*ଖୋଲା ଆକାଶର ଖୁସି*
ନୀହାରିକା ପଣ୍ଡା
ପ୍ରୀତି ଜୋଛନାରେ ବିଭୋର ସେ ଜହ୍ନ
ପୂର୍ଣ୍ଣିମାରେ ହସିହସି
ଅନ୍ଧକାର ରାତି ଜୀବନ ଅରାତି
ଜହ୍ନର ଜୀବନୀ ଖୁସି।
କଳଙ୍କକୁ କୋଳେ ଧାରଣ କରି ସେ
ଶଶାଙ୍କ ସୁଖ ପସରା
ସୁଶୀତଳ ଜ୍ୟୋତି ଜୀବନ ଆସରା
ଏଇ ସସାଗରା ଧରା।
ଉଜ୍ଜ୍ୱଳ ଆକାଶ ଆଲୋକବର୍ତ୍ତିକା
କୁଆଁର ପୁନେଇ ଜହ୍ନ
କୁଆଁରୀ ମନର ପୀରତି ବେଭାର
ଛନଛନ ଛାତି ମନ।
ଉଦାସୀ ଆଖିରେ ଅଞ୍ଜନ ବୋଳି ସେ
ଜାତ କରେ ସୁଖସ୍ୱପ୍ନ
ସୂର୍ଯ୍ୟ ଓ ଚନ୍ଦନ ଠାରୁ ସେ ଶୀତଳ
ସୌନ୍ଦର୍ଯ୍ୟଶାଳିନୀ ମାନ।
ରାତିରେ ଆଲୋକ ବିଛାଇ ସେ କହେ
ପ୍ରୀତି କଥା ପ୍ରିୟା ମନେ
ପ୍ରେମିକ ପ୍ରାଣରେ ପ୍ରୀତିର ସଞ୍ଚାର
ସେହି ଜହ୍ନ ଆଗମନେ।
ଛପି ଛପି ଆସେ ମନ ଅଗଣାରେ
ଖୋଲା ଆକାଶର ଖୁସି
ପ୍ରୀତି ଜୋଛନାରେ ଭିଜାଇବା ଧର୍ମ
ରୂପେଲି ଜହ୍ନର ବେଶି।
ରାକମା, ଭାପୁର, ନୟାଗଡ଼