ହୃଦୟ ମନ୍ଦିରେ ବିବେକ ଦେବତା
ହୃଦୟ ମନ୍ଦିରେ ବିବେକ ଦେବତା
ହୋଇ ପାରନ୍ତିନି ଯଦି ପୂଜିତ
ଲାଭ କ’ଣ କୁହ ଚେତନଟେ ହେବା
ବୋଲା ଯିବାନିକି ଜୀବନ୍ତ ଭୂତ ?
ପ୍ରତିକ୍ଷଣ ପରା କର୍ମ ସାଥେ ରହି
ପରଖିଥାଏ ସେ କ୍ରିୟାକଳାପ
ଥାଏ ବି ଚେତାଇ ଜୀବନତମାମ
ତେଜି ରଖିବାକୁ ସୁକର୍ମଦୀପ ।
ତାହାର ସେ ନୀତି ଆଦର୍ଶ ବାଣୀରେ
ଅମଣିଆ ମନ ବାଟକୁ ଆସେ
ଉଚିତ୍ ଅନୁଚିତ ବିଚାରବୋଧରେ
ମନ ଫୁଲ ହସେ ତା’ର ସୁବାସେ ।
ତେବେ କିଆଁ ଆମେ ତା’ କଥା ନମାନି
ମନକୁ ଦିଅନ୍ତି ଅଗ୍ରାଧିକାର
ସଫଳତା କେତେ ବିଫଳତା କେତେ
ବୁଝଇ ନାହିଁ କି ନିଜ ଅନ୍ତର ?
କାୟା ସଙ୍ଗେ ଛାୟା ସମ ସେ ଦେବତା
ଜନମୁ ମରଣ ବାସ ହୃଦୟେ
ତାହାଙ୍କୁ ନପୂଜି ମନ୍ଦିରେ ପୂଜନ
କୁହ ତେବେ କ’ଣ ବିଅର୍ଥ ନୁହେଁ ?
କୁରୁଆଁ, ମୁଗପାଳ, ଯାଜପୁର