ବିଶ୍ବ ବିଧାତା
ସୃଷ୍ଟିକୁ ସୃଜିଲ ହେ ବିଶ୍ବ ବିଧାତା
ସତେ କେତେ ଯତନରେ
ଆକାଶରେ ଶୋହେ ସୂର୍ଯ୍ୟ ଚନ୍ଦ୍ର ତାରା
ପ୍ରାଣୀ ଜଗତ ଧରାପରେ।।
କେଦାର କାନନ ନଦ ନଦୀ ଝର
ପାହାଡ ପର୍ବତ ଭୂଇଁ
ପ୍ରକୃତିର ଶୋଭା ଅପରୂପ ଆଭା
ତୁଳନା ଯାହାର ନାହିଁ।।
ନାନା ଜାତି ପଶୁ ପକ୍ଷୀଙ୍କୁ ସୃଜିଲ
ନାନା ରୂପ ରେଖ ଦେଇ
ମନୁଷ୍ୟ ସୃଜିଲ ଦେଇ ଦିବ୍ୟ ଜ୍ଞାନ
ବୁଦ୍ଧି ଓ ବିବେକ ଦେଇ।।
ହେଲେ ଦୁଃଖ ଲାଗେ ଆଜିର ମନୁଷ୍ୟ
ସ୍ବାର୍ଥପର ହୋଇ ଅଛି
ତୁମ ସୃଜିଥିବା ପ୍ରକୃତି ସୌନ୍ଦର୍ଯ୍ୟ
ସ୍ବାର୍ଥ ପାଇଁ ବିନାଶୁଛି।।
ସବୁଜ ବନାନୀ ଛେଦନ କରୁଛି
ନିଜ ବାସ ସ୍ଥାନ ପାଇଁ କଳକାରଖାନା ବସାଉଛି କେତେ
ବୃକ୍ଷରାଜି ହାଣି ଦେଇ।।
ପ୍ରକୃତି ମା ଆଜି ହୋଇଛି ଶ୍ରୀହୀନ
ମାଡି ଆସେ ବିପର୍ଯ୍ୟୟ
ପ୍ରଦୂଷିତ ହୁଏ ଜଳବାୟୁ ଆଜି
ବଞ୍ଚିବାଟା ଦୁର୍ବିସହ।।
ଅନ୍ୟାୟ ଅଧର୍ମ ପଥରେ ଯାଉଛି
ତୁମକୁ କି ଜଣାନାହିଁ!
ଧନ ଅରଜୁଛି ପ୍ରାସାଦ ତୋଳୁଛି
ଶାନ୍ତିଟିକେ ପାଉନାହିଁ।।
ହେ ବିଶ୍ବ ବିଧାତା ମାନବକୁ ଦିଅ
ସଦବୁଦ୍ଧି ସଦଜ୍ଞାନ
ପ୍ରକୃତି ସୁରକ୍ଷା ହେଉ ତାର ଧର୍ମ
ହସିଉଠୁ ଗିରିବନ।।
ବନଲକ୍ଷ୍ମୀ ମହାନ୍ତି
ନଡିଆବରାଇ
କେନ୍ଦ୍ରାପଡ଼ା ।