ମାଆ ଓ ମମତା
ପରିବା ସଜାଡି ଫ୍ରିଜରେ ସୋନାଲି
ରଖିବାକୁ ଯାଇ ଦେଖେ,
ଆଜି ବି ଅରୁଣ ଆଣିଛନ୍ତି ଜହ୍ନି
ବିରକ୍ତି ଭାବ ତା ମୁଖେ ।
ପ୍ରତିଦିନ ଏହି ଜହ୍ନି ତରକାରୀ
କେମିତି ଲାଗୁଛି ଭଲ,
ଅରୁଣଙ୍କୁ ଯାଇ ପଚାରେ ରାଗରେ
କାହିଁକି ଜହ୍ନି ଆଣିଲ ?
ଶାନ୍ତ ଓ ଉଦାର ଭାବରେ ଅରୁଣ
କହେ ରାଗ ନାହିଁ ପ୍ରିୟେ,
ଜୀବନ ଗାଥା ମୋ ଜହ୍ନି ସହ ଯୋଡା
ଶୁଣ ବସି ଏକ ଲୟେ ।
ଛୋଟବେଳୁ ବାପା ଙ୍କୁ ମୁଁ ହରାଇଛି
ସବୁକିଛି ମାଆ ମୋର,
ବହୁ ଅଭାବରେ ପାଳିଛି ସେ ମୋତେ
କାମ କରି ପରଘର ।
ବରଷା ଦିନରେ ବାଡିରେ ଆମର
ଲଗାଏ ମା ଜହ୍ନି ଗଛ,
କିଛି ଯେବେ ନାହିଁ ଜହ୍ନି ପୋଡ଼ି ଖାଉ
ଏକଥା ନୁହଇ ମିଛ ।
ଅଭାବୀ ସଂସାର ଯାହା ରାନ୍ଧି ଥାଏ
ପେଟପୂରା ଦିଏ ମୋତେ,
ଭୋକିଲା ପେଟରେ ନିଜେ ଶୋଇଥାଏ
ମୋ ଦେହ ଯାବୁଡି ହାତେ ।
ମାଆର ସେନେହ ଶରଧା ମୋ ପାଇଁ
ଜହ୍ନି ଭିତରେ ମୁଁ ଦେଖେ,
ସେଇଥି ପାଇଁତ ସେହି ଦରବ ଟି
ବ୍ୟାଗ୍ ରେ ଆଗ ମୁଁ ରଖେ ।
ମାଆ ସିନା ନାହିଁ ତା ସ୍ମୃତି ମନରେ
ରହିଛି ହୋଇ ଜୀବନ୍ତ,
ଯାହା ଖାଇ ଆଜି ବଡ଼ ମୁଁ ହୋଇଛି
କୁହ ଭୁଲିବି କେମନ୍ତ ?
ଅରୁଣ ପାଟିରୁ କଥା ସରିନାହିଁ
ସୋନାଲି ଉଠିଲା କାନ୍ଦି,
ସେବେଠୁଁ ସୋନାଲି ସରାଗରେ ଥୋଏ
ଜହ୍ନି ତରକାରୀ ରାନ୍ଧି ।
ମାଁ ବକ୍ଷ ଅମୃତ ପିଇ ହେଉଁ ବଡ଼
ଖାଉଁ ତା ଅମୃତ ରନ୍ଧା,
ତା ଅବର୍ତ୍ତମାନରେ ତା ଅମୃତ ସ୍ମୃତି
ସହ ଦୃଢ଼େ ସର୍ବେ ବନ୍ଧା ॥
ଶବ୍ଦ ବିନ୍ଧାଣି କୁଞ୍ଜବିହାରୀ ଦଳାଇ
ସିଂଲା
ବାଲେଶ୍ଵର।