ପ୍ରେମ_କରିବି_ନା_ପୂଜା
ଚୁଲବୁଲି ଏଇ ମନ ବଗିଚାରେ
ତୁମେ ବୁଣିଥିଲ ଦିନେ
ପ୍ରେମର ଅସରନ୍ତି ମଞ୍ଜି
ତୁମ ପ୍ରେମର ଛିଟାରେ
ସେ ଅଲିଭା ସ୍ପର୍ଶରେ
ଶିହରି ଯାଇଥିଲା
ଏ ଗୁମସୁମ ମନ !
ସବୁ ମୁହୂର୍ତ୍ତରେ ସାଥିରେ ରହି
ସାଜୁଥିଲ ପ୍ରେରଣା
ଦେଉଥିଲ ମୋତେ ପ୍ରେମଭରା
ପୁଳାଏ ଆଶ୍ୱାସନା,
ମୋ ସବୁ ଅଭିମାନ-ଅଝଟକୁ
କେମିତି ମଥା ପାତି ସହିଯାଅ !
ମୋର ଚିଡିଚିଡ଼ାପଣକୁ
ହସରେ ବଦଳାଇ
ଅମାବାସ୍ୟାରେ ତୁମେ
ଦେଖେଇପାର ଜହ୍ନ,
ଭିଡ଼ ଭିତରେ ବି ହାତଧରି
ଦେଇପାର ସାହସ
ପାଲଟି ଯାଅ ସଂଜୀବନୀ,
ମୋ ନୀରବତାରୁ ବୁଝିପାର
ମୋ ଓଠ ତଳର ଭାଷା,
ମୋ ସ୍ୱର ଶୁଣି କହିଦେଇପାର
ମୋ ଉଷୁମ ଲୁହର କଥା..!
କେମିତି ଜାଣ ଓ କୁହ
ମୋତେ ବି ଲାଗେ ଅଜବ
ଅନୁଭବ ହୁଏ ତୁମେ କ’ଣ ?
ସତରେ ଜିଅନ୍ତା ଦେବତା !
ତେବେ କୁହ, ମୁଁ ତୁମକୁ
ପ୍ରେମ କରିବି ନାଁ ପୂଜା ?
ପ୍ରିୟଙ୍କା ପ୍ରିୟଦର୍ଶିନୀ ରାୟ
ଯାଜପୁର
90 total views, 1 views today