*ଶରତ ଅନୁଚିନ୍ତା*
***********************
ସୀମାଞ୍ଚଳ ପଣ୍ଡା
***********
ଶରତ ସଂପ୍ରତି ବଢ଼ାଏ ସଂପ୍ରୀତି
ଏବେ ନାହିଁ ଆଉ ବରଷା କାହିଁ,
ଏ ବେଳେ ସଂସାର ଆଣିବି ସଂସ୍କାର
ସରଗ ଶୋଭାରେ ତୋଷିବି ମହୀ!
ନିର୍ମାଣିବି ମର୍ତ୍ତ୍ୟ ସରଗ ସ୍ଵୀକୃତ
ରୂପ ରଙ୍ଗ ରସେ ଭରସା ରହି,
ଜଗତରେ ଶୋଭା ନିର୍ମଳର ଆଭା
ପଥ ପ୍ରାନ୍ତେ ତରୁ ପଲ୍ଲବେ ଶୋହି,
ଜହ୍ନ ତାରା ମେଳ ଅମ୍ବର ନିର୍ମଳ
ଜ୍ୟୋତି ବିରାଜିବ ରାତିକୁ ଚାହିଁ,
ଶରତ ସଂପ୍ରତି ବଢ଼ାଏ ସଂପ୍ରୀତି
ଏବେ ନାହିଁ ଆଉ ବରଷା କାହିଁ।
କାଶତଣ୍ଡୀ ଫୁଲ ଡଉଲ ଡାଉଲ
ସରିତେ ଧାମନ୍ତେ ସ୍ୱଚ୍ଛ ସଲୀଳେ,
ଉଡ଼ନ୍ତି ଗଗନେ ସରେ ଭାସମାନେ
ବିହଙ୍ଗେ ସୁରଙ୍ଗେ ସଦଳ ବଳେ,
ଉଷା କି ପ୍ରଦୋଷ ପ୍ରକୃତି ପ୍ରକାଶ
ହୀରଣ୍ମୟ ରୂପ ହୃଦୟ ହରେ,
ସବୁଜ କେଦାର ଶସ୍ୟର ଲହର
ଶୀତଳ ସମୀରେ ରୋମାଞ୍ଚ ଭରେ,
କୁମୁଦ କମଳ, କୁସୁମିତ କାଳ
ଗଙ୍ଗ ଶିଉଳୀର ସୁବାସ ଦେଇ,
ଏ ବେଳେ ସଂସାର ଆଣିବି ସଂସ୍କାର
ସରଗ ଶୋଭାରେ ତୋଷିବି ମହୀ।
ପୂଜା ପରବରେ ଭୋଜି ଉତ୍ସବରେ
ବିମଳ ଋତୁରେ ନିର୍ମଳ ମନ,
ଶରତର ବ୍ରତ ସଂସାରର ହିତ
କରିବ ସାଧନ ହେବ ପ୍ରସନ୍ନ!
*********************