କପାଳ ଲିଖନ
କପାଳ ଲିଖନ କେ କରିବ ଆନ
କର୍ମଫଳ ମିଳିଥାଏ
ଯାହା ଲେଖିଛନ୍ତି କପାଳେ ବିଧାତା
ଅନ୍ଯଥା କରିବ କିଏ…
ପ୍ରାରବ୍ଧ ଦ୍ବାରା ହିଁ କର୍ମଫଳ ଆସେ
ରାଜା ପ୍ରଜା ସେ ମାନେନା
ଆଜି ଯେ ଅମୀର କାଲି ସେ ଫକୀର
ମୂହୁର୍ତ୍ତେ ବେଳ ମିଳେନା।
କେତେ ସୁଖ ଅଛି କେତେ ଦୁଃଖ ଅଛି
ପ୍ରାରବ୍ଧ ତ ସ୍ଥିର କରେ
ବଦଳି ପାରେନା ଭାଗ୍ଯରେଖା କେବେ
ଯାହା ଲେଖା ଲଲାଟ ରେ।
ବିଧିର ବିଧାନ ବୃଥା ଯେ ହୁଏନା
ପୁରାଣ ରୁ ଜଣାଯାଏ
ରାଜା ନଳ ଦିନେ ଘାସ କାଟିଥିଲେ
ହରିଶ୍ଚନ୍ଦ୍ର ବି ଚାଣ୍ଡାଳ ହୁଏ।
ଆଜିର ମଣିଷ ପ୍ରାରବ୍ଧ ମାନେନା
କର୍ମଫଳ ମିଛ ଭାବେ
ନେଡି ଗୁଡ ଯେବେ କହୁଣୀ ଯାଏ
ନିଜ କଥା ନିଜେ ଭାବେ।
କେଉଁ ଜନମ ରେ କି କର୍ମ କରିଛେ
କର୍ମଫଳ ନିଶ୍ଚେ ଭୋଗିବା
ଏହି ଜନମ ରେ ଭଲ କାମ କଲେ
ଶାନ୍ତିରେ ସଂସାରୁ ଯିବା।
ସୁଜାତା ପତି, ଭୁବନେଶ୍ବର