ମହାନଦୀ ର ମୁହାଣେ
କଟକ ବାଲିଯାତ୍ରା ମହାନଦୀ କୁଳ | ପଵନ ଦ୍ରୁତ ଗତିରେ ବହୁଥାଏ ଆଉ ଆତ୍ମା କୁ ଲାଗୁଥାଏ ସତେ ଯେମିତି ମର୍ତ୍ୟ ପୁରରେ ଆଉ ଏକ ସ୍ୱର୍ଗ ବିଧାତା ଗଢ଼ିଦେଇଛି |ପଶ୍ଚିମରେ ଅସ୍ତ ହେଉଥିବା ସୂର୍ଯ୍ୟକୁ ଦେଖି ପକ୍ଷୀମାନେ ପଵନକୁ ଚିରି ଉଡିଯାଉଥାନ୍ତି ତାଙ୍କ ବସାକୁ |ଅସ୍ତ ସମୟରେ ମହାନଦୀ ବି ଲାଗୁଥାଏ ସୁନ୍ଦର ଏବଂ ଆକାଶ ମଧ୍ୟ ସାୟଂକାଳରେ ଲାଲ ଶାଢ଼ୀ ପିନ୍ଧି ଖୁବ ମନଛୁଆଁ ଲାଗୁଥାଏ |ଦୁହିଁଙ୍କୁ ପ୍ରେମିକା କହିଲେ ମଧ୍ୟ ଆଦୌ ଅତ୍ୟୁକ୍ତି ହେବନାହିଁ |ସନ୍ଧ୍ୟା ଯେତେ ନିକଟତର ଲାଗୁଥାଏ ମହାନଦୀ ସେତେ ଉତଫୁଲୀତ ହୋଇ ଉଠୁଥାଏ |ସତେ ଯେମିତି ନଦୀ ଟି କେତେ ତପ କରି ସନ୍ଧ୍ୟାକୁ ପ୍ରେମିକା ରୂପେ ପାଇଛି |ଆଉ ସନ୍ଧ୍ୟା ବି ନଦୀ ପ୍ରତି ଉତ୍କଣ୍ଠିତ ହୋଇଉଠେ ଯେତେବେଳେ ପଵନ ସାଙ୍ଗେ ଦୌଡ଼ି କୂଳରେ ପିଟି ହୋଇ ଜୁଆର ସୃଷ୍ଟି କରୁଥାଏ |ସବୁଠାରୁ ବଡ଼ କଥା ହେଲା ସମୟ ଥାଏ ଏମାନଙ୍କ ମଧ୍ୟେ ମଧ୍ୟସ୍ଥି |
ନଦୀର ଯୌବନ ବି ଥାଏ ସତେଜ ଅର୍ଥାତ ପାଣି ଦେଖିବାକୁ ପୁରା କାଚ |ନଦୀର ଯୌବନରେ ସନ୍ଧ୍ୟା ମୋହିତ ହୋଇ ବାରମ୍ବାର ସମୟ ନେହୁରା ହୋଇ କିଛି ସମୟ ଅଟକିଯିବାକୁ କହୁଥାଏ |କିନ୍ତୁ ସମୟ ଆଜିଯାଏଁ କାହା କଥା ଶୁଣିଛି ନା ଶୁଣିବ |ଏମିତି ଦେବ ଦେବ ମହାଦେବଙ୍କ ପିନାକ ପାଶୁପାତ ତଥା ନାରାୟଣଙ୍କ ତ୍ରିଶୂଳ ଯେଉଁଠି ସମୟର ନିୟତିକୁ ବଦଳେଇ ଦେଇନି, ଆମେ କିବା ଛାର ଯେ ସମୟକୁ ବଦଳେଇ ପାରିବା |
ନଦୀ କୂଳରେ ବସି ଖୁବ ଭରପୁର ମଜା ନେଉଥାଏ |ଆଉ ସବୁଠୁ ଭଲଲାଗେ ସେଇ ୨ ଜଣଙ୍କ ଯୁଗଳ ମିଳନ|ପ୍ରତି ମୁହୂର୍ତ୍ତରେ ଉଠିଆସୁଥାଏ ଛୋଟିଆ ଛୋଟିଆ ଜୁଆର ଆଉ ପାଦକୁ ଏଠି ଧୋଇ ପକାଉଥାଏ |ଧୂଳି ସାଙ୍ଗେ ଧୂଳି ହେଉଥିବା ପାଦ ତେବେ ଯାଇ ହୀରା ପରି ଝଲସି ଉଠୁଥିଲା ଯେତେବେଳେ ମହାନଦୀ ତା ହାତରେ ପାଦକୁ ପୋଛି ଧୂଳି ଗୁଡା ନିଜ ଭିତରକୁ ନେଇଯାଉଥାଏ |ଛୋଟ ଛୋଟ ମାଛମାନେ ବି ପାଦ ଉପରେ ଆସି ବହୁତ ଖେଳନ୍ତି କିନ୍ତୁ ହାତର ସ୍ପର୍ଶ ଯେତେବେଳେ ପାଣିରେ ବାଜେ ଲାଜକରି ପଳେଇଯାଆନ୍ତି |ତରୁଣୀମାନେ ଏକାଠି ରହି କୌଣସି ସ୍ଥାନରେ ମଜା କରୁଥିଲା ବେଳେ ହଠାତ ଏକ ପରଦେଶୀ କୁ ଦେଖି ଯେମିତି ହଠାତ ଲୁଚି ଯାଆନ୍ତି, ସେଇଭଳି ମାଛମାନେ ମଧ୍ୟ |
