ମାଆ ଗଜଲକ୍ଷ୍ମୀ
ଖୁସିର ସମ୍ଭାର ଆଣି ଆସିଅଛି
ମର୍ତ୍ତ୍ୟେ ମାଆ ଗଜଲକ୍ଷ୍ମୀ ,
ସାଗର ଦୁଲାଳୀ ବିଷ୍ଣୁ ପାଟରାଣୀ
ପଦ୍ମାସନା ମା ପଦ୍ମାକ୍ଷୀ ।
କ୍ଷୀର ସାଗରକୁ ମନ୍ଥନ କାଳରେ
ହେଲ ମାଆ ଆବିର୍ଭୂତା ,
ଧନ ଜନ ଗୋପ ଲକ୍ଷ୍ମୀ ଭାବେ ମାଆ
ସୃଷ୍ଟିରେ ହେଲ ବନ୍ଦିତା ।
ବେନି ପାର୍ଶ୍ଵେ ଦୁଇ ହସ୍ତୀ ଥାଇ ଶୁଣ୍ଢେ
ସିଞ୍ଚନ କରନ୍ତି କ୍ଷୀର,
ବେନି ହସ୍ତେ ପଦ୍ମ ଶୋଭା ପାଏ ବେନି
ବର ,ଅଭୟ ମୁଦ୍ରାର ।
ଶରତେ ମରତେ ବିଜେ ମା ଜଗତେ
କଲ୍ୟାଣ ହିତେ ସୃଷ୍ଟିର ,
ଭକତ ଆରତ ଶୁଣି ଥାଅ ମାତ
ଚିତ୍ତ ରଖି ଧୀର ସ୍ଥିର ।
ଭୋକିଲା ପେଟକୁ ଦେଉ ମା ଆହାର
ଖୋଲି ବାଉନ ଭଣ୍ଡାର ,
ତୋ କରୁଣା ବିନା ମିଳେନା କାହାକୁ
କଣିକା ଟିଏ ଶସ୍ଯର ।
ପଦ୍ମା ପଦ୍ମାଳୟା କ୍ଷୀରାବ୍ଧିତନୟା
ପାଦେ କରୁ ଆରାଧନା,
ସଭକ୍ତି ନୈବେଦ୍ୟ କରୁଛୁ ଅର୍ପଣ
କରନା କରୁଣା ଊଣା।
ଭୁଲ୍ ତୃଟି ଆମ ନ’ଧର ମନରେ
ଅଳି କରୁ ସିନ୍ଧୁଜେମା ,
ତବ ସନ୍ତାନକୁ ଦେଖାଅ ସୁପଥ
ଦୋଷାଦୋଷ କରି କ୍ଷମା ।
କୁଞ୍ଜ ବିହାରୀ ଦଳାଇ
ସିଂଲା ବାଲେଶ୍ବର