ଆରାଧନା
ଜଗତ ଈଶ୍ୱର ଦୟାର ସାଗର
ବିରାଜ ମୋର ହୃଦୟେ
ଚିନ୍ତଇ ମଗନେ ହୃଦ ନିମଗନେ
କରୁଣା କର ସଦୟେ।
ବିଶ୍ୱାସ ଦୀପରେ ପ୍ରେମର ସଳିତା
ଭରସାର ତେଲ ଢ଼ାଳି
ଅବିରତ ଆରାଧନା କରୁଅଛି
ମନରେ ପ୍ରଦୀପ ଜାଳି।
ଦିବ୍ୟ ଦରଶନେ ଅଶ୍ରୁଳ ନୟନେ
ଚାହିଁ ଅଛି ଅପଲକେ
ନାମ ଶ୍ରାବଣରେ ହୃଦରେ କମ୍ପନ
ବହୁଅଛି ନିମିଷକେ।
ପ୍ରେମମୟ ପ୍ରଭୁ ଜୀବନ ମରୁରେ
ଦିବ୍ୟଭାବ ଛିଞ୍ଚି ଦିଅ
ମୋହମାୟା ଭରା ଅନ୍ଧାର ରାସ୍ତାରେ
ଆଲୋକ ପଥ ଦେଖାଅ।
ଆରାଧନା କରେ ଆରାଧନାମୟ
ହେଉ ଏ ସାରା ଜୀବନ
ଆରାଧନା କରି ଆରାଧ୍ୟଙ୍କୁ ଭଜି
ବିତି ଯାଉ ମୋର ଦିନ।