ଷୀଣ ଭାବନାର
ସୂତା ଖିଅଟାକୁ ମଜବୁତ କରି ସାରିଲିଣି
କେଉଁକାଳୁ……..
ତୁମେ କଣ ଭାବିଥିଲ ସ୍ୱ ସାମର୍ଥ୍ୟରେ
ମୋତେ ଏକାକାର କରିଦେବା ପରେ
ଅନ୍ୟମନସ୍କ ତାରେ ଆତ୍ମାହୂତି ଦେଇଥାନ୍ତି
ତୁମ ସେହି ପ୍ରୀତିମେଧ ଯଜ୍ଞରେ
ବ୍ୟର୍ଥ ପ୍ରେମିକ ଟେ ସାଜି….
ତୁମେ ଖାଲି ଏକା ନୁହଁ ତୁମ ଜାତିଟା ତ ଗୋଟାଏ ମାୟା
ପିନ୍ଧାଇ ପାର ମାୟାବିନୀ ରାତ୍ରିରେ
ନୀଳ ଉତ୍ତରୀୟ
ତୁମେ ଏବେ ଯେଉଁଠି ଥାଅ ନା କାହିଁକି
ଥରେ ଆସି ଦେଖିଯାଅ
ତୁମେ ପୋଡିଥିବା ଅଧପୋଡା ମନରେ
ଗୁଜୁରୁଛି କଅଁଳ ଘାସ
ଛେଉଣ୍ଡ ଆମ୍ଭ ଡାହିରେ
ମୁକୁଳ ମୁହାଁଶ।
ମୁଁ ତ ପ୍ରସ୍ତୁତ କରୁଥିଲି ନିଜକୁ
ସଂସ୍କୃତି ଓ ଆର୍ଯ୍ୟ ନୀତିର ଲକ୍ଷ୍ମଣ ଗାର ଡେଇଁ
ସଂସାର ଜାକର
ଛି- ଛାକର, ଟାହି- ଟାପରା, ନାକ ଟେକା
ଏସବୁକୁ ସହିବାକୁ
ହେଲେ ତୁମେ କଣ କଲ
ମନର ଦରଜା ଖୋଲି କେଉଁ ଏକ ଛଦ୍ମବେଶୀ
ତପସ୍ୱୀ ର ମାୟାଜାଲରେ ଆବଦ୍ଧ ହୋଇଗଲ
ମୁଁ ତ ସାଧାରଣ ମଣିଷ ଟିଏ
ଅକୁହା ଯନ୍ତ୍ରଣା ସବୁକୁ କାହା ଆଗେ
ବଖାଣି ନପାରି ତୁମ ସହିତ ଯୋଡି ହୋଇଥିବା
ସବୁ ସ୍ମୃତି ଆଉ ବିସ୍ମୃତିକୁ
ଦୁର୍ବାର ଇଚ୍ଛା ଶକ୍ତି ନେଇ
ପୂର୍ଣ୍ଣାହୁତି ଦେଉଛି ତୁମେ ଭିଆଇ ଥିବା
ସେହି ପ୍ରୀତି ମେଧ ଯଜ୍ଞରେ……
ମନୋଜ କୁମାର ପଣ୍ଡା
ସଚିବ , ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