ବନ୍ଧୁ ତୁମେ…
ଆଁ….. !
ଇଏ କଣ… !
କେମିତି ହେଲା….. !
କଣ ହୋଇଥିଲା…. !
ଆହା…..ହା………..!
ଭଗବାନ ଏମିତି ସଂସାରକୁ ଉଜାଡି ଦିଅନ୍ତି କେମିତି ?
ମାନିନୀ ପୁଅର ମୁଖପୁସ୍ତିକାରୁ ଜାଣିବାକୁ ପାଇଲା ତା’ର ହୃଦଘାତ ସମ୍ପର୍କରେ l ସଜ ସକାଳଟା ଦୁଃଖଦ ଖବର ପାଇ ବ୍ୟତିବ୍ୟସ୍ତ ହୋଇଉଠିଲା,
ସୃଷ୍ଟିକର୍ତ୍ତା ହୋଇ ସୃଷ୍ଟିକୁ ଭାଙ୍ଗିବାକୁ ତାଙ୍କ ମନ ଓ ହାତ ଗଲା କିପରି ?
ଏମିତି ଅନେକ ପ୍ରଶ୍ନରେ ଭିଜୁଥିଲା ନିର୍ଣ୍ଣିମେଶ ର ଆଖି, ମନ ଓ଼ ହୃଦୟ ସବୁ କିଛି l ବତୁରା ମନ ତଳେ କାହିଁ କେତେ କୋହ, ଭିଜା ଭିଜା ଅତୀତ l ନିଜକୁ ସମ୍ବରଣ କରିପାରୁନଥିଲା ଅଥଚ ସମ୍ଭାଳି ନେଉଥିଲା ନିଜକୁ ନିଜେ ଯେମିତି କିଛି ବି ହୋଇନି l ନାଁ, ତ…
ଚେଷ୍ଟା କରି ବି ନିଜେ ସ୍ୱାଭାବିକ ହୋଇପାରୁନି କାହିଁକି ? କଣ ଏବେ ବି ଦୁର୍ବଳତା ତା ମନରେ ତା ପାଇଁ ! ଭୟ ବି ଲାଗୁଥିଲା କାଳେ ନମିତା ତାକୁ ଲୁହରେ ଭିଜିବା ଦେଖିଦେବ, ତାପରର ପ୍ରଶ୍ନୋତ୍ତର ଅଧ୍ୟାୟର ଅୟମାରମ୍ଭ କରିବାକୁ ଚାହୁଁ ନ ଥିଲା ସେ l କିନ୍ତୁ ସ୍ୱାଭାବିକ ହେବାକୁ ଚେଷ୍ଟା କରି ଥକି ଯାଉଥିଲା, ହେଲେ ପାରୁନଥିଲା l
ଏକାଠି କାମ କରୁଥିଲେ ସିନା ପରସ୍ପରକୁ ଜାଣି ହିଁ ନ ଥିଲେ, ଦେଖିବା ତ ଦୂରର କଥା l ଅପାର ବାହାଘରପରେ ଅପା ସହ ଯାଇଥିଲା ତା ଶାଶୁ ଘରକୁ l ଦିନେ ଦୁଇଦିନ ରହିବା ଭିତରେ ପରିଚୟ ହୋଇଥିଲା ମାନିନୀ ସହ l କଥାବାର୍ତ୍ତା ସମୟରେ ଜାଣିପାରିଥିଲେ ପରସ୍ପରକୁ l ସମ୍ପର୍କରେ ଅପା ଶାଶୁଘର ଲୋକଙ୍କ ଜଣାଶୁଣା l ଦୂର ସମ୍ପର୍କୀୟ କହିଲେ ଚଳିବ l ମାନିନୀ ଅଜାଣତରେ ତା ହୃଦୟରେ ଯେ ଜାଗା ମାଡ଼ିବସିଥିଲା ଓ ଉଭୟ ଉଭୟଙ୍କ ହୃଦୟରେ ବନ୍ଦୀ ହୋଇଯାଇଥିଲେ, ଦୁଇଦିନ ଭିତରେ ସେମାନଙ୍କ ଖୁସିର ନକ୍ସା ତାହା ସୂଚାଇ ଦେଉଥିଲା , ମନ ଭିତରେ ଖୁସି ଖୁସି ଭାବ ଉତୁରି ପଡୁଥିଲା l ସେ ଦିନର ସ୍ମୃତି ଏବେ ବି ସବୁଜ, ରୋମାଞ୍ଚଭରା ନିଆରା ଅନୁଭୂତି, ଯଦିଓ ସେଥିରେ ନ ଥିଲା ସ୍ପର୍ଶ, କାମନା, ବାସନା କି ଅନ୍ୟକିଛି l
ଖାଲି କଥାବାର୍ତ୍ତାରେ କଣ ଏତେ ଆକର୍ଷଣ ! ଏତେ ଅତ୍ମୀୟତା !
