May 04, 2024
11 11 11 AM
ମାଆ–ମଧୁସ୍ମିତା ମିଶ୍ର
ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ
*ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର*
*ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ*
ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ
*ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ*
“ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ
ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ
ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ
*’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ*
“ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ
ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ
Allusions Of Longing–Manoj Kumar Panda
ALLUSIONS OF PELLUCID–Manoj Kumar Panda
Allusions Of God’s Legacy–Manoj Kumar Panda
ALLUSIONS OF MY ROUTE –Manoj Kumar Panda
ALLUSIONS OF MY CLOSED EYES–Manoj Kumar Panda
ALLUSIONS OF TEARDROPS-Manoj Kumar Panda
ALLUSIONS OF FORTUNE–Manoj Kumar Panda
Our Volunteers For Suryodaya Shanti Soumitri Sammilani -2023
Latest Post
ମାଆ–ମଧୁସ୍ମିତା ମିଶ୍ର ମୁଁ ସହର ତଳିର ଝିଅ –ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ବାଇଁ *ମାନବିକତା ବନାମ ସ୍ୱାର୍ଥପରତା –ରିଙ୍କୁ ମେହେର* *ସହର ସୁନ୍ଦରୀ କ’ଣ ଗାଁ ର ମହକ ବୁଝି ପାରିବ–ଟିଲି ମଲ୍ଲିକ* ବାପାମାଆ ମାନେ ଏବେ କୁଆଡେ ଭାରି ଅଦରକାରୀ–ବାଦଲ ପଲେଇ *ଗାଁ ର ପାଣି ପବନ, ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ଲାଗି ଲାଞ୍ଛନା-ସୋନାଲି ନାୟକ* “ଉଷ୍ଣ ଅପରାହ୍ନ” ଆଜିର ସମାଜକୁ ଏକ ଶକ୍ତ ଚାବୁକ- ଝୁନୁ ଦାସ ଆଧୁନିକତାର ଅନ୍ଧ ପୁଟୁଳି-ପୂଜାରାଣୀ ଦାସ ସମୟର ମୂଲ୍ୟ ମାନବର ମାନବିକତା ଓ କର୍ତ୍ତବ୍ୟ -ଅରୁଣ ଡାକୁଆ *’ମୃତ୍ୟୁ ସର୍ବଗ୍ରାସୀ’ ଏକ ସ୍ୱତନ୍ତ୍ର ଉପସ୍ଥାପନା- ଶାଶ୍ଵତୀ ନନ୍ଦ* “ଉଷ୍ଣ ଅପରାହ୍ନ” ଏକ ଆକଳନ- ତୃପ୍ତିମୟୀ ରାଉଳ ସମ୍ପର୍କର ମାନେ(ଆଲେଖ୍ୟ ରଚନା)- ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ Allusions Of Longing–Manoj Kumar Panda ALLUSIONS OF PELLUCID–Manoj Kumar Panda Allusions Of God’s Legacy–Manoj Kumar Panda ALLUSIONS OF MY ROUTE –Manoj Kumar Panda ALLUSIONS OF MY CLOSED EYES–Manoj Kumar Panda ALLUSIONS OF TEARDROPS-Manoj Kumar Panda ALLUSIONS OF FORTUNE–Manoj Kumar Panda Our Volunteers For Suryodaya Shanti Soumitri Sammilani -2023

ବୁଦ୍ଧ ପୁର୍ଣିମା — ଭାବଗ୍ରାହୀ ତ୍ରିପାଠୀ

 

ବୁଦ୍ଧ ପୁର୍ଣିମା

 

ବୈଶାଖ ମାସର ଶେଷ ଦିନ ବୈଶାଖ ପୂର୍ଣ୍ଣିମା ବା ବୁଦ୍ଧ ପୂର୍ଣ୍ଣିମା ନାମରେ ଜଣାଯାଏ।ଓଡ଼ିଶାରେ ଏହି ଦିନଟିକୁ ଚନ୍ଦନ ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ।ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀ ଆଜିର ଦିନକୁ ଆଗ୍ରହର ସହ ପାଳନ କରିଥାଆନ୍ତି।ଵିଶେଷ କରି ଆଜି ସାରା ବିଶ୍ୱରେ ଆଜିର ଦିନଟିକୁ ବୁଦ୍ଧ ଜୟନ୍ତୀ ଭାବେ ପାଳନ କରାଯାଇଥାଏ।ଆଜିର ଦିନରେ ଭଗବାନ ବୁଦ୍ଧ ବୋଧିଗୟାଠାରେ ବୋଧିଦ୍ରୁମ ବୃକ୍ଷ ତଳେ ଜ୍ଞାନ ପ୍ରାପ୍ତ କରିଥିଲେ।ଗୌତମ ବୁଦ୍ଧଙ୍କର ପୂର୍ଣ୍ଣିମା ସହିତ ରହିଛି ବିଶେଷ ସମ୍ପର୍କ ତେଣୁ ତାଙ୍କୁ ପୂର୍ଣ୍ଣିମା ପୁରୁଷ କୁହାଯାଏ।ଶ୍ରୀଚୈତନ୍ଯ,ଗୁରୁ ନାନକ,ନିଗମାନନ୍ଦ ଆଦି ବହୁ ସାଧୁ ସନ୍ଥଙ୍କର ଆବିର୍ଭାବ ଓ ତିରୋଧାନ ପୂର୍ଣ୍ଣିମା ତିଥିରେ ହୋଇଥିଲା ବୋଲି ପୁରାଣ ଓ ଇତିହାସ କହେ।ଗୌତମ ବୁଦ୍ଧଙ୍କ ଜନ୍ମ ବୈଶାଖ ପୂର୍ଣ୍ଣିମାରେ ଏବଂ ତିରୋଧାନ ମଧ୍ୟ ସେହି ବୈଶାଖ ପୂର୍ଣ୍ଣିମାରେ ଓ ତାଙ୍କର ବୋଧିପ୍ରାପ୍ତ ମଧ୍ୟ ବୈଶାଖ ପୂର୍ଣ୍ଣିମାରେ।ଏହା ବ୍ୟତୀତ ବୁଦ୍ଧଦେବଙ୍କର ଅନ୍ୟ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣା ପୂର୍ଣ୍ଣିମା ସହ ଵି ଜଡିତ।ତାଙ୍କର ମାଆ ରାଣୀ ମାୟାଦେଵୀଙ୍କ ଗର୍ଭାଧାନ ଆଷାଢ ପୂର୍ଣ୍ଣିମାରେ,ପତ୍ନୀ ଯଶୋଧାରା ମଧ୍ୟ ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିବା ଏକ ଅଦ୍ଭୁତ ଘଟଣା ଥିଲା।ଯେଉଁ ବୋଧିଦ୍ରୁମ ତଳେ ସେ ବୋଧିପ୍ରାପ୍ତ ହୋଇଥିଲେ ସେହି ଦ୍ରୁମର ଜନ୍ମ,ପତ୍ନୀ ଯଶୋଧାରା‌ ଓ ପୁତ୍ର ରାହୁଳଙ୍କୁ ଛାଡି ଜ୍ଞାନର ଅନ୍ବେଷଣରେ ଚାଲି ଯାଇଥିବା ଦିନ ବି ଥିଲା ଆଷାଢ ପୂର୍ଣ୍ଣିମା।ପ୍ରିୟ ଶିଷ୍ଯ ଆନନ୍ଦକୁ କହି ଯାଇଥିବା ମହାନିର୍ବାଣର ସଂକଳ୍ପ ଦିନ ଥିଲା ମାଘ ପୂର୍ଣ୍ଣିମା।ଏହିପରି ପୂର୍ଣ୍ଣିମା ସହ ବୁଦ୍ଧଙ୍କର ଅନେକ ଘଟଣା ସଂଶ୍ଳିଷ୍ଟ ଥିବାରୁ ବୌଦ୍ଧ ଧର୍ମରେ ପ୍ରତ୍ୟେକ ପୂର୍ଣ୍ଣିମାର ବିଶେଷ ମହତ୍ତ୍ଵ ଥାଏ।

