ମନେ ପଡେ
ଖୋଜୁଛି ଏ ଆଖି ଝୁରୁଛି ଏ ମନ
ମିଠା ମିଠା ସୁଖ ସ୍ମୃତି
ଯା’ ପାଣି ପବନ ପରଶରେ ପ୍ରାଣ
ମୁଖରିତ ମତିଗତି।
ଅଜାଡି ଦେଇଛି ଅନେକ ଆଦର
ବଞ୍ଚିବାକୁ ଜୀବନରେ
ଭୁଲି ହୁଏ ନାହିଁ ଅଭୁଲା ସ୍ମୃତି ତା’
ମନେପଡେ ନିରୋଳାରେ।
ବୋହୂଚୋରି ଖେଳ ସାଙ୍ଗ ସାଥୀ ମେଳ
ଖୋଜୁଛି ଏ ମନ ଆଜି
କେମିତି ହଜିଲା ସମୟ ସୁଅରେ
ପାଏ ନାହିଁ ଖିଅ ଖୋଜି।
ସକାଳ ସୂରୁଜ ବୁଣଇ ମୁରୁଜ
ନୀଳ ଆକାଶର କକ୍ଷ
ସୁନୀଳ ଆକାଶେ ଭସା ମେଘ ଭାସେ
ଫଳ ଫୁଲେ ଧରା ବକ୍ଷ।
ବଞ୍ଚିବା ପାଇଁ କି ବର୍ଣ୍ଣ ବ୍ୟାକରଣ
ଯୋଗାଇ ଦେଇଛି କେତେ
ପ୍ରିୟ ପରିଜନ ପରିବାର ନେଇ
ଭାରି ଆପଣାର ସତେ!
ମୋ ଆଖି ଦୁଇରେ ଗୋଟା ପଣେ ହୀରା
ଓଠ ଚୂନା ଚୂନା ହସ
ଜହ୍ନଠୁ ଶୀତଳ ଫୁଲଠୁ କୋମଳ
ମୋର ଗାଆଁ ପରିବେଶ।
ଅବର୍ଣ୍ଣନୀୟ ଯା’ କୋଳ ଅଙ୍କକଷା
ମଧୁରିମା ମନ ଭାରା
ତୃଷା ମେଣ୍ଟିଯାଏ ସ୍ନିଗ୍ଧ ସ୍ୱଚ୍ଛ ଜଳେ
ଜୀବନ ସମୃଦ୍ଧି ଧାରା।
କୁମାରପୂର୍ଣ୍ଣିମା ଓଷା ବ୍ରତ ମଜା
ଗାଧୁଆ ତୁଠକୁ ଖୋଜି
ସୌଜନ୍ୟ ସୋହାଗ ସ୍ମୃତି ସୁଏ ଭାସି
ମନେପଡେ ସବୁ ଆଜି।
ରାକମା, ଭାପୁର ,ନୟାଗଡ଼