କବିତା
ବନଲତା ଜାଲି
ବାଣୀ ଭଣ୍ଡାରର ମହାରାଣୀ ତୁମେ
ସାହିତ୍ୟ ରାଜ କୁମାରୀ
କବି ହୃଦୟର ମାନିନୀ ରୂପସୀ
ପାଠକର ତୃଷ୍ଣା ବାରି ।।
ଭାବ ସମୁଦ୍ରର ନୀଳ ଉର୍ମିମାଳା
ଭାବନାର ସ୍ରୋତସିନୀ
ଭାଷା ରମଣୀର ରତ୍ନ ଅଳଙ୍କାର
ଭାବୁକର ସୀମନ୍ତିନୀ ।।
ଅକୁହା କଥାର କଥାମୁଣୀ ତୁମେ
ସ୍ବର,ତାଳେ ଝଙ୍କୁରିତ
ରାଗ ରାଗିଣୀର ଚପଳା ଝରଣା
ଶବ୍ଦ ଗୁଚ୍ଛେ ନିନାଦିତ ।।
କାବ୍ୟ ଲଳନାର ଲାବଣ୍ଯ ପିତୁଳା
ଉପମାରେ ସୁସଜ୍ଜିତା
ସୌନ୍ଦର୍ଯ୍ୟ କାନନେ ଅନ୍ତଃ ସ୍ବର ଧ୍ବନି
ସାଧନରେ ନିମଜ୍ଜିତା ।।
କଟାକ୍ଷ ଚାହାଣୀ ଲାସ୍ଯମୟୀ ଠାଣି
ଅଙ୍ଗେ ସାମାଜିକ ବାର୍ତ୍ତା
ରମ୍ଯ ରଚନାର ଚାରୁ ମୁଖଶାଳା
ପ୍ରକୃତି ଗାନେ ଶୋଭିତା ।।
କାବ୍ୟ ସାମ୍ରାଜ୍ୟର ସୁଶ୍ରୀ ନୃତ୍ୟଙ୍ଗନା
କାହାଣୀର ପଟ୍ଟଚିତ୍ର
ହୃଦୟ ତନ୍ତ୍ରୀରେ ବୀଣାର ମୂର୍ଚ୍ଛନା
ସାତସୁରେ ଗୁଞ୍ଜରିତ ।।
ଜ୍ଞାନ ଉଦ୍ଯାନର ପାରିଜାତ ପୁଷ୍ପ
ଚେତନା ମେଘ ମଲ୍ଲାର
ଚିତ୍ତ ଅବସାଦେ ବିନୋଦିନୀ କନ୍ଯା
ସଙ୍ଗୀତ ଶ୍ରାବଣୀ ଝର ।।
ନବ ସୃଜନୀର ସୁନେଲି କିରଣ
ଆଲେଖ୍ଯରେ ରୁଦ୍ଦିମନ୍ତ
ପଥହୁଡା ଅଜ୍ଞାନର ଧ୍ରୁବତାରା
ସ୍ରଷ୍ଟାର ନବ ଦିଗନ୍ତ ।।
କୃଷ୍ଣ ପ୍ରସାଦ,ପୁରୀ ।।
ବହୁତ ସୁନ୍ଦର ବର୍ଣ୍ଣନା ଏବଂ ଭାରି ମନ ଛୁଆଁ କବିତା ବହୁତ ବହୁତ ଶୁଭକାମନା ଜଣାଉଛି ଆହୁରି ଏମିତି ନୂତନ ସୃଷ୍ଟି କରନ୍ତୁ ଆମେ ପଢି ଆନନ୍ଦ ଲାଭ କରିବୁ।ଜୟ ଜଗନ୍ନାଥ