ସ୍ମୃତି ଅପାସୋରା ଗୋସେଇଁ ଧାରା
କେଉଁ ଗୋସେଇଁର କରାଶିଷ ତୋର
ମଥା ପରେ ଅଛି ରହି
କଳକଳ ନାଦେ ଗୋସେଇଁ ଧାରା ଲୋ
ଯାଉଅଛୁ ସଦା ବହି
ସୁନ୍ଦରୀ ପାହାଡ଼ିକନ୍ୟା
ତୋ ଶୀତଳ ସ୍ପର୍ଶେ ଘଞ୍ଚ ବନଭୂମି
ହୋଇଅଛି ଚିରଧନ୍ୟା।।
ନବରଙ୍ଗପୁର ଝରିଗାଁ ବ୍ଲକ୍ ର
କୋଳ ମଣ୍ଡି ନେଲୁ ଜନ୍ମ
ଭୂଗୋଳ ପୋଥିରେ ଅଲିଭା ଅକ୍ଷରେ
ମିଳିନି ଲୋ ତତେ ସ୍ଥାନ
ମନେ ତୋ ଶୋଚନା ନାହିଁ
ଲକ୍ଷ୍ୟ ସିନା ତୋର ସୁଦୂର ପ୍ରସରୀ
ସାଗରେ ମିଶିବା ପାଇଁ।।
ଦୁର୍ଗମ ଗିରି ବନ୍ଧୁର ପଥ
ଲଂଘି ଲତା କଣ୍ଟା ବୁଦା
ପ୍ରସ୍ତର ଶଯ୍ୟା କୁ ଡେଇଁ ଡେଇଁ ଚାଲୁ
ନ ମାନି ବିପଦ ବାଧା
ତୋ ସାଥି ହୋଇବା ପାଇଁ
ବଣ ପଶୁପକ୍ଷୀ ପାଦପ ସକଳ
ତୋ ପାଶେ ଆସନ୍ତି ଧାଇଁ।।
ତାଙ୍କ କଳରବେ ନିବାସ ତୋହର
ହୋଇଥାଏ କୋଳାହଳ
ଜନ ମାନସର ଆଢ଼ୁଆଳେ ରହି
ଶୋଚନା ନାହିଁ ଲୋ ତୋର
ପୟ ଦାନେ ତୋଷି ଥାଉ
ପାହାଡି ଜନଙ୍କ ମାତା ରୂପେ ତୁହି
ସଦା ଲୋ ପୂଜିତା ହେଉ।।
ଭାଗ୍ୟାକାଶେ ନିଶ୍ଚେ ଚାନ୍ଦ ତୋ ଉଇଁବ
ଦୁଃଖ ତୋର ଯିବ ଧୋଇ
ପର୍ଯ୍ୟଟନ ସ୍ଥଳି ହେବ ବିକଶିତ
ହସିବ ତୋ ବଣ ଭୂଇଁ
ହସିବୁ ଗୋସେଇଁ ଧାରା
ଚିର ଅମଳିନ ତୋର ରୂପ ଗୁଣ
ସ୍ମୃତି ତୋର ଅପାସୋରା।।
ସନ୍ଧ୍ୟାରାଣୀ ହୋତା
ଶିକ୍ଷୟିତ୍ରୀ, ମାଝିଗୁଡା (କ)