ତୁମେ ଯେବେ ଆସ
ତୁମେ ଯେବେ ଆସ ନୀରବତା ଭାଙ୍ଗି
ପୂର୍ଣ୍ଣମିର ଚନ୍ଦ୍ର ହୋଇ
ନିରବ ଶରୀରେ ବିନା ପବନରେ
କମ୍ପନ ଖେଳି ଉଠଇ.
ତୁମେ ଯେବେ ଆସ ପାହାନ୍ତି ସପନେ
ରାଜକୁମର ମୋ ହୋଇ
ମିଛ ହେଉ ପଛେ ସଜେଇ ହୁଏ ମୁଁ
ରାଜରାଣୀ ବେଶୀ ହୋଇ.
ତୁମେ ଯେବେ ଆସ କବିତା ମୋ ହୋଇ
ଶବ୍ଦ ମାଳ ମାଳ ନେଇ
ବିନା କଲମରେ ବିନା କାଗଜରେ
ମନରେ ଦିଏ ଗାରେଇ.
ତୁମେ ଯେବେ ଆସ ନିଶି ଅନ୍ଧାରରେ
ସୁଖ ନିଦ୍ରା ମୋର ହୋଇ
ମନ ମୋର କୁହେ ଅନ୍ଧାର ଛାତିରେ
ଯାଆନ୍ତି ନିଜେ ଲିଭେଇ.
ତୁମେ ଯେବେ ଆସ ନୀଳ ଆକାଶରେ
ଇନ୍ଦ୍ରଧନୁ ରଙ୍ଗ ନେଇ
ଇଚ୍ଛା ହୁଏ ସେଇ ରଙ୍ଗ ମାଖିଦେଇ
ନାଚନ୍ତି ଫୁଲେଇ ହୋଇ.
ଅଭିପ୍ସା ଧଳ
ତୁଳସୀ କ୍ଷେତ୍ର
କେନ୍ଦ୍ରାପଡ଼ା