 

ବୁଦ୍ଧଙ୍କୁ ଭଗବାନ ବିଷ୍ଣୁଙ୍କ ନବମ ଅବତାର ବୋଲି କୁହାଯାଏ।ସେଥିପାଇଁ ହିନ୍ଦୁମାନଙ୍କ ପାଇଁ ଆଜିର ଦିନର ବିଶେଷ ମହତ୍ତ୍ଵ ରହିଅଛି।କୁହାଯାଏ ଭଗବାନ ଶ୍ରୀକୃଷ୍ଣଙ୍କ ପରମ ବନ୍ଧୁ ସୁଦାମା ଯେତେବେଳେ ଦ୍ୱାରକା ପହଞ୍ଚିଥିଲେ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ବୈଶାଖ ପୂର୍ଣ୍ଣିମା ବ୍ରତର ବିଧାନ କହିଥିଲେ।ଏହି ବ୍ରତ ପ୍ରଭାବରେ ସୁଦାମାଙ୍କ ଦରିଦ୍ରତା ଦୂର ହୋଇଥିଲା।ସେଥିପାଇଁ ମାନ୍ୟତା ରହିଛି ଯେ ବୈଶାଖ ପୂର୍ଣ୍ଣିମା ବ୍ରତ ପାଳନ ଏବଂ ଭଗବାନ ଶ୍ରୀ ହରି ବିଷ୍ଣୁଙ୍କ ପୂଜା କଲେ ଜୀବନରୁ କଷ୍ଟ ଦୂର ହୋଇଥାଏ ଓ ସୁଖ ଶାନ୍ତି ମିଳିଥାଏ।ଏହି ଦିନ ଧର୍ମରାଜ ଯମ,ଭଗବାନ ବିଷ୍ଣୁ ଏବଂ ଭଗବାନ ଚନ୍ଦ୍ରଙ୍କ ପୂଜା କରାଯାଇଥାଏ।ତ୍ରିଦେବଙ୍କ ପୂଜା କରିବା ଦ୍ୱାରା ଅକାଳ ମୃତ୍ୟୁ ଯୋଗ ଦୂର ହେଵା ସହ ତ୍ରିଦେବଙ୍କ କୃପା ଲାଭ ହୋଇଥାଏ।ଏହି ଦିନ ଜଳ ଦାନ କରିବା ଦ୍ୱାରା ସବୁଠୁ ବଡ଼ ପୁଣ୍ୟ ହୋଇଥାଏ।ବୈଶାଖ ପୂର୍ଣ୍ଣିମା ଦିନ ଦାନ,ପୁଣ୍ୟ,ଧର୍ମ,କର୍ମ କରିବାର ବିଶେଷ ମହତ୍ତ୍ଵ ରହିଅଛି।ବୈଶାଖ ପୂର୍ଣ୍ଣିମା ଦିନ ଅନ୍ନ,ବସ୍ତ୍ର,ଚିନି,ରାଶି ଏବଂ ଧନ ଦାନ କରିବା ଦ୍ୱାରା ଅଜାଣତରେ ହୋଇଥିବା ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଅଛି।ଏହି ଦିନ ଗଙ୍ଗା ସ୍ନାନ କଲେ ମଧ୍ୟ ବିଶେଷ ଲାଭଦାୟକ ହୋଇଥାଏ।

 

ଗୌତମ ବୁଦ୍ଧ ଥିଲେ ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଓ ଧର୍ମ ସଂସ୍ଥାପକ।ବୌଦ୍ଧ ଧର୍ମ ବିଶ୍ୱାସୀଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ବୁଦ୍ଧ ଭାବରେ ଜଣା “ବୁଦ୍ଧ”ଶବ୍ଦର ଅର୍ଥ ପାଲି ଭାଷାରେ “ଉଠିଥିବା” ବା “ଆଲୋକିତ” ବୁଝାଇଥାଏ।ପାଲିଭାଷାରେ ଲିଖିତ ‘’ *ତ୍ରିପିଟକ* “ଗ୍ରନ୍ଥ ତାଙ୍କ ବାଣୀର ସଂକଳନ।ବୌଦ୍ଧ ଧର୍ମାବଲମ୍ବୀମାନେ ଏହାର ଶିକ୍ଷଣୀୟ ପଦଗୁଡିକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଠକରନ୍ତି।ଇତିହାସ ଅନୁସାରେ ବୁଦ୍ଧଙ୍କ ଜନ୍ମ ପୁରାତନ ଓଡ଼ିଶା ବା କଳିଙ୍ଗର ଭୁବନେଶ୍ୱର ନିକଟରେ ଥିବା କପିଳେଶ୍ୱର ଜନପଦରେ ହୋଇଥିଲା।ଓଡ଼ିଶାରେ ଅଶୋକଙ୍କ ଶିଳାଲେଖ,ଜଉଗଡ଼ର ଶିଳାଲେଖରୁ ସେ କାଳରେ ପ୍ରଚଳିତ ଭାଷା ପାଲି ଭାଷାର ବ୍ୟବହାର କରାଯାଇଥିବା ବୌଦ୍ଧ ଧର୍ମଗ୍ରନ୍ଥ ତ୍ରିପିଟକର ଭାଷାରୁ ଏକଥା ପ୍ରମାଣ ମିଳିଥାଏ।ତେବେ କିଛି ଗବେଷକଙ୍କ ମତରେ ବୁଦ୍ଧଙ୍କ ଜନ୍ମ ନେପାଳର କପିଳବସ୍ତୁଠାରେ ହୋଇଥିଲା ଓ ୮୦ ବର୍ଷ ବୟସରେ ଉତ୍ତରପ୍ରଦେଶର କୁଶୀନଗରଠାରେ ତାଙ୍କର ଦେହାନ୍ତ ହୋଇଥିଲା।ବୁଦ୍ଧଦେବ ଖ୍ରୀ.ପୂ ୫୬୭(ମତାନ୍ତର)ରେ ହିମାଳୟର ପାଦଦେଶରେ ଅବସ୍ଥିତ କପିଳବସ୍ତୁ ନିକଟବର୍ତ୍ତୀ ଲୁମ୍ବିନୀ ଉପବନରେ ଜନ୍ମ ଗ୍ରହଣ କରିଥିଲେ।କପିଳବସ୍ତୁ ଶାକ୍ୟବଂଶୀୟ କ୍ଷତ୍ରିୟମାନଙ୍କର ଏକ କ୍ଷୁଦ୍ର ରାଜ୍ୟ ଥିଲା।ଗୌତମଙ୍କର ପିତା ଶୁଦ୍ଧୋଦନ ଏହି ଶାକ୍ୟ ଗଣତନ୍ତ୍ରର ରାଜା ଥିଲେ।ତାଙ୍କର ମାତାଙ୍କ ନାମ ଥିଲା ମାୟାଦେବୀ।ଜନ୍ମ ଲାଭ କରିବାର ଏକ ସପ୍ତାହ ପରେ ତାଙ୍କର ମାତା ମାୟାଦେବୀଙ୍କର ମୃତ୍ୟୁ ହେବାରୁ ମାଉସୀ ଗୌତମୀଙ୍କଦ୍ୱାରା ସେ ପରିପାଳିତ ହୋଇଥିଲେ।ରାଜପୁତ୍ର ହେଲେ ମଧ୍ୟ ରାଜକୀୟ ଭୋଗବିଳାସ ପ୍ରତି ତାଙ୍କର ମନ ଆଦୌ ଆକୃଷ୍ଟ ନଥିଲା ସେ ସଂସାରବିରାଗୀ ଥିଲେ।ପୁତ୍ରର ମନ ପରିବର୍ତ୍ତନ ନିମନ୍ତେ ଶୁଦ୍ଧୋଦନ ଗୋପା ନାମ୍ନୀ ଏକ ସୁନ୍ଦରୀ ରାଜକନ୍ୟାଙ୍କ ସହିତ ଗୌତମଙ୍କ ବିବାହ କରାଇଥିଲେ।ବିବାହ ପରେ ଗୌତମଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା।ଏସବୁ ସତ୍ତ୍ୱେ ମଧ୍ୟ ଗୌତମଙ୍କର ମନ ପରିବର୍ତ୍ତନ ହୋଇନଥିଲା।

