“ସତ୍ୟ ଶିବ ସୁନ୍ଦର”
ଜାଳିବି ଜାଗର ହେ ଡମ୍ବରୁଧର
ଉମାପତି ମହେଶ୍ବର
ତବ କୃପା ଲଭି ପାଇବି ତୃପତି
ହେ ପ୍ରଭୂ ଶିବ ଶଙ୍କର ।
ବେଲପତ୍ର ସାଥେ ନାରୀକେଳ ଭାଙ୍ଗି
ପୂଜିବି ତୁମ୍ଭ ପୟର
ଗଙ୍ଗାଜଳ ଶିରେ ଢ଼ାଳିବି ପ୍ରଭୂହେ
ଗଳାରେ ଦୁଦୁରା ମାଳ ।
ନିର୍ଜଳା ବରତ କରି ଉପବାସ
ଜାଳିବି ଅଖଣ୍ଡ ଦୀପ
ଦୂର ହେବ ମୋର ଜୀବନୁ ଅନ୍ଧାର
ଧୋଇଯିବ ସବୁ ପାପ ।
ଆହେ ସତ୍ୟ ଶିବ ଜଗତ ଈଶ୍ବର
ଶିବ ,ଶମ୍ଭୁ, ମହାଦେବ
ତୃତୀୟ ନୟନ ଖୋଲି ଦେଖ ପ୍ରଭୂ
ହିଂସାକାଣ୍ଡେ ମାତେ ଦେଶ ।
ପିଇଣ ଗରଳ ଉଦ୍ଧାରି ଜଗତ
ହେଲ ନୀଳ କଣ୍ଠେଶ୍ୱର
ଦୂରକର ପ୍ରଭୂ ହିଂସା ଦ୍ୱଷ ସବୁ
ନାଶକର ଅହଂକାର ।
ବଢ଼ି ବଢ଼ି ଯାଏ ହିଂସାକାଣ୍ଡ ନିତି
ଦେଶ ଦେଶ ମଧ୍ୟେ ଯୁଦ୍ଧ
ଶାନ୍ତିର କପୋତ ସାଜି ଦେବଦୂତ
ଉଦ୍ଧାର ସାରା ଜଗତ।
ଏତିକି ମିନତି କରେ ସର୍ପଧାରୀ
ହେ ,ପ୍ରଭୂ କୈଳାସ ପତି
ତବ ପାଦତଳେ କରୁଛି ପ୍ରଣତି
ରଖ ମୋ ଟିକି ବିନତି ।
ଝରଣା ତନ୍ତୀ, ସୁନ୍ଦରଗଡ଼ ।