ପ୍ରଥମ ଥର ପାଇଁ ଅନୁଭବ ହେଲା ତାକୁ l
ଅପା ଘରୁ ଆସିବାକୁ ଆଦୌ ଇଚ୍ଛା ନ ଥିବା ସତ୍ତ୍ୱେ ମାନିନୀର କଥାକୁହା ଆଖି, ଘଞ୍ଚ କେଶର ମାଦକତା, ମିଠା ମିଠା କଥା, ମୋହିନେବା ଭାବକୁ ଧରି ବାଧ୍ୟରେ ଫେରିଆସିବାକୁ ହେଲା l ଆଶ୍ୱାସନା ଏତିକି ଥିଲା ଅଫିସରେ ଦେଖାହେବ l କିଛି କାମ ନ ଥିଲେ ବି ଦେଖାହେବାପାଇଁ କିଛି ନା କିଛି ବାହାନା ମିଳି ଯାଉଥିଲା, j
ଯାହା ସମ୍ପର୍କର ମୂଳଦୁଆ ତୋଳୁଥିଲା l
ତା ସହ ଖୁସିର ଫୁଆରା ବୋଲିହେଇଯାଉଥିଲା ଦୁଇଟି ପକ୍ଷୀଙ୍କ ଚଞ୍ଚୁରେ l
ଏମିତି ଗଢ଼ାହୋଇଗଲା ମାନିନୀ ସହ ସମ୍ପର୍କର ସେତୁ l ମଜବୁତ ହେଲା ପରସ୍ପରର ସ୍ୱୀକୃତିକୁ ନେଇ l
ବାକି ଥିଲା ପରିବାରର ସମ୍ମତି l ଅପା ମାଧ୍ୟମରେ ପ୍ରସ୍ତାବ ଯାଇଥିଲା, ହେଲେ ବାଧକ ସାଜିଥିଲା ଜାତକ l ଦୁଇ ପରିବାରର ଜାତକ ମେଳକ ନିଶା ସବୁ ଗତିପଥ ବଦଳାଇଦେଲା lସେଇଠି ଅଟକିଗଲା ସମ୍ପର୍କର ଠିକଣା l ସମ୍ପର୍କର ବଦଳିଗଲା l କେହି ହେଲେ ପରିବାରକୁ ଉପେକ୍ଷା କରିବାକୁ ପ୍ରସ୍ତୁତ ନ ଥିବା ବେଳେ ଦୁହେଁ ଦୁହିଁଙ୍କ ପାଇଁ ଓ ପରିବାର ପାଇଁ…. ଏଇ ନୀତିରେ ପୁଣି ଫେରିଆସିବାକୁ ବାଧ୍ୟ ହେଲେ ନିଜ ଠିକଣାକୁ l ଠିକଣା ବଦଳିଗଲା.. ଉଁ ହୁଁ… ବଦଳାଇଦିଆଗଲା l ଜୋର ଜବରଦସ୍ତ ସେମିତି ସମ୍ପର୍କ ଯୋଡିବାକୁ ଚାହୁଁନ ଥିଲେ, ଘରର ସମ୍ମାନ, ସମାଜ, ଉତ୍ତରପିଢ଼ି ଙ୍କ ପାଇଁ ଭଲ ପାଇବାକୁ ବଳି ଦେଇ ସମ୍ପର୍କ ଅତୁଟ ରଖିଥିବା କଥା ସମସ୍ତେ ଜାଣିଲେ l ବନ୍ଧୁ ଓ ବାନ୍ଧବୀ ର ଦ୍ୱାହି ଦେଇ ଗଢ଼ାହୋଇଥିଲା ନୂତନ କୋଣାର୍କ ଓ ଭଗ୍ନ ମୁଖଶାଳା l ସେତକ ବି ପ୍ରଭୁଙ୍କ ଇଚ୍ଛା ନ ଥି ଲାକି କଣ ମାନିନୀ ଛାଡି ଚାଲିଗଲେ, କଣ ନେଇ କି ଯଶ ପାଇଁ ଏସବୁ କଲେ ଈଶ୍ୱର ତାର ପ୍ରଶ୍ନ ଖୋଜିପାଉନଥିଲା, ଖାଲି ମାନିନୀ ହିଁ ସବୁଦିନ ପାଇଁ ଅଭିମାନିନୀ ସାଜି ଛାଡିଦେଇଯାଇଥିଲା ସ୍ମୃତିର ମହକ, ବାସ୍ନାୟିତ କରିବାକୁ ଅବଶିଷ୍ଟ ଆୟୁଷ l
ବନ୍ଧୁର ବିଦାୟ ଏତେ ଯେ ମର୍ମାହତ କରିପାରେ ତାହା ପ୍ରଥମ ଥର ଅନୁଭବ କରୁଥିଲା ନିର୍ଣ୍ଣିମେଶ….
ଚିନ୍ମୟୀ ମହାପାତ୍ର
ଅନଗୁଳ