ସମ୍ଭାବନା ଏକ ରେଖାଚିତ୍ର
ନିଦ ବିକି ଦେଲ ରାତିକି ନକହି
ସପନ କଥାରେ ପଡି
ସମ୍ଭାବନା ତୁମେ ଜିତିବା ବାଜିକି
ଜାଣି ଜାଣି ଗଲ ହାରି ।।
ଘଡି ମରା ଜହ୍ନ ନିଜର ହବାର
କହି ଦେଲା ରାଣ ଖାଇ
ଦାନ ମାରିଲନି ଜିତେଇବା ଲାଗି
ଆଗୁଆ ନିଜର ହୋଇ ।।
ଶଦ୍ଦଙ୍କ ଘେରରେ ସମ୍ପର୍କକୁ ରଖି
ସମୟକୁ କହି ମିଛ
ବିକିଲ ବିଶ୍ଵାସ ବିନା ମୂଲେଇରେ
ଦିନ କୁ ଭାବିକି ସତ ।।
ପାଇବା ଚିଠାରେ ଦବା ହିସାବକୁ
ଲୁଚେଇକି ଜାଣି ଜାଣି
ଜୁଆର ନ ମାପି ଲହଡ଼ି ଗଣିଲ
ଉପକୂଳୁ ହାତେ କିଣି ।।
ତୁଠ ଶିଉଳିର ଅପରାଧ ପାଇଁ
ଦୋଷ ମୁଣ୍ଡୋଉଛି ପାଦ
ସମ୍ଭାବନା ତୁମେ ମୃତ ଜରାୟୁର
ସାଙ୍କେତିକ ଅପବାଦ ।।
ମହେନ୍ଦ୍ର ନନ୍ଦ
୮୨୪୯୪୧୧୩୬୭