ବିସ୍ଥାପିତ
ହଜି ଯାଇଛି ତା’ ଆଖିର ସପନ
ହରାଇ ଦେଇଛି ନିଜ ଠିକଣା
ଯାହା ସେ ହାରିଛି ହାତ ପାହାନ୍ତାରୁ
ନ ହୋଇବ କେବେ ତାହା ଭରଣା
ଭବିଷ୍ୟତ ତା’ର କେଉଁଠି ସ୍ଥଗିତ
ଏଯାଏଁ ରହିଛି ତା’କୁ ଅଜଣା
ଗୁମୁରି ଗୁମୁରି ନିରବେ କାନ୍ଦୁଛି
ଅମଡା ବାଟରେ ହୋଇଣ ବଣା ।।
ଜଳିଛି ଯେଉଁଠି ତା’ ଏନ୍ତୁଡିଶାଳ
ସେହି ତା’ର ପ୍ରିୟ ଜନମ ମାଟି
ନାଚିକୁଦି ଖେଳି ତା’ପିଠି ଉପରେ
ଧୂଳିବାଲି ସାଥେ ଖୁସି ସାଉଁଟି
ଭାବି ନେଇଥିଲା ପାଉଁଶ ହୋଇଣ
ମଶାଣି ଭୂଇଁରେ ଯିବ ସେ ଲୋଟି
ଭିଟାମାଟି ତା’ର ଅଣ୍ଡାଳି ମାପୁଛି
କେଉଁଠି ତା’ଖୁସି ଦେଇଛି ବାଣ୍ଟି ।।
ଅଦିନ ଝଡରେ ବାୟା ବସା ତା’ର
ମାଟିରେ ପଡିଛି ଗଛରୁ ଛିଡି
ପକ୍ଷ ବିନା ସେତ ମନ ଆକାଶରେ
ଆଉ ପାରୁନାହିଁ ଡେଣାକୁ ଝାଡି
ଆଶ୍ରା ରୂପେ ଯେଉଁ ମିଳିଛି କୋରଡ
ସେତ ନିରାଶାର ପିଞ୍ଜରା ଭାଡି
ଆତ୍ମୀୟତା ବିନା ବେସୁରା ଜୀବନେ
ଅସହ୍ୟ ଆଶଙ୍କା ଆସଇ ମାଡି ।।
ତା’ର ପରିବେଶ ଆପଣାର ଚିଜ
ବଦଳି ଯାଇଛି ମାନଚିତ୍ରରେ
ଯେଉଁଠି କଟିଛି ତା’ଶୈଶବ ବେଳ
ବିଲ, ବଣ ,ନଦୀ ,ତୋଟା ମାଳରେ
ସ୍ମୃତି ପେଡି ତା’ର ଅତୀତ ସାଇତି
ଭାସି ଯାଇଅଛି ଲୁହ ବନ୍ଯାରେ
ମନ ସାଗରର ଦୁଃସହ ଯାତନା
ଲହଡି ଭାଙ୍ଗୁଛି ବେଳା ଭୂଇଁରେ ।।
ମନକୁ ବୁଝାଇ ଅଣ୍ଟା ସଳଖୁଛି
ଅନ୍ୟ ଗଛ ଡାଳେ ବାନ୍ଧିବ ବସା
ନୂତନ ସମ୍ପର୍କ ଗଢିବ ସେ ପୁଣି
ସଫଳ କରିବ ଅଧୁରା ଆଶା
ବଞ୍ଚିବାକୁ ହେବ ଜୀବନ ସଂଗ୍ରାମେ
ମନରେ ଘାରିଛି ଅଜବ ନିଶା
ଧୈର୍ଯ୍ଯ ଦୀପ ତା’ର ଜଳେ ଦିକିଦିକି
ତେଜିବ ସେ ପୁଣି ଭାଙ୍ଗି ନିରାଶା ।।
କୃଷ୍ଣ ପ୍ରସାଦ,ପୁରୀ ।