ଅଭିନନ୍ଦନୀୟ ଗୀତି
ମହାନଦୀ ତୀରେ ମାଧବ ନାମରେ
ବିଶ୍ବାବସୁ ପ୍ରିୟ ତୁମେ
ମହୋଦଧି ତଟେ ମହାବାହୁ ସତେ
ପୁଣ୍ୟ ନୀଳାଚଳ ଧାମେ।
କଣ୍ଟିଲୋରେ ତୁମ ଆଦ୍ଯ ଆସ୍ଥାନ ଯେ
ଶିରୀକ୍ଷେତ୍ର ଲୀଳାଭୂମି
କେତେ ସାଧୁସନ୍ଥ ଭକ୍ତି ଭାବଧାରା
ଆତ୍ମା ଯାଏ ଝୁମି ଝୁମି।
କନ୍ଦର କମ୍ପିତ ବ୍ରହ୍ମ ବିଦ୍ୟମାନ
ନୀଳାଚଳେ ପରଂବ୍ରହ୍ମ
କଳ୍ପାନ୍ତର ତୁମ କୀର୍ତ୍ତିରାଜି ସିନା
ଯୁଗାନ୍ତର ପରାକ୍ରମ।
ଆହେ ମହାବାହୁ ତୁମ ମହାନତା
ମନରେ ବିସ୍ମୟ ଜାଗେ
ଇଚ୍ଛା ନାହିଁ ପ୍ରଭୁ ପାର୍ଥିବ ସମ୍ପଦ
ଆଶିଷ ହିଁ ଅନୁରାଗେ।
ପ୍ରାର୍ଥନାର ପ୍ରୀତି ହେ ପରାଣ ପତି
ପାଦ ତଳେ ମୋର ଅଳି
କଳ୍ପନା ଜଳ୍ପନା ତୁମ ଆରାଧନା
ଭକ୍ତିପୂତ କରତାଳି ।
ଅବହେଳା କେବେ କରିବନି ପ୍ରଭୁ
ଅକିଞ୍ଚନଟିଏ ଭାବି
ଅଖିଳ ସଂସାର ଆସକ୍ତି ହେ ବିଭୁ
ବରଦାନେ ଭାବେ କବି।
ଶବ୍ଦକୁ ଶବ୍ଦରେ ଛନ୍ଦି ଦେଇ ଆହା
ଛନ୍ଦାଚରଣରେ ପ୍ରୀତି
ଅଭିନବ ତୁମ ଅତୀନ୍ଦ୍ରିୟ ଧାରା
ଅଭିନନ୍ଦନୀୟ ଗୀତି।
ରାକମା, ଭାପୁର, ନୟାଗଡ଼