ମୃତ୍ୟୁ [ ଭାଗ ୨ ]
ଜୀବନ କାହାଣୀ ସରିଯାଏ ପୁଣି
କୋଳେଇ ନିଏ କୋକେଇ,
ମୃତ୍ୟୁ ଆଗମନେ ଆକୁଳ କ୍ରନ୍ଦନେ
ଥରଇ ଜନମଭୂଇଁ,
ମଣିଷ ଶବ ସାଜଇ,
ଅଭିନୟ ସରେ କାଳ ଯେବେ ପୂରେ
ମଶାଣିରେ ଜଳେ ଯୁଇ।
ଜୀବନ ଆକାଶେ ସଞ୍ଜ ନଇଁଗଲେ
ତୁମେ ଆସ ଅବତରି,
ନେଇଯାଅ ପୁଣି ଅଜଣା ରାଇଜେ
କେହି ବି ପାରେନି ଫେରି,
ସେନେହ ମମତା ଡୋରି,
ପାରେ ନାହିଁ ବାନ୍ଧି ତୁମେ ନିଅ ଛନ୍ଦି
ତିଳେ ହିଁ ନକରି ଡେରି।
ଖଇ କଉଡିରେ ପଥ ସରିଯାଏ
ହଜିଯାଏ ସବୁ ଚିହ୍ନ,
ବାରଟି ରଜନୀ ପାହିଗଲେ ପୁଣି
ବଦଳେ ସବୁରି ମନ,
ଜୀବନ ଅଢେଇ ଦିନ,
ପିଣ୍ଡରୁ ପରାଣ ମୁକତି ଲଭିଲେ
ମୃତ୍ୟୁ ମହାତୀର୍ଥ ଜାଣ ।
ମୃତ୍ୟୁ ହିଁ ଶାଶ୍ୱତ ଚିରନ୍ତନ ସତ୍ୟ
ଅଟେ ମୋକ୍ଷର ଦ୍ୱାର ,
ଲୋଭ ମୋହ ତେଜି ବିଭୁ ପ୍ରେମେ ଭିଜି
ଜୀବନ ସାର୍ଥକ କର,
ସ୍ୱାର୍ଥକୁ କରିଣ ଦୂର,
କରି ଚାଲ ଧର୍ମ ଆଉ ସତ କର୍ମ
ମୃତ୍ୟୁ କୁ କରି ଆଦର।
ଜନ୍ମଜୟ ନାୟକ
ଗଣିତ ଶିକ୍ଷକ
ଗୋପୀନାଥଜୀଉ ସରକାରୀ ଉଚ୍ଚବିଦ୍ୟାଳୟ
ଜଗତସିଂହପୁର