ଜୀବନ ଖରା, ଛାଇ ଖେଳ .
ମନୁଷ୍ୟ ଜନମ ପାଇଅଛେ ଆମେ
କେତେ ଯେ ତପସ୍ୟା କରି
ଜୀବନ ସାର୍ଥକ କରିବା ଆମରି
ପ୍ରଭୁଙ୍କର ନାମ ଧରି .
ଏ ଜୀବନ ଏକ ଖରା, ଛାଇ ଖେଳ
ଦୁଃଖ ପରେ ଆସେ ସୁଖ
ଅଧର୍ଯ୍ୟ ନ ହୋଇ ବିବେକ ଖଟାଇ
ଆନନ୍ଦରେ ବଞ୍ଚି ଶିଖ .
ଅମାବାସ୍ୟା ପରେ ପୂର୍ଣ୍ଣିମା ଆସିବ
ଏ କଥା ମନରେ ଭାବ
ଦୁଃଖରେ କାତର ମନ ନ ହୋଇଣ
ପ୍ରଭୁଙ୍କ ଶରଣ ନେବ.
ହର୍ତ୍ତା, କର୍ତ୍ତା ସିଏ, ସବୁ ତାଙ୍କ ସୃଷ୍ଟି
ସର୍ଜନା କାରି ଅଟନ୍ତି
ଆଦ୍ୟ ଓଁ କାର ସେ ପରମ ବ୍ରହ୍ମଟି
ଗର୍ବ କୁ ଖର୍ବ କରନ୍ତି .
ଅଢେଇ ଦିନର କୁଣିଆ ଆମେରେ
ଏହି ଦୁନିଆଁ ରେ ଭାଇ
ଆସିଅଛନ୍ତି ଯେ ଲଙ୍ଗଳା ହୋଇଣ
ଯିବା ପୁଣି ଶୂନ୍ୟ ହୋଇ.
ମୋର ମୋର ବୋଲି ଯେ ଧନ ସଞ୍ଚିଛେ
ମଲାବେଳେ ନେବା ନାହିଁ
ପ୍ରଭୁଙ୍କ ପାଖରେ ସମର୍ପିତ ହେଲେ
ଆଉ. କିଛି ଭୟ ନାହିଁ.
ଖରା, ଛାଇ ପରି ଘାତ, ପ୍ରତିଘାତ
ଲାଗି ରହିବ ଜୀବନେ
ଦାନ, ଧ୍ୟାନ, କରି ପୁଣ୍ୟ ଅରଜିଲେ
ବସିବ ବୈକୁଣ୍ଠ ଧାମେ.
ତନ, ମନ, ଧନ, ପ୍ରଭୁଙ୍କ ପାଖରେ
କରିଦେଲେ ସମର୍ପଣ
ଯେତେ ଦିନ ଯାଏଁ ଜିଇ ରହିଥିବ
ଆନନ୍ଦେ କାଟିବ ଦିନ .
ଜୀବନର ଖରା ଆଉ ଛାଇ ଖେଳ
ସବୁ ଯେ ତାଙ୍କରି ଲୀଳା
ନୀଳାଚଳେ ବସି ଲୀଳା କରୁଛନ୍ତି
ମହାପ୍ରଭୁ ଚକାଡୋଳା .
ହେ ବିଶ୍ଵନିୟନ୍ତା, ପରମପିତା ମୋ
ଏତିକି ମିନତି ଘେନ
ଶ୍ରୀଚରଣ ତଳେ ଶରଣ ପାଇଁକି
କରୁଅଛି ନିବେଦନ.
ପ୍ରତିମା ଶତପଥି, ଯାଜପୁର