କଳ୍ପବଟ
ତୋ କଳ୍ପବଟ ମୂଳେ ବସିବିରେ ଜଗା
ନ ଛାଡ଼ିଲେ ମନ୍ଦିରକୁ
ତୋର ଦର୍ଶନ ପାଇଁ ମୁଁ ଚାହିଁ ରହିଥିବି
କେବେ ତୋ ଦ୍ୱାର ଖୋଲିବୁ ।
ହେଉ ତୋ କରୁଣା ନକରେରେ ମନା
ଖୋଲି ଯାଉ ଶୀଘ୍ର ଦ୍ୱାର
ଭକତ ତୋହର କରିବେ ଦର୍ଶନ
ଲଭିବେ କୃପା ଅପାର ।।
ଭକ୍ତ ଭଗବାନ ଦୂରତାର ଭାବ
ରହିବ ଯେ କେତେ ଦିନ
ତୁ ଚାହିଁଦେଲେ ହଟିବରେ ଜଗା
ନଥିବରେ ପ୍ରଶ୍ନ ଚିହ୍ନ ।
ତୋ ମନ୍ଦିରର ବେଢାରେ ମୁଁ ବୁଲିବୁଲିରେ
ଗଲିଣି ରେ ଜଗା ଥକି
ତୋ କଳ୍ପବଟ ଛାଇତଳେ ଟିକେ ଜାଗା
ଦେବୁ କିରେ ତୁହିଁ ଡାକି ।।
ଧନ ନାହିଁ ଲୋଡ଼ା ନାହିଁ ଜନ ଲୋଡ଼ା
ଏ କାଳର ବିପତ୍ତି ବେଳେ
ତୋ କଳ୍ପବଟ ଛାଇ ହେଉ ମୋ ସହାରା
ଏତିକି କରୁଣା ଲୋଡେ ।।
ସେ ଛାଇ ମୂଳରେ ତୋର ନାମ ଜପି
ଯାଉ ମୋ ଶେଷ ଜୀବନ
ତୋ ପାଖରେ ଜଗା ମୋ ଜୀବନ ଗଲେ
ଲଭିବି ବୈକୁଣ୍ଠେ ସ୍ଥାନ ।।
ଏତିକି ଗୁହାରି ଶୁଣିବୁରେ ଜଗା
ନ କରିବୁ ମୋତେ ପର
ଶେଷ ଇଚ୍ଛା ମୋର ତୋ କଳ୍ପବଟ ମୂଳେରେ
ବସିବାକୁ ଦେବୁ ଟିକେ ଅଧିକାର ।।
ସେ ଗଛ ମୂଳରେ ତୋତେ ଚାହିଁ ଚାହିଁ
କରୁଥିବି ତୋର ଜପ ଟପ
ଜୀବନ ଜଞ୍ଜାଳୁ ମୁକ୍ତି ଯେ ପାଇବି
ଲଭିବି ଆତ୍ମା ସନ୍ତୋଷ ।।
@ ଶ୍ରୀ ସୁଦାମ ଦଳବରା
ତୁରୁମୁ, ଭଞ୍ଜନଗର, ଗଞ୍ଜାମ