କିଏ ସେ ଝିଅ ଥିଲା
କିଏ କିଏ ସେ ଝିଅ ଥିଲା
ଯେ ଜୀବନକୁ ଭେଟୁଥିଲା
ପ୍ରଜାପତିର ଚଞ୍ଚଳପଣରେ
ଯେ ଖୁସି ସବୁକୁ ସାଉଁଟୁ ଥିଲା
ଆକାଶର ଗୋଲ ଜହ୍ନଭିତରେ
ତା’ର ବି ଗୋଟିଏ ଦୁନିଆଁଥିଲା
ସେଇଠୁ ଦେଖାଯାଏ ଆକାଶ
ଦେଖାଯାଏ ବି ପାଦତଳ ମାଟି
ସେ ଆକାଶ ତାକୁ ଗେଲ କରେ
ତା’ ଗାଲରେ ଚୁମା ଦିଏ
ବିସ୍ତୀର୍ଣ୍ଣ ପ୍ରାନ୍ତରରାଶି ତାକୁ ଆଲିଙ୍ଗନ କରେ
ଝିଅଟି ପବନରେ ଦୋଳି ଖେଳେ
ବର୍ଷାରେ ଢେର ନାଚେ
ମନଖୋଲି ହସେ, ବହୁତ ହସେ,ସବୁବେଳେ ହସେ ॥
କେମିତ କ’ଣ ହେଲା
ସବୁକିଛି ବଦଳିଗଲା
ଏବେ ସବୁକିଛି ସ୍ଥିର
ତୁମେ ସ୍ଥାଣୁ ବି କହିପାର !
କିଏ ଜଣେ ? ସେଇ ଝିଅର କାନରେ
କି ମନ୍ତ୍ର ଫୁଙ୍କି ଦେଲା
ଆଖିର ମୋହିନୀ ଦେଇ
ତାକୁ ଗୋଟାପଣେ ନିଜର କରିନେଲା ॥
ଏବେ ସମୟ ସତେ ଯେମିତି ବଦଳିଲା
ଝିଅଟି ଖେଳିବା ଛାଡ଼ିଲା
ଝିଅଟି ହସିବା ଭୁଲିଲା
ଝିଅଟି କଥା କହିବାକୁ ମନାକଲା
ଝିଅଟି ବଦଳିଲା
ତା’ ଆଖି ପାଲଟିଲା ସମୁଦ୍ର ପରି ଗଭୀର
ତା’ ଘନକୁନ୍ତଳ ପାଲଟିଲା ଅମାବାସ୍ୟାର ଅନ୍ଧାର
ତା’ ପାଦ ପାଲଟିଲା ଅଭିସାରର ଏରୁଣ୍ଡି ॥
ସେ ଆକାଶକୁ ଘୃଣାକଲା
ପୃଥିବୀକୁ ଜଞ୍ଜିର ଭାବିଲା
ମୁକ୍ତି ଚାହିଁଲା ସେ ନିଜଠାରୁ ମୁକ୍ତି
ସେ କାନ୍ଦିଲା, ହାତ ଯୋଡ଼ିଲା, ମୁଣ୍ଡପିଟିଲା
ତଥାପି, କିଏ ବା ତାକୁ ମୁକ୍ତି ଦେବ
ଦେହସାରା ତା’ର ରକ୍ତ
ତା’ ରକ୍ତରେ ପାଦତଳର ମାଟି କାଦୁଅହେଲା
ଝିଅଟି ଏବେ ଜୀବନକୁ ଭେଟିବା ନୁହଁ
ପ୍ରତି ମୁହୂର୍ତ୍ତକୁ ଭୋଗିବା ଶିଖିଲା
ପାଖକୁ ଯାଇ ଦେଖିଲି – ଝିଅଟି ରକ୍ତଭିଜା ମାଟିରେ
କେଇଧାଡ଼ି କବିତା ଲେଖିଥିଲା ॥
ରଶ୍ମିରେଖା, କଟକ |