 

କପିଳାବାସ୍ତୁ ନଗର ପରିଭ୍ରମଣ କଲାବେଳେ ଗୌତମ ଏକ ଜରାଗ୍ରସ୍ତ ବ୍ୟକ୍ତି,ଏକ ରୁଗ୍ଣ୍ ବ୍ୟକ୍ତି ଏବଂ ଏକ ଶବ ଦେଖିବାରୁ ମନରେ ଗଭୀର ଦୁଃଖ ଅନୁଭବ ହେଲା।ମନୁଷ୍ୟର ଜନ୍ମ,ବାର୍ଦ୍ଧକ୍ୟ,ରୋଗ,ଦୁଃଖ,କ୍ଳେଶ,ମୃତ୍ୟୁ ଇତ୍ୟାଦି ବିଷୟ ଚିନ୍ତାକରି ସେ ଦୁଃଖରେ ଅଭିଭୂତ ହୋଇପଡ଼ିଲେ।ସେ ଏ ସବୁଥିରୁ ମୁକ୍ତିଲାଭ କରିବାର ଉପାୟ ଚିନ୍ତା କରିବାକୁ ଲାଗିଲେ।ଏହି ସମୟରେ ଦିନେ ସେ ଏକ ପ୍ରସନ୍ନବଦନ ଜନୈକ ସନ୍ନ୍ୟାସୀଙ୍କୁ ଦେଖିଲେ।ସନ୍ନ୍ୟାସ ବରଣ କଲେ ଦୁଃଖରୁ ତ୍ରାହି ମିଳିବ ବୋଲି ଭାବି ସେ ୨୯ ବର୍ଷ ବୟସରେ ଦିନେ ନିଶାର୍ଦ୍ଧରେ ସାଂସାରିକ ସଵୁ ମାୟାବନ୍ଧନ ଛିନ୍ନକରି ସମସ୍ତଙ୍କ ଅଗୋଚରରେ ରାଜପ୍ରସାଦ ତ୍ୟାଗ କରିଥିଲେ।

 

ଭାରତୀୟ ସଂସ୍କୃତିର ବିବିଧତା ମଧ୍ୟରେ ଏକତ୍ବର ଦୃଷ୍ଟିଭଙ୍ଗୀକୁ ନେଇ ବିଶ୍ଵକୁ ଦେଇଛି ଅଭିନବ ପରିଚିତି।ବହୁ ଚିନ୍ତା,ବହୁ ବିଶ୍ଵାସ ଓ ଆଚରଣର ସମନ୍ଵୟ ଭିତରେ ଭାରତୀୟ ସଂସ୍କୃତିର ମହାନତାକୁ ଅନୁଭବ କରିହୁଏ।ନୈତିକ ସଂହତି ଓ ମୂଲ୍ୟବୋଧ ପ୍ରତି ଆନୁଗତ୍ୟ,ଭାରତୀୟ ବ୍ୟକ୍ତି ମାନସରେ ସାମାଜିକ ଆବଶ୍ୟକତା ଏବଂ ବ୍ୟକ୍ତିଗତ ଆକାଂକ୍ଷା ଭିତରେ ସମନ୍ଵୟ ରକ୍ଷା କରିଥାଏ।ଇତିହାସକୁ ଲକ୍ଷ୍ୟକଲେ ଦେଖାଯାଏ ଯେ ଭାରତୀୟ ଜୀବନଧାରା ପ୍ରାଣସତ୍ତାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ ମାନବକୁ ମାଧବରେ ରୂପାନ୍ତରିତ କରିବା ଲକ୍ଷ୍ୟରେ ଅନ୍ଧାରରୁ ଆଲୋକ ଦିଗକୁ ଯାତ୍ରା ଥାଏ ଜୀବନର ମୂଳ ଲକ୍ଷ୍ୟ।

 

