ପ୍ରାରବ୍ଧ କର୍ମ ଫଳ
ସତ କର୍ମ ବଳେ ନର ଜନ୍ମ ମିଳେ
ଏହି ସୁନ୍ଦର ମହୀରେ,
ପ୍ରାରବ୍ଧ କର୍ମର ଫଳ ମିଳିଥାଏ
ଜନ୍ମ ଜନ୍ମାନ୍ତର ପରେ ।।
ପୂର୍ବ ଜନମର ପ୍ରାରବ୍ଧ ର ଫଳ
ନର ଭୋଗେ ଏ ଜନମେ,
କର୍ମ ଫଳ ଧରି ପଠାନ୍ତି ଶ୍ରୀହରି
କୀର୍ତ୍ତି ଉପହାର ନାମେ ।।
ତ୍ରେତୟାରେ ରାମ କଲେ ବାଳି ବଧ
ପ୍ରାରବ୍ଧ ଫଳିଲା ଯେଣୁ,
ଦ୍ୱାପରରେ ଜରା ଶବର ତୀରରେ
ପ୍ରାଣ ତ୍ୟାଗି ଥିଲେ ତେଣୁ ।।
ତ୍ରେତୟାରେ ବାଳି ଦ୍ୱାପରରେ ଜନ୍ମି
ଜରା ଶବର ରୂପରେ,
ଶିଆଳି ଲତାରେ ଝୁଲୁ ଥିଲେ ଧୀରେ
ତୀର ମାରିଲା ପାଦରେ ।।
ମହାଭାରତ ରେ ପିତାମହ ଭୀଷ୍ମ
ଶର ଶଯ୍ୟା ‘ପରେ ଶୋଇ,
ପୂର୍ବ ଜନ୍ମ ଫଳ କରିଥିଲେ ଭୋଗ
ଗଙ୍ଗାପୁତ୍ର ଥିଲେ ସେହି।।
ପୂର୍ବ ଜନ୍ମେ ଭୀଷ୍ମ ସର୍ପ ଦେଲେ ଫିଙ୍ଗି
ନାଗଫେଣି କଣ୍ଟା ପରେ,
କଣ୍ଟା ଫୋଡି ହୋଇ ଯନ୍ତ୍ରଣା ଭୋଗଇ
ପଡ଼େ ଅକାଳ ମୃତ୍ୟୁରେ ।।
ପ୍ରାରବ୍ଧ ର ଫଳ ପାଏ ସତ୍ୟବ୍ରତ
ମହାଭାରତ ଯୁଦ୍ଧରେ,
ପୂର୍ବ ଜନ୍ମ କର୍ମ ଫଳ ଭୁଞ୍ଜି ଭୀଷ୍ମ
ଚଳିଲେ ସ୍ୱର୍ଗ ପୁରରେ ।।
ଦେବକୀ ମାତା ଯେ ପ୍ରାରବ୍ଧ ର ଫଳ
ପାଇ ଥିଲେ ଦ୍ୱାପରରେ,
ତ୍ରେତୟାରେ ଦେଲେ କୈକେୟୀ ରାମଙ୍କୁ
ଦଣ୍ଡ ବନବାସ ରୂପରେ ।।
ନ ଛାଡ଼ନ୍ତି ହରି ମାଆଙ୍କୁ ତାଙ୍କରି
ଦିଅନ୍ତି ପ୍ରାରବ୍ଧ ଫଳ,
ନର କିବା ଏଠି ବାଦ୍ ପଡ଼ିବେ କି
ପାଇବାକୁ କର୍ମ ଫଳ??
ପାଇବାକୁ ନିଜ କର୍ମ ଫଳ।।
ବେଙ୍ଗାଲୁରୁ