*ତୁମେ ଗଢିଛ ଏ ସୁନାର ସଂସାର*
ତୁମେ ଗଢିଛ ଏ ସୁନାର ସଂସାର
ସୌନ୍ଦର୍ଯ୍ୟ ସୁରଭି ଦେଇ
ପ୍ରଜାପତି ଦେହେ ମାଖିଅଛ ରଙ୍ଗ
ତାହା ସେ କି ଜାଣିଥାଇ?
ନୀଳ ଆକାଶରେ ନୀଳିମା ଭରିଛ
ଚିକିମିକି ତାରା ସହ
ଧରା ଗାଲିଚାର ଶେଯ ପାରିଅଛ
ବିଶ୍ରାମ ପାଇଁ କି ଦେହ।
ନୀଳ ସାଗରର ନୀଳିମା ବକ୍ଷରେ
ସଲିଳ ଭାଙ୍ଗଇ ଢେଉ
ଓଠର ଧାରରେ ଆଖିର କୋଣରେ
ହସ ଲୁହ ଘର ହେଉ।
ସୁଖ ଦୁଃଖ ଭରା ଜୀବନ ଜଞ୍ଜାଳ
ଉଠା ପକା ଖେଳ ତୁମ
ସକାଳରୁ ସଞ୍ଜ ଖଞ୍ଜି ଦେଇଅଛ
କର୍ତ୍ତବ୍ୟ ପାଳନ ଧର୍ମ ।
ହେ ବିଶ୍ବବିନ୍ଧାଣୀ ନିଃଶ୍ବାସକୁ ପରା
ବିଶ୍ବାସ ଟିକିଏ ନାହିଁ
ଏଇ ଅଛି ଏଇ ନାହିଁର ଜୀବନେ
ମାୟାର ଜାଲ ବିଛାଇ।
ମନକୁ ସଜାଇ ବେଗଗାମୀ ଅଶ୍ୱ
ବିବେକ ଲଗାମ ଦେଇ
ବ୍ୟକ୍ତିତ୍ୱ ବଚନ ଅତି ତାରତମ୍ୟ
ଜଗତ ଜନଙ୍କ ପାଇଁ ।
ବିସ୍ମୟ ବିଚିତ୍ର ତୁମର ସର୍ଜନା
କଳନା ତୁଳନା ନାହିଁ
କାହାକୁ କେମିତି ରଖି ଏ ଧରଣୀ
ସୃଷ୍ଟି ସନ୍ତୁଳନ ସାଇଁ।
ଜଳ -ସ୍ଥଳ -ବାୟୁ ଭିତରେ ଭରିଛ
ଖାଦ୍ୟ- ବସ୍ତ୍ର -ବାସଗୃହ
ଅନେକ ଆଶାର କିରଣ ବୁଣିଛ
ବିଦ୍ୟା ଧର୍ମ ଧନ ସହ।
ତୁମେ ଗଢିଛ ଏ ସୁନାର ସଂସାର
ନିଜସ୍ୱ ନିଷ୍ପତ୍ତି ନେଇ
ନିଜକୁ ନିଜେ ହିଁ ଭଲ ପାଇବାର
ଭାବପ୍ରବଣତା ଦେଇ।
ନୀହାରିକା ପଣ୍ଡା
ରାକମା, ଭାପୁର, ନୟାଗଡ଼