ଶୋଷଣ
ସୀମାଞ୍ଚଳ ପଣ୍ଡା
କର୍ମଫଳ ଭୋଗ ଭବ ଜନ୍ମ ଯୋଗ
ନର ପାଇଁ ସାର ଜନମ ଏହି,
ମାନବିକ କର୍ମେ ସାଂସାରିକ ଧର୍ମେ
ପୁଣ୍ୟବଳେ ଧନ୍ୟ ହୋଇବ ମହୀ।
ସଂସାର ତ ସାର କି ଲାଗି ଅସାର
କରମେ ମାତିବ ପୁଣ୍ୟ କୁ ଛାଡ଼ି,
ଫଳଭୋଗ ଭବ ସଂଯୋଗେ ଆସିବ
ଅବକାଶେ ମନ୍ଦେ ନ ବସୁ ମାଡ଼ି,
ମନ୍ଦ କରି ଆପେ ଛନ୍ଦର ପ୍ରକୋପେ
ଜଳିବ ବିଧାତା ପାରିବ ସହି!
କର୍ମଫଳ ଭୋଗ ଭବ ଜନ୍ମ ଯୋଗ
ନର ପାଇଁ ସାର ଜନମ ଏହି।
ଭବେ ଜନ୍ମ ଯେବେ ସଭିଏଁ ବଞ୍ଚିବେ
ଘୃଣା ଈର୍ଷା ଦ୍ୱେଷ ଆକ୍ରୋଶ ବିନା,
ଲୋଭ ମୋହ ସ୍ଵାର୍ଥ ସଂସାରେ ଅନର୍ଥ
ରହିବ କି ଲାଗି ମନ୍ଦ କଳ୍ପନା।
କାହାକୁ ଶୋଷିବ କା ପାଶେ ପେଶିବ
କି ଲାଗି ମନରେ ଭେଦ ବିଚାର?
ଭ୍ରଷ୍ଟ କାରବାରେ ବଢ଼ି ବିଳାସରେ
ଦୁଃଖୀ ଜନ ଦୁଃଖ ମନୁ ପାଶୋର!
ଶୋଷଣର ପେଶା ଋଣ ରଣ ଦଶା
ସଂସାର ଯାତନା ଦେବ ବଢ଼ାଇ,
ମାନବିକ କର୍ମେ ସାଂସାରିକ ଧର୍ମେ
ପୁଣ୍ୟ ବଳେ ଧନ୍ୟ ହୋଇବ ମହୀ।
ଶୋଷଣ ଭୀଷଣ ବଢ଼େ ଅନୁକ୍ଷଣ
ଖଳ ବଳେ ଦଳି ହୁଅଇ ଧରା,
ଅତ୍ୟାଚାରୀ ଭବେ ବଢ଼େ କି ସ୍ୱଭାବେ
କାଳ ବଳେ ସର୍ବ ହାରେ ବିଚରା!
ଶିକ୍ଷକ, ଡେଙ୍ଗାଡି, ଗଞ୍ଜାମ,