ଧୀରେ ଧୀରେ ସନ୍ଧ୍ୟା ର ଅବସାନ ଘଟୁଥାଏ ଏବଂ ସନ୍ଧ୍ୟା ର ଅବସାନ ଦେଖି ନଦୀ ଧୀରେ ଧୀରେ ଶାନ୍ତ ହେବାକୁ ପଢୁଥାଏ |ସନ୍ଧ୍ୟା ର ଇଚ୍ଛା ନଥାଏ କିନ୍ତୁ କଣ କରିହେବ? ସମୟର ଗତିକୁ କିଏ ଅଟକାଇଛି ନା ଅଟକେଇ ପାରିବ? ଏବେ ସେ ଶାନ୍ତ ଓ ତା କୂଳରେ ଥିବା ବାଲୁକା ବି |ଚାରିଆଡେ କେହି ନାହାନ୍ତି |ନଦୀ ସାଙ୍ଗରେ ମୁଁ ଆଉ ରାତି ଓ ତା ସାଙ୍ଗକୁ ବିମୋହିତ ଚାନ୍ଦ |ରାତ୍ରିରେ ଜଳରେ ଯେପରି ମୁକ୍ତା ଫୁଟୁଥାଏ |କିନ୍ତୁ ତଥାପି ଖୁସିରେ ନଥାଏ ନଦୀ |ଯେଉଁ ସୌନ୍ଦର୍ଯ୍ୟକୁ ନିଜ ପ୍ରେମିକା ଦେଖି ଉପଭୋଗ କରିପାରିଲାନି ସେ ସୌନ୍ଦର୍ଯ୍ୟ କୁ ଆଉକିଏ ଦେଖି ଖୁସିହେଲେ କଣ ଲାଭ?
ରାତ୍ରି ସମୟ |ଛୋଟିଆ ଛୋଟିଆ ଢେଉ ଉଠି କୂଳର ସବୁ ଧୂଳିକୁ ପୋଛିନେଇ ପରିଷ୍କାର କରିଦିଏ |ନଦୀର ଏପରି ମହାନ କାମ ଦେଖି ନଦୀକୁ ଯେବେ ପଚାରେ – ଏ ନଦୀ….. ତୋ ଭିତରେ ଏତେ ଭଲପାଇବା କେଉଁଠୁ ଆସିଲା? ନଦୀ ହସିକରି ଉତ୍ତର ଦିଏ – ମୁଁ ଆଧୁନିକ ଯୁଗର ମାନବ ନୁହଁ ଯେ ପର ର ଅନିଷ୍ଟ ଚିନ୍ତା କରିବି |ମୁଁ ପ୍ରକୃତି ର ଏକ ଅଂଶ |ଆଉ ଭଗବାନ ଏଇଥିପାଇଁ ମୋତେ ସୃଷ୍ଟି କରିଛନ୍ତି ପରର ମଙ୍ଗଳ କରିବା ପାଇଁ |ଓଠ ଚୁପ୍ ରହିଗଲା ଓ ବିବେକ ଏ କଥା ଶୁଣି ମନ କୁ କହିବାକୁ ଲାଗିଲା – ଯଦି ଆଧୁନିକ ଯୁଗରେ ଜନ୍ମ ହେଉଥିବା ଶିଶୁ ଯନ୍ତ୍ର ସହିତ ବନ୍ଧୁତା ଛାଡି ପ୍ରକୃତି ସହିତ ଯଦି ବନ୍ଧୁତା କରନ୍ତେ, ତାହେଲେ ଦୁନିଆ ବହୁତ ଉନ୍ନତ ହୁଅନ୍ତା |
ନଦୀର ଏ କଥା ଶୁଣି ପୁଣି ମୁଁ ପଚାରେ – ତାହେଲେ ମଣିଷ ତ ଅନେକ ଅନେକ ନାନା ବର୍ଜ୍ୟଵସ୍ତୁ ତୋ ଗର୍ଭରେ ଅଜାଡି ଦିଅନ୍ତି ଏମିତି କି ଜୀବନ ନଥିବା ମାନବ ବି |କଣ ତୁ ସେତେବେଳେ ବି ଚୁପ ଥିବୁ?
– ହଁ ଚୁପ ଥିବି କାରଣ ଭଗବାନ ମୋତେ ସହନଶୀଳ ଶକ୍ତି ଦେଇଛନ୍ତି, ନଦୀର ଉତ୍ତର |
– ଯେବେ ତୋ ସହିବା ର ସୀମା ଟପିଯିବ କଣ ସେତେବେଳେ ବି ତୁ ଚୁପ ରହିବୁ?
– ନା….. କାରଣ ଯେତେବେଳେ ଜଣେ ସହି ସହି ତା ହୃଦୟକୁ ପଥର କରିଦିଏ ନା ତାହେଲେ ସେଇ ପଥର ଉପରକୁ ଯିଏ ଆଘାତ କରେ କ୍ଷୟ ଆଘାତ କଲା ଵାଲା ର ଘଟେ |ଭଗବାନ ଙ୍କ ନିର୍ଦେଶ ଯେବେ ହେବ ସେବେ ଯାଇ ମନୁଷ୍ୟ ମୋର କରାଳ ରୂପ ଦେଖିବ ଆଉ ସେଇ ରୂପରେ ଆଗାମୀ ପିଢିଙ୍କୁ ଏଇ ଶିକ୍ଷା ମିଳିବ ଯେ ପ୍ରକୃତି ଏକ ଖେଳ ଘର ନୁହଁ |
ରାହୁଲ ମହାନ୍ତି