ବସ୍ତୁତଃ କହିବାକୁ ଗଲେ ଭାରତୀୟ ସଂସ୍କୃତିର ଆଧାର ହେଉଛି ଆଲୋକର ସନ୍ଧାନ।ଏହା କୌଣସି ଧର୍ମର ପ୍ରଚାର କରେନାହିଁ ଭାରତୀୟତା ହେଉଛି ଏହାର ମୂଳମନ୍ତ୍ର।ଜୀବନକୁ ଶୃଙ୍ଖଳିତ କରି ଏକ ମହତର ପଥରେ ଅବସ୍ଥାପିତ କରିବା ଏଠାରେ ବେଶ୍ ଲକ୍ଷଣୀୟ।ଏଣୁ ଭାରତୀୟ ଦର୍ଶନରେ ବେଦର ଆଧିପତ୍ୟକୁ ଅସ୍ୱୀକାର କରି ବୌଦ୍ଧ ଓ ଜୈନ ଦର୍ଶନ ଯେଭଳି ଜନାଦୃତ ତଦ୍ ଅନୁରୂପ ଭାବରେ ସାଂଖ୍ୟ,ନ୍ୟାୟ,ମୀମାଂସା,ବୈଶେଷିକ ଓ ଯୋଗ ଆଦି ଦର୍ଶନ ସେହିପରି ପ୍ରାଧାନ୍ୟଲାଭ କରିଅଛି।ବିଶ୍ୱ କଲ୍ୟାଣ ହେଉଛି ଏହାର ମୂଳମନ୍ତ୍ର। *‘ସର୍ବଜନ ହିତାୟ,ସର୍ବଜନ ସୁଖାୟ’* ସତ୍ୟରେ ଏ ସଂସ୍କୃତି ବିଶ୍ଵାସ ରଖେ।ଯେତେବେଳେ ଧାର୍ମିକ ତଥା ସାଂସ୍କୃତିକ ଭାବଧାରାକୁ ନେଇ ବିଭିନ୍ନ ବାଦାନୁବାଦ ଓ ମତବାଦ ମୁଣ୍ଡ ଟେକି ଉଠିଥିଲା ଠିକ୍ ସେତେବେଳେ ବୌଦ୍ଧଧର୍ମର ଆବିର୍ଭାବ ହୋଇଥିଲା।ମସ୍କରୀ ଗୋପପାଳ ନାମକ ଧର୍ମଗୁରୁଙ୍କ ‘ସଂସାର ବିଶୁଦ୍ଧି ମାର୍ଗ’ ଠାରୁ ଆରମ୍ଭ କରି ପୂର୍ଣ୍ଣ କାଶ୍ୟପଙ୍କ ‘ଅକ୍ରିୟାବାଦ,ପକୁଧକାତ୍ୟାୟନଙ୍କ ‘ଅଶ୍ଵାଶତ ବାଦ’ ଓ ଚାର୍ବାକଙ୍କ ‘ବିକ୍ଷେପବାଦ’ ଭଳି ଦର୍ଶନ ଆମ ସାଂସ୍କୃତିକ ପୃଷ୍ଠଭୂମିକୁ ଆଚ୍ଛନ୍ନ କରି ରଖିବା ସହ ସନାତନବାଦୀ ବ୍ରାହ୍ମଣ ପଣ୍ଡିତମାନଙ୍କ ବୈଦିକ ପରମ୍ପରା ମଧ୍ୟ ମାନବ ସମାଜକୁ ଜଟିଳତର କରି ଥିଲା।ଏସବୁ ଧର୍ମ ଓ ମତବାଦ ପରସ୍ପର ବିରୋଧ ଥିଲେ ହେଁ ପ୍ରତ୍ୟେକ ଆର୍ଯ୍ୟ ପରମ୍ପରାଭିଭିକ ବୋଲି ଯୁକ୍ତି ବାଢ଼ିବା ଫଳରେ ଏକ ସାଂସ୍କୃତିକ ସଂକଟର ସମୟ ଆସି ଉପନୀତ ହୋଇଥିଲା।ଏପରି ଏକ ସଂକଟର ସନ୍ଧି କ୍ଷଣରେ ତଥାଗତ ଗୌତମ ବୁଦ୍ଧଙ୍କର ଆର୍ବିଭାବ ଘଟିଥିଲା।

 

ଗୌତମ ବୁଦ୍ଧଙ୍କ ସମୟରେ ଭାରତବର୍ଷରେ ପ୍ରଚଳିତ ସଂସ୍କୃତ ଭାଷା ଜନସାଧାରଣଙ୍କ ଭାଷା ନଥିଲା ସଂସ୍କୃତ ଭାଷାକୁ ସାଧାରଣ ଲୋକଙ୍କ ସ୍ତରକୁ ଆଣିବା ନିମନ୍ତେ ଆର୍ଯ୍ୟ ପଣ୍ଡିତମାନେ ମଧ୍ୟ ତତ୍ପର ନଥିଲେ।ତେଣୁ ଲୋକମୁଖରେ କଥିତ ପ୍ରାକୃତ ଭାଷା ଏଠାରେ ପ୍ରଚଳିତ ଥିଲା।ଗୌତମ ବୁଦ୍ଧ ମଧ୍ୟ ପ୍ରାକୃତ ଭାଷାକୁ ଧର୍ମପ୍ରଚାରର ମାଧ୍ୟମ ଭାବରେ ଗ୍ରହଣ କରିଥିଲେ ତତ୍ ଫଳସ୍ଵରୂପ ଗୌତମ ବୁଦ୍ଧଙ୍କ ଲବ୍ଧ ସତ୍ୟ ଲୋକାନୁଭବର ସ୍ତରକୁ ଆସି ପାରିଥିଲା।ପ୍ରାକୃତ ଭାଷା ମଧ୍ୟ ପ୍ରତିଷ୍ଠିତ ହେବା ସହ ବୁଦ୍ଧଙ୍କ ପ୍ରଚାରିତ ଧର୍ମ ମଧ୍ୟ ରାଜଧର୍ମ ହେବାକୁ ଆରମ୍ଭ କରିଥିଲା।ଅଙ୍ଗୁଳି ମାଳା,ଶାକ୍ୟ ରାଜପରିବାରର ନାପିତ ଉପାଳି,ବୈଶାଳୀର ଜନପଦ ବଧୂ , ନର୍ତ୍ତକୀ ଅମ୍ବାପାଲି,ସମ୍ରାଟ ପ୍ରସନଜିତ ଓ ବିମ୍ବିସାର ଆଦି ସମସ୍ତେ ଏ ଧର୍ମ କୋଳରେ ଆଶ୍ରୟ ନେଇଥିଲେ |

 

ବହୁ ଧର୍ମରେ ପ୍ରଚଳିତ ଥିବା ଜଟିଳ ତତ୍ତ୍ୱର ବୁଦ୍ଧ ଚାରୋଟି ସତ୍ୟ ଆବିଷ୍କାର କରିଥିଲେ।ଯଥା:-(୧) ଦୁଃଖ ସତ୍ୟ(୨)ଏହାର କାରଣ ବି ସତ୍ୟ(୩)ଏହାର ନିରୋଧ ହୋଇପାରିବା କଥାଟା ଵି ସତ୍ୟ(୪)ଏହି ଦୁଃଖ ନିରୋଧର ଉପାୟ ମଧ୍ୟ ସତ୍ୟ।

 

ଏଠି ପ୍ରଶ୍ନ ଉଠେ ଦୁଃଖ ପୁଣି କ’ଣ ??ଏହାର ମଧ୍ୟ ଉତ୍ତର ଦେବାକୁ ଯାଇ ଗୌତମ ବୁଦ୍ଧ ଉଲ୍ଲେଖ କରିଛନ୍ତି ସଂସାର ସହିତ ସମ୍ପର୍କରୁ ଦୁଃଖର ଜାତ।ଯଥା-ଜନ୍ମ,ବୃଦ୍ଧାବସ୍ଥା,ରୁଗଣାବସ୍ଥା,ମୃତ୍ୟୁ ଓ ଇପ୍‌ସିତ ବସ୍ତୁଟିର ଅପ୍ରାପ୍ତି।କାରଣ ଇନ୍ଦ୍ରିୟ ଜନିତ ସୁଖର ବସ୍ତୁଟି ଅପସରି ଗଲେ ଦୁଃଖ ଆସିଥାଏ।ବୁଦ୍ଧଙ୍କ ମତରେ:-ଜୀବନ ପ୍ରତି ଅତ୍ୟଧିକ ମୋହ ମଣିଷକୁ ସଂସାର ପ୍ରତି ଆକୃଷ୍ଟ କରାଏ।ତେଣୁ ସେ ବାରମ୍ବାର ଏ ସଂସାରରେ ଜନ୍ମ ନେଇ ଦୁଃଖ ଭୋଗ କରିଥାଏ।ଅତଏବ ଦୁଃଖ ହେଉଛି-ମଣିଷର ନିଜର ସୃଷ୍ଟ କାମନା ଓ ବାସନାରୁ ସମ୍ଭୂତ।ଏହାର ବିନାଶରେ ଦୁଃଖର ବିନାଶ।ଏହି କାମନା ଓ ବାସନାର ବିନାଶ ଲାଗି ଗୌତମ ବୁଦ୍ଧ ଏକ ପନ୍ଥା ଦେଖାଇଥିଲେ ଯାହା ଅଷ୍ଟାଙ୍ଗ ମାର୍ଗ ଭାବେ ପ୍ରସିଦ୍ଧ।ଏଥିରେ ସମ୍ୟକ ଦର୍ଶନ,ଉତ୍ତମ ଅଭୀପ୍‌ସା,ଉତ୍ତମ କଥା,ଉତ୍ତମ ସ୍ଵଭାବ,ଉତ୍ତମ ମାର୍ଗ,ଉତ୍ତମ ଚିନ୍ତା,ଉତ୍ତମ ସମାଧିସ୍ଥ ଆନନ୍ଦ ଲାଭ କରିବାକୁ ହୋଇଥାଏ।ଏହି ଅଷ୍ଟାଙ୍ଗ ମାର୍ଗ ହେଲା:–

