ମୃତ୍ୟୁ [ ଭାଗ ୪ ]
କିଏ ବା ଜାଣିଛି କେବେ ତୁମେ ଆସି
ସାରିଦେବ ସବୁଖେଳ,
କେତେ କଥା ଅଧା ରହିଯିବ ପୁଣି
ପୂରିଯିବ ଯେବେ କାଳ,
ସରି ଜୀବନ ଜଞ୍ଜାଳ,
ଅବ୍ୟକ୍ତ ବେଦନା ଅଧା ଦେଖା ସ୍ୱପ୍ନ
ଛୁଇଁବ କୋକେଇ କୋଳ।
ଦେହ କହୁଥିବ ନ ଫେରେ ଜୀବନ
ମୋତେ ତୁହି ଏକା କରି,
ମୃତ୍ୟୁ ତୁମେ ପରା ଏମିତି ଦାରୁଣ
ତିଳେ ନକରିବ ଡେରି,
ଯମଫାଶେ ବାନ୍ଧିକରି,
ନେଇଯିବ ସାଥେ କେଉଁ ଦୂରପଥେ
ଦେହ ଠୁଁ ଅଲଗା କରି।
ଶେଫାଳୀ ଯେମିତି ଝରିଯାଏ ପୁଣି
ପାହିଗଲେ ଥରେ ରାତି,
ଜନମ ଲଭିଣ କରମ ସାରିଣ
ଜୀବନର ହୁଏ ଇତି,
ମୃତ୍ୟୁ ହିଁ ସାଜ ସାରଥୀ,
ଜୀବନ ରଥକୁ ଶେଷ ଠିକଣାରେ
ପହଁଚାଇ କର ମୁକ୍ତି।
ହସ ଲୁହ ଭରା ଜୀବନ କବିତା
ଶେଷ ପଂକ୍ତି ପରା ତୁମେ,
ତୁମ ଆଗମନେ ମୋହ ମାୟା ଛିଡି
ଲକ୍ଷ୍ୟ ଥାଏ ମୁକ୍ତି ଧାମେ,
ବିଚଳିତ କରି ମନେ ,
ବିଷାଦ ଖେଳାଇ ନିଅ ହେ କୋଳେଇ
ମୃତ୍ୟୁ ଯେ ତୁମରି ନାମେ ।
ଜନ୍ମଜୟ ନାୟକ
ଗଣିତ ଶିକ୍ଷକ
ଗୋପୀନାଥଜୀଉ ସରକାରୀ ଉଚ୍ଚବିଦ୍ୟାଳୟ
ଜଗତସିଂହପୁର
୯୩୩୭୮୦୦୫୬୫