*ବିଦ୍ୟାଳୟ*
*********
ଅରୁଣ କୁମାର ମହାପାତ୍ର
**************
ଶିଶୁର ଜୀବନ ଏଠି ହୁଅଇ ମାର୍ଜିତ
ଗଢି ଉଠେ ଇମାରତ ସୁଖ ଭବିଷ୍ୟତ
ବିଦ୍ୟାଳୟ ନାମ ତାର
ମିଳେ ଏଠି ଉନ୍ନତ ଆଚାର ବ୍ୟବହାର।
ଦେଖ ଆଜି ହୋଇ ଉଠେ ସେ ଚଳ ଚଞ୍ଚଳ
ସବୁଆଡେ ଆନନ୍ଦରେ ଶୁଭେ କୋଳାହଳ
ବିଦ୍ୟାଳୟ ଆମ ଏହି
ଗଣପତି ଉଭା ଧରି ବିଦ୍ୟାର ମଣୋହି।
ଗୁରୁ ସେବା ଗୁରୁ ପୂଜା ଗୁରୁ ଆଶୀର୍ବାଦ
ଜୀବନରେ ଥିଲେ ଭଲେ ନପଡେ ପ୍ରମାଦ
ବିଦ୍ୟାଳୟ ଶିକ୍ଷା ଗୃହ
ସେଠାରେ ପ୍ରବେଶି ଶିକ୍ଷା ହୁଅଇ ସଂଗ୍ରହ।
ଗୁରୁକୁଳ ବିଦ୍ୟାଳୟ ଶୃଙ୍ଖଳାରେ ବନ୍ଧା
ନୀତି ନିୟମ ସମ୍ପନ୍ନ ସର୍ବ କର୍ମ ଧନ୍ଦା
ଥିଲା ଦଣ୍ଡର ବିଧାନ
ବିଶୃଙ୍ଖଳା ପାଇଁ ତିଳେ ମାତ୍ର ନାହିଁ ସ୍ଥାନ।
ଗୁରୁକୁଳ ପରମ୍ପରା ବିଧି ଅନୁସାରେ
ସଂସ୍କାର ମିଳଇ ପାଠ ପଢା ସହିତରେ
ଆଜି ପରା ବିଦ୍ୟାଳୟ
ଶିକ୍ଷା କମ୍ ମିଳେ ଏଠି ବିଳାସ ସମୟ।
ଥିଲା ଦିନେ ବିଦ୍ୟାଳୟ ମନ୍ଦିର ସଦୃଶ
ଆଜି ପିଲା ବୁଲୁଛନ୍ତି ଶିକ୍ଷା ଲାଗେ ବିଷ
ଅପ୍ରତ୍ୟୟ ଗୁରୁ ଭକ୍ତି
ଉପାସନା ଶବ୍ଦ କ୍ଷଣେ ନ ହୁଅଇ ପ୍ରାପ୍ତି।
****************