 

*୧-ସତ୍ ଭାବନା* :–ସତ୍ ଭାବନାର ଅର୍ଥ ସୁଚିନ୍ତାର ପ୍ରସାର ଓ ଦୁଶ୍ଚିନ୍ତାର ଅନ୍ତ ଘଟାଇବା।ସମସ୍ତ ଜୀବଜଗତ ପ୍ରତି ପ୍ରେମଭାବ ଜାଗ୍ରତ କରିବା,ସମସ୍ତଙ୍କ ପ୍ରତି କରୁଣା ଓ ଦୟା ପ୍ରଦର୍ଶନ କରିବା,ସକଳ ଜୀବଜନ୍ତୁଙ୍କ ପ୍ରତି ଅହିଂସା ଆଚରଣ ପ୍ରଦର୍ଶନ କରିବା।ଏହି ସତ୍ ଭାବନାଗୁଡିକ ଅଭ୍ୟାସ କଲେ ଲୋଭ,ସ୍ୱାର୍ଥପରତା,ଘୃଣା,କ୍ରୋଧ,ବିଦ୍ୱେଷ,ନିଷ୍ଠୁରତା ଓ ପ୍ରତିଶୋଧପରାୟଣତା ପରି କ୍ଷତିକାରକ ଭାବନା ଲୋପ ପାଇଥାଏ ।

 

*୨-ସତ୍ ବୁଦ୍ଧି* :–ସ୍ୱଚ୍ଛ,ନିର୍ମଳ ଓ ଅନାବିଳ ମନ ପରିସ୍ଥିତିର ସମ୍ମୁଖୀନ ହୋଇ ଦୁଃଖ ଜର୍ଜ୍ଜରିତ ହୋଇଥାଏ।ଲୋଭ,କାମ,ଅହଂକାରର ବଶବର୍ତ୍ତୀ ହୋଇ ମଣିଷର ଜୀବନ ଦୁଃଖ ଆଡକୁ ଗତି କରେ।ନିଜର ଅନ୍ତର୍ଦୃଷ୍ଟି ପ୍ରୟୋଗ କରି ଅକରଣୀୟ,ଅନାବଶ୍ୟକ ଆକାଂକ୍ଷାକୁ ତ୍ୟାଗ କରିବାକୁ ସତ୍ ବୁଦ୍ଧି କହନ୍ତି।ପ୍ରତ୍ୟେକ ବ୍ୟକ୍ତି ଅସନ୍ତୋଷ,ଅହଂକାର ଓ କ୍ଷଣଭଙ୍ଗୁର ଚିନ୍ତାକୁ ପରିତ୍ୟାଗ କରିବାଦ୍ୱାରା ସଠିକ୍ ବୁଝିବା ଶକ୍ତି ପ୍ରୟୋଗ କରିବାକୁ ସକ୍ଷମ ହୁଏ।ସତ୍ ବୁଦ୍ଧି ପ୍ରାପ୍ତ ହେଲେ ଯାଇ ସତ୍ୟ ଜଳ ଜଳ ହୋଇ ଦେଖାଯାଏ।ଫଳରେ ବ୍ୟକ୍ତି ପ୍ରତ୍ୟେକ ବିଷୟକୁ ଠିକ୍ ଭାବରେ ବୁଝିପାରିଥାଏ ।

 

*୩-ସତ୍ କଥନ* :–ମିଥ୍ୟା ନ କହିବା,ଅନ୍ୟର ବିପକ୍ଷରେ ନ କହିବା,କଠୋର ବାକ୍ୟ କହିବାରୁ ବିରତ ହେବା,ସର୍ବଦା ସତ୍ୟ କହିବା,ମଙ୍ଗଳପ୍ରଦ କଥା କହିବାକୁ ସତ୍ କଥନ କୁହାଯାଏ।ସତ୍ୟ କଥା ଯଦି ଅନ୍ୟ ବ୍ୟକ୍ତିର ଅମଙ୍ଗଳ,ଅଶୁଭ ଓ ଅସୁଖର କାରଣ ହେଉଥାଏ ତେବେ ତାହା ନ କହିବା ଉଚିତ୍ ।

 

*୪-ସତ୍ କାର୍ଯ୍ୟ* :–ପ୍ରାଣହତ୍ୟା ନ କରିବା,ଚୋରି କିମ୍ବା ଅସାଧୁ ଉପାୟ ଅବଲମ୍ବନ କରି ଜୀବନଯାପନ କରିବାରୁ ବିରତ ରହିବା,ଯୌନ ବ୍ୟଭିଚାରରୁ ନିବୃତ ରହିବା,ସମସ୍ତ ଜୀବ ପ୍ରତି ଦୟାଭାବ ପ୍ରଦର୍ଶନ କରିବା ହେଉଛି ସତ୍ କାର୍ଯ୍ୟ।ସମୂହ କଲ୍ୟାଣପାଇଁ କାର୍ଯ୍ୟରତ ରହିବା ଓ କୌଣସି ପୁରସ୍କାର ବା ସ୍ୱୀକୃତିକୁ ଆଶା ନ ରଖି କାର୍ଯ୍ୟ କରିବା ହିଁ ସତ୍ କାର୍ଯ୍ୟ।

 

*୫-ସତ୍ ଜୀବିକା* :–ସତ୍ ଜୀବିକାର ଅର୍ଥ ହେଉଛି ଯେ ପ୍ରତ୍ୟେକ ବ୍ୟକ୍ତି ଏଭଳି ଜୀବିକା ଆପଣେଇବା ଉଚିତ୍ ଯାହାଦ୍ୱାରା ଅନ୍ୟମାନଙ୍କର କିଛି ବି କ୍ଷତି ହେବନାହିଁ।ପାଞ୍ଚଟି ଜୀବିକା ସର୍ବଦା ବର୍ଜନୀୟ।ସେଗୁଡିକ ହେଲା–(୧) ଜୀବହତ୍ୟା କରି ମାଂସ ବ୍ୟବସାୟ (୨)ଅସ୍ତ୍ରଶସ୍ତ୍ର ବ୍ୟବସାୟ(୩)ଦାସ ବ୍ୟବସାୟ(୪)ମାଦକଦ୍ରବ୍ୟ ବ୍ୟବସାୟ(୫)ବିଷ ଔଷଧୀୟ ବ୍ୟବସାୟ।ଶାନ୍ତିଦାୟକ ଜୀବିକା ବା ବ୍ୟବସାୟରେ ନିଯୁକ୍ତ ରହି ଉପାର୍ଜନ କରିବାକୁ ଆଜୀବ କୁହାଯାଏ।ସେଗୁଡିକ ହେଲା-ପଶୁପାଳନ,କୃଷିକର୍ମ, ବାଣିଜ୍ୟ,ଶିଳ୍ପ ଓ ରାଜ୍ୟ ଶାସନରେ ସେବା କାର୍ଯ୍ୟ ।

