ନୀରବତାର ପାହାଡ଼
ନିଃସଙ୍ଗତାର ନିଶବ୍ଦ ଯନ୍ତ୍ରଣାରେ
ଜର୍ଜରିତ ଏ ତନୁମନ
ଚିହିଁକି ଉଠିଛି ଏବେ ପାଇକି
ପୁନଃ ଜୀବନ୍ନ୍ୟାସର ଚିହ୍ନ…
ଆକଣ୍ଠ ପିଇଯାଇଥିଲା ଯେ ଦିନେ
ଭାବି ଅତ୍ୟାଚାରକୁ ଅମୃତ
ଅତୀତର ଶୋଷଣ କଷଣ ଯେତକ
ସ୍ମୃତି ଚିତ୍ରପଟ୍ଟେ ଅଙ୍କିତ…
ସବୁଜିମା ଲିଭି ଜୀବନାରଣ୍ୟରେ
ତିଷ୍ଠିଥିଲା ପର୍ଣ୍ଣମୋଚୀର ଭୂଇଁ
ଶୀତଳ ସମୀର ସାଥେ ବାରିଦ ବାଟକୁ
ଟାଙ୍ଗରା ହୃଦୟ ରହିଥିଲା ଚାହିଁ…
ଅଦ୍ୟ ଘନଘନ ଅଦିନିଆ ବର୍ଷାର ଛାଟ
ବତୁରାଏ ବିଷାଦଗ୍ରସ୍ତ ବକ୍ଷକୁ
ଅତୀତର ଦୁର୍ବଳ ଛାତଟା ଦୋହଲି ଉଠେ
ଶାନ୍ତିର ସ୍ପର୍ଶ କ୍ଷଣେ ପାଇବାକୁ…
ଏଇକ୍ଷଣି ଶାନ୍ତ ହେବାଟା କି ସମ୍ଭବ
ସ୍ୱଳ୍ପ କି କ୍ଷଣିକ ନଥିଲା ସେ ଝଡ଼
କେତେ ଚେଷ୍ଟା ପରେ ବି ଭାଙ୍ଗେନା
ଶକ୍ତ ନୀରବତାର ପାହାଡ଼…
ପୂଜାରାଣୀ ନାୟକ
ବଖାଣପୁର, ଯାଜପୁର
100 total views, 1 views today