ହେ ମୃତ୍ୟୁ
ଜୀବନର ଶେଷେ କିଏ ଆସୁ କି ନଆସୁ
ତୁମେ ତ ନିଶ୍ଚିତ ଆସିବ
ଶବଟେ ଚାଲିଗଲା ସଭିଏଁ କହୁଥିବେ
ତୁମେ ମୁରୁକି ହସୁଥିବ।।
ସଂସାରରେ ସବୁ ମିଛ ମୋହମାୟା
ତୁମେ ହିଁ ଚିରନ୍ତନ ସତ୍ୟ
ଆଶା ଫୁଲ ସବୁ ମଉଳିବା ଆଗରୁ
ତୁମେ ଆସିଯାଅ ନିତ୍ୟ।।
କେବେ ସାଦର ସମ୍ମୋହନ ତୁମେ
ପୁଣି ସାଜ କେବେ କାଳବେଳ
ରାଜୁତିରେ ତୁମ୍ଭ ପ୍ରଜା ଏହି ବିଶ୍ୱ
ତୁମ ଲାଗି ଭୀତ ପ୍ରାଣୀକୁଳ।।
ମୁହୂର୍ତ୍ତେ ବି ନିଅଣ୍ଟ ପଡଇ ତୁମକୁ
ତଥାପି ଲୁଚକାଳି ଖେଳୁଥାଅ
ଉତ୍ତପ୍ତ ମରୁର ମରୀଚିକା ଭଳି
ମାୟାଜାଲ ସଦା ବୁଣୁଥାଅ।।
ପାଣି ଫୋଟକା ସଦୃଶ ଜୀବନର
ଶୂନ୍ୟ ସଂଜ୍ଞାହୀନ ଶେଷ
ଉଇଁଲା ସୁରୂଜର ଧାରେ କିରଣ ବିଞ୍ଚି
ତୁମେ ଅସ୍ତବେଳାର ପରଶ।।
ଜଞ୍ଜାଳ ଜ୍ୱାଳାରୁ ଜୀବନରୁ ଆତ୍ମାକୁ
ଅନାୟାସେ କରିପାର ମୁକ୍ତ
ତୁମେ ଐଶ୍ୱର୍ଯ୍ୟମୟ,ପୂର୍ଣ୍ଣ ପୁଣି ଅପୂର୍ଣ୍ଣ
ହେ ମୃତ୍ୟୁ ତୁମେ ହିଁ ବିଶ୍ୱସ୍ତ।।
ପୂଜାରାଣୀ ନାୟକ
ବଖାଣପୁର,ଯାଜପୁର