 

*୬-ସତ୍ ଉଦ୍ୟମ* :–ସତ୍ ଉଦ୍ୟମର ଅର୍ଥ ସବୁବେଳେ ଭଲ ଉଦ୍ଧେଶ୍ୟ ରଖି କାର୍ଯ୍ୟ କରିବା।ସବୁବେଳେ ଅକଲ୍ୟାଣକାରୀ ପରିସ୍ଥିତିକୁ ଦୃଢତାର ସହିତ ଦମନ କରିବା।ଯେଉଁ ଉଦ୍ୟମଦ୍ୱାରା ସମାଜର ଉନ୍ନତି ସାଧନ ହୋଇପାରିବ ତାହା ଆରମ୍ଭ କରିବା ଏବଂ ତାହାକୁ ଶୀଘ୍ର ସମାପ୍ତ କରିବା ସବୁବେଳେ ପରହିତ ପାଇଁ ଉଦ୍ୟମରତ ରହିବା ଆଦି କାର୍ଯ୍ୟକୁ ସତ୍ ଉଦ୍ୟମ କୁହାଯାଏ ।

 

*୭-ସତ୍ ଚେତନା* :–ସତ୍ ଚେତନା ହେଉଛି ମନରୁ ଅହଂକାର ଭାବ ଦୂର କରିବା।ସଦାସର୍ବଦା ନିଜେ ସଚେତନ ରହି ଲାଭରେ ଉଲ୍ଲସିତ ଓ କ୍ଷତିରେ ବିଚଳିତ ନ ହୋଇ ସତ୍ ଚିନ୍ତାରେ ନିମଗ୍ନ ରହିବା।ନିଜର ମନର ଭାବନାକୁ କଳୁଷିତ ନ ହେବା ପାଇଁ ସଚେତନ ରହିବା।ଧ୍ୟାନ,ଧାରଣା ଓ ପ୍ରାଣାୟାମ ପ୍ରଭୃତିକୁ ଦୈନନ୍ଦିନ ଜୀବନର ଅଂଶ ଭାବେ ଗ୍ରହଣ କରି ମାନସିକ ଏକାଗ୍ରତା ବୃଦ୍ଧି କରିବାରେ ଯତ୍ନବାନ ହେବା ।

 

*୮-ସତ୍ ସମାଧି* –ସତ୍ ସମାଧିର ଅର୍ଥ ସମସ୍ତ ପ୍ରକାର ଭୋଗବିଳାସର କାମନାକୁ ଦୂରେଇଦେଇ ନିଜ ଚିତ୍ତ ସ୍ଥିର ରଖି ପ୍ରକୃତ ଜ୍ଞାନର ଅନ୍ୱେଷଣ କରିବା।ଇନ୍ଦ୍ରିୟ ଲାଳସା,ଦୁଶ୍ଚିନ୍ତା ଓ କଳୁଷିତ ଭାବନାକୁ ମନରୁ ପୋଛିଦେଇ ପ୍ରଫୁଲ୍ଲତା ଅନୁଭବ କରିବା ହେଉଛି ସତ୍ ସମାଧିର ଉଦ୍ଧେଶ୍ୟ।ମନକୁ ଏକାଗ୍ର କରିବାର ଅଭ୍ୟାସ କରିବାପାଇଁ ଧ୍ୟାନ କରିବା ନିହାତି ଆବଶ୍ୟକ।ଧ୍ୟାନଦ୍ୱାରା ମନୁଷ୍ୟ ଏକାଗ୍ରତା ଲାଭ କରି ସୃଷ୍ଟିର ପ୍ରକୃତ ସ୍ୱରୂପ ଜାଣିବାକୁ ସକ୍ଷମ ହୋଇପାରେ।ସତ୍ ସମାଧି ବଳରେ ମନ ଶୃଙ୍ଖଳିତ ହୋଇଥାଏ ଓ ସତ୍ ବୁଦ୍ଧି,ସତ୍ ଭାବନା,ମନୁଷ୍ୟ ମନରେ ପବିତ୍ରତା ଆଣିଦେଇଥାଏ ।

 

ଏହି ଅଷ୍ଟାଙ୍ଗ ମାର୍ଗରେ ଗତିକଲେ ସତ୍ୟର ସନ୍ଧାନ ପାଇବା ସହ ଦୁଃଖକୁ ଚିହ୍ନଟ କରି ସେଥିରୁ ମୁକ୍ତି ପାଇବାର ପଥ ପରିଷ୍କାର ହୋଇଥାଏ।ଏହି ମୁକ୍ତି ହିଁ ହେଉଛି ନିର୍ବାଣ।ଏହି ନିର୍ବାଣ ପାଇବାକୁ ବୁଦ୍ଧ ଚାରୋଟି ମାର୍ଗ ଦର୍ଶାଇଥିଲେ।ଯଥା ୧- ସୋତାପତ୍ତି ମାର୍ଗ,୨-ସକଦାଗାମୀ ମାର୍ଗ,୩-ଅନାଗାମି ମାର୍ଗ ଓ ୪-ଅହର୍ତମାର୍ଗ।ସୋତାପତ୍ତି ମାର୍ଗ ଅର୍ଥାତ୍ ଯେଉଁ ବ୍ୟକ୍ତି ବୁଦ୍ଧଙ୍କ ବାଣୀ ଓ ଅନୁଶାସନକୁ ଶ୍ରଦ୍ଧା ଓ ଭକ୍ତିର ସହିତ ଗ୍ରହଣ କରନ୍ତି।ଯେଉଁମାନେ ସକଦାଗାମି ମାର୍ଗ ଅନୁବର୍ତ୍ତୀ ସେମାନଙ୍କୁ ଅତି କମ୍‌ରେ ସାତଥର ଜନ୍ମଗ୍ରହଣ ପରେ ନିର୍ବାଣ ମିଳିଥାଏ।ଅନାଗାମି ମାର୍ଗ ଅନୁବର୍ତ୍ତୀ ବ୍ୟକ୍ତିଙ୍କୁ ଆଉ ଏ କାମ,କ୍ରୋଧ,ଲୋଭ,ମୋହ,ମାୟା ସଂସାରକୁ ଆସିବାକୁ ପଡ଼ି ନଥାଏ।ଅହର୍ତ ମାର୍ଗ ହେଉଛି ସର୍ବଶ୍ରେଷ୍ଠ ମାର୍ଗ।ସେମାନଙ୍କର ସକଳ କାମନାର ବିନାଶ ଘଟିଥାଏ।ସେମାନେ ଦେହତ୍ୟାଗ ପରେ ନିର୍ବାଣ ଲାଭ କରିଥାନ୍ତି।

 

