ଜୀବନ
ଆଜିକାଲି ମୁଁ ଦୁଃଖକୁ ସାଇତିବା ଶିଖିଲିଣି
ଯେମିତି ସେ ପୂରୁଣା ଟ୍ରଙ୍କରେ
ଜେଜେ ମା’ ସାଇତିରଖେ ତା’ ଦୁଇଖଣ୍ଡ କସ୍ତାଲୁଗା
ନା କାହାକୁ ଦେଖାଏ ନା କେବେ ପିନ୍ଧେ
ହାତରେ ଆଉଁସି ଦିଏ ସବୁଥର
ପୁଣି କେବେ ପିନ୍ଧିବ ବୋଲି ରଖିଦିଏ ପ୍ରତିଥର
ମୁଁ ବି ଆଜିକାଲି ଠିକ୍ ସେମିତି
ମୋ ଦେହର କଙ୍କାଳ ଭିତରେ ଚାରି ଚୌତା କରି
ଦୁଃଖକୁ ସଜାଡି ଦିଏ ପ୍ରତିଥର
ଆଉ କାହାକୁ କିଛି କୁହେନା
କେତେ ଆଉ କହିବି ସେଇ ସେଇ କଥା
ବେଳେ ବେଳେ ସେମାନଙ୍କର ଆଶ୍ଵାସନାର
କଥା ସବୁ ଖୁବ୍ ପାଣିଚିଆ ଲାଗେ
ମେଞ୍ଚାଏ ପ୍ରବଞ୍ଚନାକୁ ଜାବୁଡ଼ି ଧରି
ସେମାନଙ୍କ ଏ କଥାଗୁଡା
ମୋ ହୃଦୟର ଅଳିନ୍ଦରେ ପ୍ରଚଣ୍ଡ ବିସ୍ଫୋରଣ କରନ୍ତି
ସେମାନଙ୍କର କଥା ସବୁ ମୋତେ ଆଶ୍ୱସ୍ତି ନୁହଁ
ବରଂ, ମୋ ପାଦ ଦି ଟାକୁ ଠେଲି ଦିଏ
ଅତାଳତାଳ ମହା ସାଗର ଭିତରକୁ
ସେଇଥିପାଇଁ ତ ନିର୍ବିକାର ରହିବାକୁ ଭଲପାଏ ଆଜିକାଲି
ନିଜ ଭିତରେ ଭେଟୁଥିବା ଅସହ୍ୟ କୋଳାହଳକୁ
ମୁଁ ସାଇତି ରଖେ ନିଜ ଭିତରେ
ନା, ଓଠରେ ନା, ଆଖିରେ
ନା, ଭାଷାରେ ନା, ଭାବରେ
ପଦଟିଏ କାହାକୁ କୁହେନା
କି, କେହି ଶୁଣି ବି ପାରନ୍ତି ନାହିଁ
ଏତେ ନିଜର ବା ଏଠି କିଏ ଯେ
ଶୂନ୍ୟତାର ପ୍ରଶସ୍ଥିରେ ନିମଗ୍ନ ଆଖିଯୋଡ଼ା
ଏବେ ଲୁହରେ ପହଁରିବାରେ ପାରଙ୍ଗମ
ଧୀରେ ଧୀରେ ମନ ବି ପଥର ପାଲଟିଲାଣି
ମୁଁ ବି ଆଉ କେଉଁ “ମୁଁ ” ହୋଇ ଅଛି କି (?)
ଜୀବନ୍ତ ଶବଟିଏ ତ କେବେଠୁ ମୁଁ !
ଏବେ ଆଉ ଆଗଭଳି ମନଖୋଲା ହସିପାରେନା
ଓOରେ ଆଙ୍କିହୁଏ ଏକ ଛଳନାର ସୀମାରେଖା
ଖୁବ୍ ମାପି ଚୁପି ହସେ
ଏ ଦେଖାଣିଆ ଦୁନିଆଁରେ, ହସଟିଏ ଦେଖାଇବାକୁ ପଡ଼େ
ବୋଧେ,ସବୁବେଳେ !
ନଚେତ୍ ଅନେକ ପ୍ରଶ୍ନର ତୀବ୍ର ଆଘାତରେ
ମୋ ବକ୍ଷରେ ସୃଷ୍ଟିହୋଇପାରେ ଭୀଷଣ ଭୂମିକମ୍ପ
ଖଣ୍ତ ବିଖଣ୍ଡିତ ହୋଇପାରେ ସମଗ୍ର ସତ୍ତା
ମାଟିରେ ମିଶିପାରେ ମୋ ଦେହର ଶେଷଟୋପା ରକ୍ତ
ଏମିତି ଅନେକ କିଛି
ସବୁ ଦୁଃଖକୁ ନିଜ ଭିତରେ ଚାପିଦେଇ
କେବେ ଯେ ପଥର ପାଲଟିଗଲି ନିଜ ଅଜାଣତେ
କିନ୍ତୁ ,ପାଷାଣୀ ଅହଲ୍ୟା ହେବାର ଭାଗ୍ୟ ଅବା କାହିଁ ???
ରଶ୍ମିରେଖା, କଟକ