*ଫେରନ୍ତା କି ଶୈଶବ*
ବେଳେ ବେଳେ ମନେହୁଏ
ସାତ ସମୁଦ୍ର ତେର ନଇ ଡେଇଁ
ଶୈଶବର କମନୀୟ ଚପଳାମି
ନମନୀୟ ମୂର୍ତ୍ତିର ପ୍ରଲୁବ୍ଧ ପିଲାଳିଆମି
ଏଠି ସେଠି ସବୁଠି ଖୋଜି ବୁଲୁଥାନ୍ତି….
ହେଲେ ଶୈଶବର ସବୁ ବାଲ୍ୟ ଚପଳାମି
ଆଜି ମୋଠୁ ଅପହଞ୍ଚ ଇଲାକାରେ
ସେ ଆଉ କେବେ ବି ଫେରିବନି।
ପ୍ରଶ୍ନବାଚୀ
ମୋର ତ ତାହା ସହ କେବେ କିଛି ନାହିଁ ଦୁଷ୍ମନି।
କାହିଁ ସେ କଅଁଳ ତରଳ ମନ,
ପ୍ରଜାପତି ପଛେ ପଛେ ଗୋଡାଣିଆର ଦିନ,
ଢେର୍ ବେଶି ଏକଜିଦିଆ ପଣ;
ଚକୋବାର, ଲଲିପପ୍ ସହ କିଛି ଖେଳଣା କିବା କଣ୍ଢେଇରେ ବୁଝିଯିବାର କ୍ଷଣ?
ସତରେ ସେ ଦିନ ଥିଲା-
ସରଳ ମାନସାଙ୍କର ଅଙ୍କକଷା ବେଳ
ଗାଁ ଦାଣ୍ଡରେ ମିଛିମିଛିକା ବାଗୁଡି- ବୋହୁଚୋରୀ ଖେଳର ସାଙ୍ଗମେଳ
ଯେତେ ଖୋଜିଲେ ଯେତେ ଇଚ୍ଛା କଲେ ସେ ପରା ଅଫେରା
ଫେରିବନି ଫେରିବନି ମନାକଲା ତେଣୁ ଆଜିପାଇଁ ସେ ଡହ ଡହ ତାତିଭରା।
ସେ କେବଳ ଦେଇଛି ଇଶାରା
ଆଗରେ ରହିଛି ଲମ୍ବା ଭବିଷ୍ୟତ
ମୁଁ ମୁଁ ମୁଁ ଶୈଶବ ଏବେ ହିଁ କେବଳ ଅତୀତ
ଅଫେରା ସ୍ୱପ୍ନର ସାଉଁଟା ସ୍ମୃତି ତ।
ଜାଣିଛି ଅଣଲେଉଟା ସେ
ହେଲେ ଫେରନ୍ତା କି ଶୈଶବ କୁଆଁର ପୁନେଇ ଜହ୍ନର ଶୀତଳ ଜ୍ୟୋତ୍ସ୍ନାରେ……
କିଛି ସୁଖ ସଂପର୍କର ସତ ଠିକଣାରେ….
ସଂପର୍କରେ ରଚିଥିଲା ସେ ମିଛ ଅଭିନୟ
ଝୁରି ଝୁରି ସାରିଦେବାକୁ ଭରା ଯଉବନ
ପୁଣି ପରବର୍ତ୍ତୀ ବାର୍ଦ୍ଧକ୍ୟର ଭାରାକ୍ରାନ୍ତ ଅବଶିଷ୍ଟ
ହତାଶାମଗ୍ନ ଜୀବନ।
ନୀହାରିକା ପଣ୍ଡା
ରାକମା ,ଭାପୁର, ନୟାଗଡ଼