ବୌଦ୍ଧ ଧର୍ମରେ କୋୖଣସି ଏକ ନିର୍ଦ୍ଦିଷ୍ଟ ପନ୍ଥା ଗ୍ରହଣ କରିବାକୁ ବାଧ୍ୟବାଧକତା ନଥିଲା।ଯାହାକୁ ଯେଉଁ ପନ୍ଥା ସୁବିଧା ହେଲା ସେ ନିର୍ବାଣ ନିମନ୍ତେ ସେହି ପନ୍ଥା ଚୟନ କରିପାରୁଥିଲା।ଫଳତଃ ଏହି ଧର୍ମ ବାସ୍ତବବାଦୀ ଦୃଷ୍ଟିକୋଣ ଯୋଗୁଁ ଅଳ୍ପ ସମୟ ଭିତରେ ଜନପ୍ରିୟ ଧର୍ମର ମାନ୍ୟତା ଲାଭ କରିପାରିଥିଲା।ଏହି ଧର୍ମ ବା ବୌଦ୍ଧ ସଂସ୍କୃତିର ଭିତ୍ତି ଥିଲା ବୁଦ୍ଧ,ଧର୍ମ ଓ ସଂଘ।ଏହାକୁ ତ୍ରିରତ୍ନ ବୋଲି କୁହାଯାଏ।ପ୍ରତ୍ୟେକ ଉପାସକଙ୍କୁ ଏହି ତିନୋଟିର ଶରଣ ନେବାକୁ ହୋଇଥାଏ।ସେମାନେ କହିଥାନ୍ତି- *“ବୁଦ୍ଧମ୍ ଶରଣଂ ଗଚ୍ଛାମି,ଧର୍ମମ୍ ଶରଣଂ ଗଚ୍ଛାମି ଓ ସଂଘ ଶରଣଂ ଗଚ୍ଛାମି।”*

 

ଖୁବ ଲୋକପ୍ରିୟତା ହାସଲ କରିଥିବା ବୌଦ୍ଧଧର୍ମର ଶୃଙ୍ଖଳାରେ ଅବକ୍ଷୟ ବିଶେଷକରି ବୁଦ୍ଧଦେଵଙ୍କ ମୃତ୍ୟୁ ପରେ ପରିଲକ୍ଷିତ ହୋଇଥିଲା।ସଂଘ ମଧ୍ୟରେ ବିଭାଜନର ସୂତ୍ରପାତ ଘଟିଥିଲା।ଶେଷରେ ବୌଦ୍ଧମାନେ ଥେରବାଦୀ ଓ ମହାସାଂଘିକ ଭାବେ ଦୁଇଟି ଗୋଷ୍ଠୀ ହୋଇଗଲେ।ପରବର୍ତ୍ତୀ ପର୍ଯ୍ୟାୟରେ ବୌଦ୍ଧଧର୍ମର ବିଧିବଦ୍ଧ ଭାବେ ହୀନଯାନ ଓ ମହାଯାନ ନାମକ ଦୁଇ ଗୋଷ୍ଠୀ ଗଢ଼ି ଉଠିଥିଲା।ଶେଷରେ ଏତିକି କହିଲେ ଯଥେଷ୍ଟ ହେବ କି *ବିଶ୍ଵକଲ୍ୟାଣ ହିଁ ଥିଲା ବୌଦ୍ଧ ସଂସ୍କୃତିର ମୂଳମନ୍ତ୍ର।’ସର୍ବଜନ ହିତାୟ ,ସର୍ବଜନ ସୁଖାୟ ସତ୍ୟରେ ଏ ସଂସ୍କୃତି ବିଶ୍ଵାସ ରଖିଥିଲା।*

 

ବୌଦ୍ଧ ଧର୍ମ ଏକ ଧର୍ମ ଓ ଦର୍ଶନ ଯେଉଁଥିରେ ଅନେକ ଧରଣର ପରମ୍ପରା,ବିଶ୍ୱାସ ଓ ଆଚରଣ ରହିଥିଲା।ଗୌତମ ବୁଦ୍ଧଙ୍କ ବୌଦ୍ଧ ଧର୍ମ ଖୁବ୍ ଅଳ୍ପ କାଳ ମଧ୍ୟରେ ସମଗ୍ର ଭାରତବର୍ଷରେ ପ୍ରସାରଲାଭ କରିଥିଲା।ବିଶେଷତଃ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ପୃଷ୍ଠପୋଷକତାରେ ବୌଦ୍ଧ ଧର୍ମ କେବଳ ଭାରତରେ ନୁହେଁ,ଭାରତ ବାହାରେ ଯଥା ପଶ୍ଚିମରେ ଗ୍ରୀସ ଦେଶଠାରୁ ପୂର୍ବରେ ବ୍ରହ୍ମଦେଶ ପର୍ଯ୍ୟନ୍ତ ଏବଂ ଦକ୍ଷିଣରେ ଶ୍ରୀଲଙ୍କା ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା।ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀରେ କୁଶାଣ ବଂଶର ଶ୍ରେଷ୍ଠ ସମ୍ରାଟ କନିଷ୍କଙ୍କ ପ୍ରେରଣାରେ ବୌଦ୍ଧଧର୍ମ ଚୀନ,ତିବ୍ୱତ,ଜାପାନ ପ୍ରଭୃତି ଦେଶରେ ପ୍ରଚାରିତ ହୋଇଥିଲା।ସପ୍ତମ ଓ ଅଷ୍ଟମ ଶତାବ୍ଦୀରେ କନୌଜର ରାଜା ହର୍ଷବର୍ଦ୍ଧନଙ୍କ ସାହାଯ୍ୟରେ ବୌଦ୍ଧଧର୍ମ ବିଶେଷ ଅଗ୍ରଗତି ଲାଭ କରିଥିଲା।ଏହିପରି ପୃଷ୍ଠପୋଷକତା ଲାଭକରି ବୌଦ୍ଧ ଧର୍ମ ପୃଥିବୀର ଏକ ମୂଖ୍ୟ ଧର୍ମରେ ପରିଣତ ହୋଇଥିଲା।ପ୍ରାଚୀନ ରାଜା ମହାରାଜା ମାନଙ୍କଦ୍ୱାରା ଅତି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଅସଂଖ୍ୟ ବୌଦ୍ଧଗୁମ୍ଫା,ସ୍ତୂପ,ବୌଦ୍ଧବିହାର ଓ ବୌଦ୍ଧମୂର୍ତ୍ତି ଗୁଡ଼ିକ ଭାରତର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିଲା।ଯାହା ବୌଦ୍ଧ ଧର୍ମର ପ୍ରଚାର ଏବଂ ପ୍ରସାର ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲା।ସମ୍ରାଟ ଅଶୋକଙ୍କର ଅନୁଶାସନ ବୌଦ୍ଧଧର୍ମ ପ୍ରସାରର ଏକ ପ୍ରଧାନ କାରଣ।ଭାରତ ସମେତ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ବିଭିନ୍ନ ସ୍ଥାନରେ ଆଜିର ଦିନରେ ବୁଦ୍ଧ ଜୟନ୍ତୀ ବହୁ ଆଡମ୍ବର ସହକାରେ ପାଳିତ ହୋଇଥାଏ ।

 

ପ୍ରାଚୀନ କାଳରେ ଓଡିଶା ଭାରତର ସମଗ୍ର ପୂର୍ବ ଉପକୂଳରେ ବ୍ୟାପ୍ତ ଏକ ବିଶାଳ ଭୂଖଣ୍ଡ ଥିଲା।ଏହା କଳିଙ୍ଗ,ଉତ୍କଳ,ଉଡ୍ର ଆଦି ଏକାଧିକ ନାମ ବହନ କରୁଥିଲା ତେବେ କେତେକ ପୌରାଣିକ ଗ୍ରନ୍ଥରେ କଳିଙ୍ଗଠାରୁ ଉତ୍କଳ ପ୍ରାଚୀନ ବୋଲି ଉଲ୍ଲେଖ ରହିଛି।ମହାକବି କାଳିଦାସ ‘ରଘୁବଂଶ’ କାବ୍ୟରେ ଉତ୍କଳ କଳିଙ୍ଗର ଏକ ପଡୋଶୀ ରାଜ୍ୟ ଥିଲା ବୋଲି ସୂଚନା ଦେଇଛନ୍ତି ମାତ୍ର ଏକଥା ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ ଓଡିଶା,ଉତ୍କଳ ଅଥବା କଳିଙ୍ଗର ସୃଷ୍ଟି ବହୁ ପ୍ରାଚୀନ।ସେହି ପ୍ରାଚୀନ କାଳରୁ ଉତ୍କଳର ବୁଦ୍ଧିଜୀବୀମାନେ ସାରା ଭାରତବର୍ଷକୁ ଜ୍ଞାନ ବିତରଣ କରୁଥିଲେ।ବହୁ ସନ୍ଥ ଓ ଧର୍ମଗୁରୁ ଏଠାକୁ ଆସି ନିଜ ନିଜ ଧର୍ମର ପ୍ରଚାର ପ୍ରସାର କରିବା ସହିତ ପରମ ଶାନ୍ତି ଏବଂ ତୃପ୍ତି ଲାଭ କରିଥିଲେ।ମହାକାରୁଣିକ ବୁଦ୍ଧଦେବ ସେହିଭଳି ଜଣେ ଧର୍ମ ପ୍ରବର୍ତ୍ତକ ଥିଲେ।ମିଥ୍ୟା ଐତିହାସିକ ଲିଖନ ଅନୁସାରେ ବୁଦ୍ଧ ନେପାଳରେ ଜନ୍ମ ଲିଖିତ ଥିଲେ ମଧ୍ୟ ବହୁ ଦୃଷ୍ଟିକୋଣରୁ ଏହା ମିଥ୍ୟା ବୋଲି ବିବେଚିତ ହୁଏ ଏବଂ ବୁଦ୍ଧଙ୍କ ଜନ୍ମ ଓଡ଼ିଶାରେ ବୋଲି ଇଙ୍ଗିତ କରେ।ସିଦ୍ଧାର୍ଥଙ୍କ ବୁଦ୍ଧତ୍ୱ ପ୍ରାପ୍ତି ପରେ ପ୍ରଥମେ ‘ତପସୁ’ଏବଂ‘ଭଲ୍ଲିକ’ ନାମକ ଉତ୍କଳର ଦୁଇଜଣ ବ୍ୟକ୍ତିଙ୍କଠାରୁ ସୁମିଷ୍ଟ ଖାଦ୍ୟ (ପିଠା ଓ ମହୁ)ଖାଇ ଉପବାସ ଭଙ୍ଗ କରିଥିଲେ ଏବଂ ତାଙ୍କୁ ନିଜର ତପସ୍ୟା ଉପଲବ୍ଧ ଜ୍ଞାନ ପ୍ରଦାନ କରିଥିଲେ।ତା’ପରେ ସେମାନେ ଦୁହେଁ ହୋଇ ଯାଇଥିଲେ ବୁଦ୍ଧଙ୍କର ଦୁଇ ପ୍ରଥମ ଉପାସକ।

 

ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଓଡିଶାର ଭୂମିକା ଉଲ୍ଲେଖନୀୟ।ଓଡିଶାର ବିଭିନ୍ନ ସ୍ଥାନରେ ସ୍ଥାପିତ ବୌଦ୍ଧ କଳା ଓ ସଂସ୍କୃତି ଭଗବାନ ବୁଦ୍ଧଙ୍କ ଶାନ୍ତି ଓ ଅହିଂସାର ବାଣୀ ପ୍ରଚାର କରିଥାଏ।କଟକର ମାଣିଆବନ୍ଧ,ଖୋର୍ଦ୍ଧାର ଧଉଳି,ଯାଜପୁରର ରତ୍ନଗିରି ଆଦି ଅନେକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୌଦ୍ଧ କଳା ଦୃଷ୍ଟିଗୋଚର ହୋଇଥାଏ।ଗଜପତି ଜିଲ୍ଲାର ଚନ୍ଦ୍ରଗିରି ନିକଟରେ ଜିରାଙ୍ଗଠାରେ ୨୦୦୯ ମସିହାରେ ତୀବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଦ୍ବାରା ଉଦ୍‌ଘାଟିତ ୭୦ ଫୁଟ ସୁଉଚ୍ଚ ବୁଦ୍ଧ ମୂର୍ତ୍ତି ଏବଂ ୧୭ ଫୁଟ ଉଚ୍ଚ ବୁଦ୍ଧ ପଦ୍ମସମ୍ଭବ ପ୍ରତିମୂର୍ତ୍ତି ସମସ୍ତଙ୍କ ଦୃଷ୍ଟି ନିବଦ୍ଧ କରିଥାଏ।ସେହିପରି ଭୁବନେଶ୍ବର ନିକଟସ୍ଥ ଧଉଳିଠାରେ ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ବାରା ନିର୍ମିତ ବିଶ୍ବପ୍ରସିଦ୍ଧ ୧୮ଫୁଟ ଉଚ୍ଚ ବୁଦ୍ଧମୂର୍ତ୍ତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରେ।ଓଡିଶାର ବୌଦ୍ଧ ସାହିତ୍ୟ,କଳା,ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ବିପୁଳ ସମ୍ପଦ କାଳର କରାଳ ଗର୍ଭରେ ବିଲୀନ ହୋଇଯାଇଥିଲେ ସୁଦ୍ଧା ଯାହା ବି କିଛି ଅବଶିଷ୍ଟ ରହିଛି ତାହା ଭାରତର ଯେ କୌଣସି ଅଞ୍ଚଳର ବୌଦ୍ଧ ସମ୍ପଦଠାରୁ ଯେ ଯଥେଷ୍ଟ ଅଧିକ ଓ ଅନନ୍ୟ ସେ କଥା ବିନା ଦ୍ୱିଧାରେ କୁହାଯାଇପାରେ।

ଵୁଦ୍ଧମ୍ ଶରଣମ୍ ଗଚ୍ଛାମି

ସ°ଘମ୍ ଶରଣମ୍ ଗଚ୍ଛାମି

ଧର୍ମମ୍ ଶରଣମ୍ ଗଚ୍ଛାମି

ସତ୍ୟମ୍ ଶରଣମ୍ ଗଚ୍ଛାମି

 

ଭାବଗ୍ରାହୀ ତ୍ରିପାଠୀ

Loading

Leave a Reply

Your email address will not be published. Required fields are marked *